ଟାଟା ଷ୍ଟିଲ୍ ଏଫ୍ଏଏମ୍ଡି ପକ୍ଷରୁ ଗ୍ରିନ୍ ଲଜିଷ୍ଟିକ୍ ଯାତ୍ରାର ଶୁଭାରମ୍ଭ

ସବୁଜ ଭବିଷ୍ୟତ ଲାଗି ଲଜିଷ୍ଟିକ୍ ଦିଗରେ ଆଉ ଏକ ପଦକ୍ଷେପ
ଯାଜପୁର : ଲଜିଷ୍ଟିକ୍ ପରିଚାଳନାକୁ ପରିବେଶ ଅନୁକୂଳ ଓ ଦୀର୍ଘସ୍ଥାୟୀ କରିବା ଲାଗି ଟାଟା ଷ୍ଟିଲ୍ର ଫେରୋ ଆଲଏଜ୍ ଆଣ୍ଡ ମିନେରାଲ ଡିଭିଜନ (ଏଫ୍ଏଏମ୍ଡି) ପକ୍ଷରୁ ଗୁରୁବାର ଇଲେକ୍ଟ୍ରିକ୍ ଯାନ (ଇଭି) ପରୀକ୍ଷଣର ଶୁଭାରମ୍ଭ କରାଯାଇଛି । ପରିବେଶ ଦୀର୍ଘସ୍ଥାୟିତ୍ୱ ପ୍ରତି କଂପାନିର ରହିଥିବା ପ୍ରତିବଦ୍ଧତା ଏବଂ ଏକ ସବୁଜ ଓ ଦୀର୍ଘସ୍ଥାୟୀ ଲଜିଷ୍ଟିକ୍ ସମାଧାନ ଦିଗରେ କଂପାନି ତରଫରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ଗ୍ରିନ୍ହାଉସ୍ ଗ୍ୟାସ୍ ନିର୍ଗମନ ଓ ପାରମ୍ପରିକ ଇନ୍ଧନରେ ଚାଲୁଥିବା ପରିବହନ ବ୍ୟବସ୍ଥାରୁ ସୃଷ୍ଟି ହେଉଥିବା ବାୟୁ ପ୍ରଦୂଷଣ କମ୍ କରିବା ଲାଗି କଂପାନି ପକ୍ଷରୁ ସ୍ୱଳ୍ପ ଦୂରତା କ୍ଷେତ୍ରରେ ଉଭୟ ଫେରୋ କ୍ରୋମ୍ ଓ ରିଡଙ୍କଟାଂଟ୍କୁ ଇଲେକ୍ଟ୍ରିକ୍ ଯାନ ଜରିଆରେ ପରିବହନ କରିବାର ପରୀକ୍ଷାମୂଳକ ପରୀକ୍ଷଣ ଆରମ୍ଭ କରାଯାଇଛି । ଏହା ସହ ଜଡ଼ିତ ଥିବା ପରିଚାଳନା ଆହ୍ୱାନ, ସୁଲଭତା ଏବଂ ସିଓ୨ ସଂଚୟକୁ ଜାଣିବା ଲାଗି ୧୨ ଦିନ ପର୍ଯ୍ୟନ୍ତ ଏହି ପରୀକ୍ଷଣ କରାଯିବ ।
ଟାଟା ଷ୍ଟିଲ୍ର ଫେରୋ ଆଲଏଜ୍ ଆଣ୍ଡ୍ ମିନେରାଲ୍ ଡିଭିଜନର ଏକ୍ଜିକ୍ୟୁଟିଭ୍ ଇନଚାର୍ଜ ପଙ୍କଜ ସତିଜା ଓଡ଼ିଶାର ଯାଜପୁର ଜିଲ୍ଲାରେ ଥିବା କଂପାନିର ଫେରୋ ଆଲଏଜ୍ କାରଖାନାରୁ ଇଭି ଉଦ୍ଘାଟନ କରି କହିଛନ୍ତି ଯେ, “ଏକ ଦାୟିତ୍ୱବାନ କର୍ପୋରେଟ୍ ନାଗରିକ ଭାବେ ଦୀର୍ଘସ୍ଥାୟୀ ଅଭ୍ୟାସ ପ୍ରତି ଆମେ ସର୍ବଦା ପ୍ରତିବଦ୍ଧ ରହିଛୁ । ଲଜିଷ୍ଟିକ୍ ପରିଚାଳନାରେ ଇଲେକ୍ଟ୍ରିକ୍ ଯାନ ବ୍ୟବହାରର ଶୁଭାରମ୍ଭ ଆମକୁ କାର୍ବନ ନ୍ୟୁଟ୍ରାଲିଟି ଲକ୍ଷ୍ୟ ହାସଲ କରିବା ଏବଂ ଆମର ସମଗ୍ର ମୂଲ୍ୟ ଶୃଙ୍ଖଳାରେ ପରିବେଶ ଅନୁକୂଳ ଅଭ୍ୟାସର ପ୍ରସାର କରିବାରେ ସହାୟକ ହେବ ।
ଏହି ଅଭିଯାନକୁ ନେଇ ଖୁସି ବ୍ୟକ୍ତ କରି ଟାଟା ଷ୍ଟିଲ୍ର ଅପରେସନ୍ସ ମୁଖ୍ୟ ବି ଡି ନନ୍ଦ (ଏଫ୍ଏପିଜେଏ, ଏଫ୍ଏପିଜି, ଏଫ୍ଏପିଏ, ଏସ୍ଏସପିବି) କହିଛନ୍ତି ଯେ, “ଏକ ସ୍ୱଚ୍ଛ ଓ ଅଧିକ ଦୀର୍ଘସ୍ଥାୟୀ ଭବିଷ୍ୟତ ପ୍ରତି ଯୋଗଦାନ ପ୍ରଦାନ କରିବା ଲାଗି କଂପାନି ଅଭିନବ ଜ୍ଞାନକୌଶଳର ସନ୍ଧାନ ଓ ଗ୍ରହଣୀୟତା ଜାରି ରଖିବ ।’’
ପ୍ରଥମ, ମଧ୍ୟମ ଓ ଲାଷ୍ଟ୍ ମାଇଲ୍ ଡେଲିଭରି ପାଇଁ ଫ୍ଲିଟ୍ରେ ସାମିଲ କରାଯାଇଥିବା ଇଭି ୪୨ ଟନ୍ ପର୍ଯ୍ୟନ୍ତ ଓଜନ ଧାରଣ କରିପାରିବ ଏବଂ ଗୋଟିଏ ଥର ଚାର୍ଜରେ ନିରବଚ୍ଛିନ୍ନ ଭାବେ ୧୪୦ କିମି ଦୂର ଯାତ୍ରା କରିପାରିବେ । ଏହି କାର୍ଯ୍ୟକ୍ରମର ଲଜିଷ୍ଟିକ୍ ପାର୍ଟନର ହେଉଛି ଏକ୍ଜିମ୍ ଲଜିଷ୍ଟିକ୍ସ ପ୍ରାଇଭେଟ୍ ଲିମିଟେଡ୍ ।
ଇଲେକ୍ଟ୍ରିକ୍ ଯାନର ସଫଳ କାର୍ଯ୍ୟକାରିତା ପରେ କଂପାନି ପକ୍ଷରୁ ଖୁବ୍ଶୀଘ୍ର ଏହାର ବିଭିନ୍ନ ସର୍କିଟ୍ରେ ସିଏନଜି ଚାଳିତ ଗାଡ଼ିର ପରୀକ୍ଷାମୂଳକ ପରୀକ୍ଷଣ ଆରମ୍ଭ କରାଯିବ ।
ଏହି ଉଦ୍ଘାଟନୀ ସମାରୋହରେ ଲଜିଷ୍ଟିକ୍ସ ମୁଖ୍ୟ (ଏଫ୍ଏଏମ୍ଡି) ଅମିତ ଚୌବେ, ଏକ୍ଜିମ୍ ଲଜିଷ୍ଟିକ୍ସର ପରିଚାଳନା ନିର୍ଦ୍ଦେଶକ ହିମାଦ୍ରୀ ପଟ୍ଟନାୟକ, ଯାଜପୁର ଫେରୋ ଆଲଏଜ୍ ପ୍ଲାଂଟ୍ର ମୁଖ୍ୟ ଆଲୋକ କୁମାର ପଣ୍ଡା, ଲଜିଷ୍ଟିକ୍ସ (ଏଫ୍ଜି)ର ଏରିଆ ମ୍ୟାନେଜର ସୌମ୍ୟ ବାସୁ, ଲଜିଷ୍ଟିକ୍ସ (ରିଡଙ୍କଟାଂଟ୍)ର ପ୍ରବନ୍ଧକ ହାପି ପଟ୍ଟନାୟକ ଓ ଟାଟା ଷ୍ଟିଲ୍ର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

eighteen − fifteen =