ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ସମ୍ପୂର୍ଣ୍ଣ ମହିଳା ଆପ୍ରେଟିଂସିପ୍ ବ୍ୟାଚ୍‌ର ଶୁଭାରମ୍ଭ

କାର୍ଯ୍ୟକ୍ଷେତ୍ରରେ ବିବିଧତା, ଲିଙ୍ଗଗତ ସମାନତା ଓ ଅନ୍ତର୍ଭୁକ୍ତୀକରଣର ପ୍ରସାର

ସୁକିନ୍ଦା: ଭାରତର ଅଗ୍ରଣୀ ଖଣି କଂପାନି ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍‌ଏମ୍‌ଏଲ୍‌) ପକ୍ଷରୁ ଏହାର ବିବିଧତା, ଲିଙ୍ଗଗତ ସମାନତା ଓ ଅନ୍ତର୍ଭୁକ୍ତୀକରଣ ଅଭିଯାନର ଅଂଶ ସ୍ୱରୂପ ଓଡ଼ିଶାରେ କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କ ଲାଗି ଏକ ସ୍ୱତନ୍ତ୍ର ଆପ୍ରେଟିଂସିପ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଅଣ ପାରମ୍ପରିକ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପ୍ରଦାନ କରି ମହିଳାମାନଙ୍କୁ ସଶକ୍ତ କରିବା ଲାଗି ଲକ୍ଷ୍ୟ ରଖାଯାଇଥିବା ଏହି ଅଭିଯାନକୁ ଯାଜପୁର ଜିଲ୍ଲାରେ ଥିବା କଂପାନିର ସୁକିନ୍ଦା କ୍ରୋମାଇଟ୍ ଖଣି କ୍ୟାମ୍ପସ୍‌ରେ ଉଦ୍‌ଘାଟନ କରାଯାଇଥିଲା ।

ସମ୍ପୂର୍ଣ୍ଣ ମହିଳା ଆପ୍ରେଟିଂସିପ୍ ବ୍ୟାଚ୍‌ରେ ଓଡ଼ିଶାର ବିଭିନ୍ନ ସ୍ଥାନର ୧୫ ଜଣ ମହିଳା ରହିଛନ୍ତି ଯେଉଁମାନଙ୍କୁ ମେଟାଲର୍ଜି, ଇଲେକ୍ଟ୍ରିକାଲ୍‌, ସିଭିଲ୍ ଆଦି ଟ୍ରେଡ୍ ଉପରେ ଏକ ବର୍ଷିଆ ଅବଧିର ପ୍ରଶିକ୍ଷଣ ପ୍ରଦାନ କରାଯିବ । ଖଣିର ବିଭିନ୍ନ ଦିଗ ଯଥା ଜିଓଲୋଜି, ଡ୍ରିଲିଂ, ବ୍ଲାଷ୍ଟିଂ ଆଦି ଉପରେ ମଧ୍ୟ ଏହି ବ୍ୟାଚ୍ ତାଲିମ ହାସଲ କରିବେ । ଟିଏସ୍‌ଏମ୍‌ଏଲ୍‌ର ଆଠଗଡ଼, ଗୋପାଳପୁର ଓ ଯାଜପୁରରେ ଥିବା ଫେରୋ ଆଲଏଜ୍ କାରଖାନା ଏବଂ ସୁକିନ୍ଦା ଅଂଚଳରେ ଥିବା ଖଣିର ଅଭିଜ୍ଞ ବ୍ୟକ୍ତିବିଶେଷଙ୍କ ମାର୍ଗଦର୍ଶନରେ ଆପ୍ରେଟିଂସ୍‌ମାନେ ତାଲିମ ହାସଲ କରିବେ ଯେଉଁଠାରେ ସେମାନେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିବା ସହିତ କାର୍ଯ୍ୟକ୍ଷେତ୍ରର ବାସ୍ତବ ଦୁନିଆ ବିଷୟରେ ପରିଚିତ ହୋଇପାରିବେ ।

ଟାଟା ଷ୍ଟିଲ୍ ମାଇନିଂର ପରିଚାଳନା ନିର୍ଦେଶକ ପଙ୍କଜ ସତିଜା କହିଛନ୍ତି ଯେ, “ସମ୍ପୂର୍ଣ୍ଣ ମହିଳା ଆପ୍ରେଟିଂସିପ୍ କାର୍ଯ୍ୟକ୍ରମ ଘୋଷଣା କରି ଆମେ ଅତ୍ୟନ୍ତ ଆନନ୍ଦିତ ଯାହା ମହିଳା ସଶକ୍ତୀକରଣ ଓ ଲିଙ୍ଗଗତ ସମାନତାକୁ ସୁଦୃଢ଼ କରିବା ଦିଗରେ ଆମର ଏକ ପଦକ୍ଷେପ । ପ୍ରତିଟି କ୍ଷେତ୍ରରେ ସପଂଳତା ହାସଲ କରିବା ଲାଗି ମହିଳାଙ୍କ ମଧ୍ୟରେ ଥିବା ଅପାର ସମ୍ଭାବନାକୁ ଆମେ ବୁଝିଛୁ ଏବଂ ସେମାନଙ୍କ ଅଭିଳାଷକୁ ପୂରଣ କରିବା ଲାଗି ଆବଶ୍ୟକ ସମର୍ଥନ ଓ ସୁଯୋଗ ପ୍ରଦାନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ ।’’

କାର୍ଯ୍ୟକ୍ଷେତ୍ରରେ ବିବିଧତା, ଲିଙ୍ଗଗତ ସମାନତା ଓ ଅନ୍ତର୍ଭୁକ୍ତୀକରଣର ପ୍ରସାର କରିବା ଲାଗି ଟାଟା ଷ୍ଟିଲ୍ ମାଇନିଂର ରହିଥିବା ପ୍ରତିବଦ୍ଧତା ଦିଗରେ ଏହି ଆପ୍ରେଟିଂସିପ୍ କାର୍ଯ୍ୟକ୍ରମ ହେଉଛି ଆଉ ଏକ ପଦକ୍ଷେପ ବୋଲି କହିବା ସହ ଶ୍ରୀ ସତିଜା ଆହୁରି କହିଛନ୍ତି ଯେ “ଆମେ ଆଶା କରୁଛୁ ଯେ ଏହି ଅଭିଯାନ ଅଧିକରୁ ଅଧିକ ମହିଳାଙ୍କୁ ଖଣି କ୍ଷେତ୍ରରେ କ୍ୟାରିୟର ଗଢ଼ିବା ବିଷୟରେ ବିଚାର କରିବାକୁ ଅନୁପ୍ରାଣିତ କରିବ ଏବଂ କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମାନତା ଆଣିବାରେ ସହାୟକ ହେବ ।

ଟାଟା ଷ୍ଟିଲ୍ ମାଇନିଂର ବିବିଧତା, ଲିଙ୍ଗଗତ ସମାନତା ଓ ଅନ୍ତର୍ଭୁକ୍ତୀକରଣ ଭଳି ବ୍ୟାପକ ରଣନୀତିର ଏକ ପ୍ରମୁଖ ଉପାଦାନ ହେଉଛି ଏହି ସମ୍ପୂର୍ଣ୍ଣ ମହିଳା ଆପ୍ରେଟିଂସିପ୍ କାର୍ଯ୍ୟକ୍ରମ । ଏକ ସୁରକ୍ଷିତ ଓ ସହଯୋଗିତାପୂର୍ଣ୍ଣ କାର୍ଯ୍ୟ ପରିବେଶରେ ଲିଙ୍ଗଗତ ପାର୍ଥକ୍ୟ ନରଖି ସବୁ କର୍ମଚାରୀଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ଲାଗି କଂପାନି ସମର୍ପିତ ରହିଛି ।

Share

Leave a Reply

Your email address will not be published. Required fields are marked *

three × one =