କର୍ଣ୍ଣାଟକ ନିର୍ବାଚନ: ଟିକେଟ୍ ନ ମିଳିବାରୁ ଦଳ ଛାଡ଼ିଲେ ବିଜେପି ନେତା

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ମଙ୍ଗଳବାର ରାତିରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତେବେ ଟିକେଟରୁ ବଞ୍ଚିତ କିଛି ନେତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଟିକେଟ୍ ନ ମିଳିବାରୁ ବିଜେପି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ଦଳର ବରିଷ୍ଠ ନେତା ଲକ୍ଷ୍ମଣ ସାବାଦି । ସେ ବିଜେପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ।

ଲକ୍ଷ୍ମଣ ସାବାଦି ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପାଙ୍କ ଜଣେ ଅନୁଗତ । ସାଂଗଠନିକ ଦକ୍ଷତା ପାଇଁ ପରିଚିତ ସାବାଦି ରାଜ୍ୟର ଅନ୍ୟତମ ପ୍ରଭାବଶାଳୀ ଲିଙ୍ଗାୟତ ନେତା। ୨୦୧୮ ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ମହେଶ କୁମଥାହାଲିଙ୍କ ଠାରୁ ପରାସ୍ତ ହରାଇଥିଲେ।

ବହୁ ବିଚାର ବିମର୍ଶ ପରେ ବିଜେପି ମଙ୍ଗଳବାର ରାତିରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ୧୮୯ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିଥିଲା ।

ଟିକେଟ୍ ନ ମିଳିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ମଧ୍ୟ ରାଗିଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି।

ସେହିପରି କର୍ଣ୍ଣାଟକ ବିଜେପିର ଅନ୍ୟତମ ବରିଷ୍ଠ ନେତା କେ.ଏସ୍ ଇଶ୍ୱରପ୍ପା ନିର୍ବାଚନ ​​ଲଢ଼ିବାକୁ ମନା କରିବା ସତ୍ତ୍ବେ ତାଙ୍କୁ ପ୍ରାର୍ଥୀ କରାଯାଇଛି । ଏନେଇ ସେ ଅସନ୍ତୋଷ ପ୍ରକାଶ କରି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଚିଠି ଲେଖିଛନ୍ତି।

ରବିବାର ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକ ପରେ ବିଜେପିର ବରିଷ୍ଠ ନେତାମାନେ ସୋମବାର ଓ ମଙ୍ଗଳବାର ପୁଣି ଏକାଧିକ ରାଉଣ୍ଡ ବୈଠକ କରିଥିଲେ । ତା’ପରେ ଯାଇ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଥିଲା । ସିଇସି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଧର୍ମେନ୍ଦ୍ର ପ୍ରଧାନ ଏବଂ ବରିଷ୍ଠ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟରୁପ୍ପା ମଧ୍ୟ ଉପସ୍ଥିତ ଥିଲେ।

ବିଜେପି ୫୨ଟି ନୂଆ ଚେହେରାଙ୍କୁ ନିର୍ବାଚନ ମଇଦାନରେ ଓହ୍ଲାଇଛି । ୧୮୯ ଜଣିଆ ପ୍ରାର୍ଥୀ ତାଲିକାରେ ୩୨ ଜଣ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ହୋଇଥିବାବେଳେ ୩୦ ଜଣ ଅନୁସୂଚିତ ଜାତି ଏବଂ ୧୬ ଜଣ ଅନୁସୂଚିତ ଜନଜାତିର। ପ୍ରାର୍ଥୀଙ୍କ ପ୍ରଥମ ତାଲିକାରେ ମାତ୍ର ୮ ଜଣ ମହିଳା ସ୍ଥାନ ପାଇଛନ୍ତି। କର୍ଣ୍ଣାଟକରେ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଥିବା ବିଜେପି ମୋଟ ୨୨୪ଟି ଆସନରୁ ଅତି କମରେ ୧୫୦ଟି ସିଟ୍ ଜିତିବାକୁ ଲକ୍ଷ୍ୟ ରଖିଛି।

Share

Leave a Reply

Your email address will not be published. Required fields are marked *

four + four =