ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ଆଦିବାସୀ ସଂସ୍କୃତି ପ୍ରଦର୍ଶନୀ ଆୟୋଜିତ

ବିଶ୍ୱ ଆଦିମ ଜନଜାତିଙ୍କ ପାଇଁ ଆନ୍ତର୍ଜାତିକ ଦିବସ
ଭୁବନେଶ୍ୱର: ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ସହଯୋଗିତାରେ ସୁକିନ୍ଦା କ୍ରୋମାଇଟ୍ ଖଣି ପରିସରରେ ବୁଧବାର “ବିଶ୍ୱ ଆଦିମ ଜନଜାତିଙ୍କ ପାଇଁ ଆନ୍ତର୍ଜାତିକ ଦିବସ” ପାଳନ କରାଯାଇଛି । ଏହି ଅବସରରେ କଂପାନି ପକ୍ଷରୁ ଆଦିବାସୀ ସଂସ୍କୃତି ଉପରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା ଯେଉଁଥିରେ ଆଦିବାସୀ କଳାକୃତି, ରୋଷେଇ ଉପକରଣ, ବାସନକୁସନ, ସଙ୍ଗୀତ ଉପକରଣ, ଚାଷ ଉପକରଣ, ପୋଷାକ ପରିଚ୍ଛଦ ଓ ଅଳଙ୍କାର ଆଦିକୁ ପ୍ରଦର୍ଶିତ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ହୋ, ସାନ୍ତାଳ, ମୁଣ୍ଡା, ଭୂମିଜ, ଜୁଆଙ୍ଗ ଓ ମାଙ୍କିଡ଼ିଆଙ୍କ ଭଳି ଆଦିବାସୀ ସମ୍ପ୍ରଦାୟର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ । ତେବେ କାର୍ଯ୍ୟକ୍ରମକୁ ଆସିଥିବା ପରିଦର୍ଶକମାନଙ୍କୁ ଆଦିବାସୀ ସଂସ୍କୃତି ଓ ଜୀବନଶୈଳୀର ଅନେକ କାହାଣୀ ରୋମାଂଚିତ କରିଥିଲା । ଆଦିବାସୀ ପରମ୍ପରା ଓ ରୀତିନୀତି କେତେ ସ୍ୱତନ୍ତ୍ର ଓ ସମୃଦ୍ଧ ତାହା ଏହି କାର୍ଯ୍ୟକ୍ରମରୁ ବେଶ ବାରି ହୋଇପଡ଼ିଥିଲା । ଓଡ଼ିଶାର ଜୁଆଙ୍ଗ ପ୍ରଜାତିରେ କିଭଳି ବାଉଁଶରେ ତିଆରି ପାନିଆ ଜରିଆରେ ପୁଅଟିଏ ନିଜ ପସନ୍ଦର ଝିଅକୁ ପ୍ରେମ ନିବେଦନ କରିଥାଏ, ସେଭଳି ଅନେକ ଚମତ୍କାର କାହାଣୀ ଏହି କାର୍ଯ୍ୟକ୍ରମରୁ ଆଗନ୍ତୁକମାନେ ଜାଣିବାକୁ ପାଇଥିଲେ ।
ଏହି ଅବସରରେ ଓଡ଼ିଶା ସରକାରଙ୍କ ମାନ୍ୟବର ଗ୍ରାମୀଣ ବିକାଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ, “ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ମୋତେ ବହୁତ ଖୁସି ଲାଗୁଛି । ଆଦିବାସୀ ଐତିହ୍ୟ ଓ ପରମ୍ପରାର ବିଭିନ୍ନ ଦିଗକୁ ପ୍ରଦର୍ଶନ କରୁଥିବା ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ମୁଁ ଆୟୋଜକ ଦଳର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ।’’
ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନର ରାଜ୍ୟ ସଂଯୋଜକ ପରମାନନ୍ଦ ପଟେଲ୍ ଏସ୍‌ସି ଓ ଏସ୍‌ଟି ସମ୍ପ୍ରଦାୟର ଅଧିକାର ଉପରେ ବର୍ଣ୍ଣନା କରିବା ସହ ସରକାରଙ୍କ ତରଫରୁ ସେମାନଙ୍କ ପାଇଁ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ କଲ୍ୟାଣମୂଳକ ଯୋଜନା ବିଷୟରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଟାଟା ଷ୍ଟିଲ୍ ମାଇନିଂର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି ଯେ, “ବିବିଧ ଆଦିବାସୀ ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ଆମେ ସର୍ବଦା କାର୍ଯ୍ୟ କରିଆସିଛୁ । ଏହି ଗୌରବମୟ ସଂସ୍କୃତି ଏବଂ ସ୍ୱଦେଶୀ ଲୋକଙ୍କ ଜୀବନଶୈଳୀ ପ୍ରତି ସମ୍ମାନକୁ ସୁଦୃଢ଼ କରିବା ପାଇଁ ଆମେ ସର୍ବଦା ଉଦ୍ୟମ କରୁଛୁ । ଆଦିବାସୀ ଓ ସ୍ୱଦେଶୀ ଖାଦ୍ୟ, ଔଷଧୀୟ ଅଭ୍ୟାସ, ସଙ୍ଗୀତ, ଐତିହ୍ୟ ଇତ୍ୟାଦିର ପ୍ରସାର କରିବା ଲାଗି ନିଆଯାଇଥିବା ବିଭିନ୍ନ ଅଭିଯାନର ଏହା ଏକ ଅଂଶ ଯାହା ଜରିଆରେ ଏହି ସମୃଦ୍ଧ ପରମ୍ପରା ଭବିଷ୍ୟତ ପିଢ଼ି ପାଇଁ କିଭଳି ସଂରକ୍ଷିତ ରହିବା ତାହା ସୁନିଶ୍ଚିତ କରାଯାଉଛି । ବିଭିନ୍ନ ଅଭିଯାନ ଜରିଆରେ ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ ।’’
ଆଦିବାସୀ ଚିକିତ୍ସା ପଦ୍ଧତି, ଆଦିବାସୀ ସଙ୍ଗୀତ ଓ ସଙ୍ଗୀତ ଉପକରଣ, ଖାଂଟି ଆଦିବାସୀ ଖାଦ୍ୟ ଓ ଜୈବବିବିଧତା ଉପରେ ସ୍ୱଦେଶୀ ଲୋକଙ୍କ କାହାଣୀକୁ ସାଇତି ରଖିବା ଲାଗି ଅତୀତରେ ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ଗ୍ରିନ୍ ଥେରାପି, ସର୍ଜୋମ୍ ବା, ପ୍ରଜାତୀୟ ଖାଦ୍ୟୋତ୍ସବ, ଜୈବ କଳା ବିବିଧତା, ସାପ ଆମର ବନ୍ଧୁ ଓ ଜୈବ ବିବିଧତା ଉପରେ ସ୍ୱତନ୍ତ୍ର କାହାଣୀ କଥନ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କଂପାନି ପକ୍ଷରୁ ଏବେ ଜୈବବିବିଧତା ଉପରେ ସ୍ୱଦେଶୀ ସମ୍ପ୍ରଦାୟର କାହାଣୀକୁ ସାଇତି ରଖିବା କାର୍ଯ୍ୟ ଜାରି ରହିଛି ।

Share

Leave a Reply

Your email address will not be published. Required fields are marked *

8 + 8 =