ଟାଟା ଷ୍ଟିଲ୍ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ଇସ୍ପାତ ଉତ୍ପାଦନ ଓ ଡେଲିଭରି ହାସଲ ରେ ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର : ଟାଟା ଷ୍ଟିଲ୍ ଇଣ୍ଡିଆ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ସର୍ବାଧିକ ୧୯.୯ ନିୟୁତ ଟନ୍‌ର ଅଶୋଧିତ ଇସ୍ପାତ ଉତ୍ପାଦନ କରିବା ସହ ବାର୍ଷିକ ଭିତିରେ ୪ ପ୍ରତିଶତ ଅଭିବୃଦ୍ଧି ହାସଲ କରାଯାଇଛି । କଂପାନି ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ର ଉତ୍ପାଦନକୁ ମଧ୍ୟ ବଢ଼ାଇଛି । ୨୦୨୨-୨୩ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ଅଶୋଧିତ ଇସ୍ପାତ ଉତ୍ପାଦନ ତ୍ରୈମାସିକ ଭିତିରେ ୩ ପ୍ରତିଶତ ବୃଦ୍ଧି ପାଇ ୫.୧୫ ନିୟୁତ ଟନ୍ ଥିଲା ।
ଆର୍ଥିକ ବର୍ଷରେ ଅସ୍ଥିର ପରିଚାଳନା ପରିବେଶ ସତ୍ୱେ ଟାଟା ଷ୍ଟିଲ୍ ଇଣ୍ଡିଆର ଡେଲିଭରି ୩ ପ୍ରତିଶତ ବୃଦ୍ଧି ପାଇ ପୂର୍ବରୁ ୨୦୨୧-୨୨ ଆର୍ଥିକ ବର୍ଷରେ ହାସଲ କରାଯାଇଥିବା ଶ୍ରେଷ୍ଠ ରେକର୍ଡକୁ ଅତିକ୍ରମ କରିଛି । ଦେଶ ଭିତରେ ଡେଲିଭରି ବର୍ଷକୁ ବର୍ଷ ଭିତରେ ୧୦ ପ୍ରତିଶତ ବୃଦ୍ଧି ପାଇଛି । ତ୍ରୈମାସିକ ଭିତିରେ ଚତୁର୍ଥ ତ୍ରୈମାସିକରେ ଡେଲିଭରି ୯ ପ୍ରତିଶତ ବୃଦ୍ଧି ପାଇ ୫.୧୫ ନିୟୁତ ଟନ୍ ହୋଇଛି ଯାହା କଂପାନିର ସର୍ବକାଳୀନ ସର୍ବୋଚ୍ଚ ତ୍ରୈମାସିକ ଡେଲିଭରି ।
୨୦୨୨-୨୩ ଆର୍ଥିକ ବର୍ଷରେ ଅଟୋମୋଟିଭ୍ ଓ ସ୍ୱତନ୍ତ୍ର ଉତ୍ପାଦ ଡେଲିଭରି ୫ ପ୍ରତିଶତ ବୃଦ୍ଧି ପାଇ ୨.୭ ନିୟୁତ ଟନ୍ ହୋଇଛି । ତ୍ରୈମାସିକ ଡେଲିଭରି ଚତୁର୍ଥ ତ୍ରୈମାସିକରେ ୮ ପ୍ରତିଶତ ବୃଦ୍ଧି ପାଇଛି । ବ୍ରାଣ୍ଡେଡ୍ ଉତ୍ପାଦ ଓ ରିଟେଲ୍ କ୍ଷେତ୍ର ଡେଲିଭରି ୧୧% ବୃଦ୍ଧି ପାଇ ୫.୯ ନିୟୁତ ଟନ୍ ହୋଇଛି । ଏହାର ତ୍ରୈମାସିକ ଭିତିରେ ଚତୁର୍ଥ ତ୍ରୈମାସିକରେ ଡେଲିଭରି ୧୬% ବୃଦ୍ଧି ପାଇଛି । ଶିଳ୍ପ ଉତ୍ପାଦ ଓ ପ୍ରକଳ୍ପ କ୍ଷେତ୍ରରେ ଡେଲିଭରି ୨୦୨୨-୨୩ ଆର୍ଥିକ ବର୍ଷରେ ୧୪ ପ୍ରତିଶତ ବୃଦ୍ଧି ପାଇ ୭.୨ ନିୟୁତ ଟନ୍ ହୋଇଛି । ଇ-କମର୍ସ ପ୍ଲାଟ୍‌ଫର୍ମ ଟାଟା ଷ୍ଟିଲ୍ ଆଶିଆନାରୁ ୨୦୨୨-୨୩ରେ ରାଜସ୍ୱ ୧୮% ବୃଦ୍ଧି ପାଇ ୧୭୩୦ କୋଟି ଟଙ୍କା ହୋଇଛି । ଟାଟା ଷ୍ଟିଲ୍ ୟୁରୋପର ଡେଲିଭରି ୮.୧ ନିୟୁତ ଟନ୍ ରହିଛି ।
ଅଧିଗ୍ରହଣର ତିନି ମାସ ମଧ୍ୟରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍‌ଆଇଏନ୍‌ଏଲ୍‌)ର ପରିଚାଳନାର ଶୁଭାରମ୍ଭ ହୋଇଛି ଏବଂ ଗତ ଦୁଇ ତ୍ରୈମାସିକରେ ତାହାର କ୍ଷମତା ବୃଦ୍ଧି କରାଯାଇଛି । ବର୍ତମାନ ଏହାର ବାର୍ଷିକ ଅଶୋଧିତ ଇସ୍ପାତ ସହିତ ପିଗ୍ ଆଇରନ୍ ଉତ୍ପାଦନ ୧ ନିୟୁତ ଟନ୍ ପାଖାପାଖି ରହିଛି । ଏନ୍‌ଆଇଏନ୍‌ଏଲ୍ ବିଲେଟ୍‌ରୁ ଟାଟା ଟିସ୍‌କନ୍ ରିବାର୍ ପ୍ରସ୍ତୁତ କରାଯାଉଛି ।
କଂପାନିର ଆର୍ଥିକ ଫଳାଫଳ ସମ୍ପର୍କରେ ଟାଟା ଷ୍ଟିଲ୍‌ର ଏମ୍‌ଡି ଓ ସିଇଓ ଟିଭି ନରେନ୍ଦ୍ରନ୍ କହିଛନ୍ତି ଯେ, “ଆହ୍ୱାନପୂର୍ଣ୍ଣ ପରିବେଶ ସତ୍ୱେ ୨୦୨୨-୨୩ ଆର୍ଥିକ ବର୍ଷରେ ଟାଟା ଷ୍ଟିଲ୍ ରେକର୍ଡ ଭଙ୍ଗକାରୀ ପରିଚାଳନା ପ୍ରଦର୍ଶନ ହାସଲ କରିଛି । ଆମର ସର୍ବକାଳୀନ ବାର୍ଷିକ ଉତ୍ପାଦନ ଓ ଡେଲିଭରି ସଫଳତା ୨୦୨୧-୨୨ ଆର୍ଥିକ ବର୍ଷର ରେକର୍ଡକୁ ଅତିକ୍ରମ କରିଛି ଯାହା ଆମର ଦୃଢ଼ତାର ପରିଚୟ । ଆମର ଦୃଢ଼ ମାର୍କେଟିଂ ନେଟ୍‌ୱର୍କ ଓ ଦ୍ରୁତ କ୍ରିୟାଶୀଳ ବ୍ୟବସାୟ ମଡେଲ୍ ଆମକୁ ସବୁ କ୍ଷେତ୍ରରେ ବଢ଼ିବାରେ ସକ୍ଷମ କରିଛି । ଗତ ଦୁଇ ତ୍ରୈମାସିକରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍‌ଆଇଏନ୍‌ଏଲ୍‌) ଉତ୍ପାଦନରେ ଉନ୍ନତି ଦେଖି ଆମେ ଆନନ୍ଦିତ । ଏହି ଧାରାକୁ ବଜାୟ ରଖିବା ଏବଂ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଲାଗି ଆମେ ଆମ ଦୃଢ଼ତାର ବ୍ୟବହାର ଜାରି ରଖିବୁ ।’’

Share

Leave a Reply

Your email address will not be published. Required fields are marked *

15 + 11 =