ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପକ୍ଷରୁ ଇଭି ରୋଡ୍‌ମ୍ୟାପ୍‌, ରପ୍ତାନି ସମ୍ପ୍ରସାରଣ ଯୋଜନା ଉନ୍ମୋଚିତ

୨୦୨୩-୨୪ରେ ଦୁଇଟି ନୂଆ ଇଭି ମଡେଲ୍ ଆଣିବ
କର୍ଣ୍ଣାଟକର ନର୍ସାପୁରା କାରଖାନାରେ ସ୍ୱତନ୍ତ୍ର ଇଭି ଉତ୍ପାଦନ ବ୍ୟବସ୍ଥା

ଭୁବନେଶ୍ୱର: ଭାରତରେ ଏକ ସୁସ୍ଥକର ଓ ଦୀର୍ଘସ୍ଥାୟୀ ଇଲେକ୍ଟ୍ରିକ୍ ଯାନ ବଜାର ସୃଷ୍ଟି କରିବା ପାଇଁ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ଲିମିଟେଡ୍ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଆଜି ଇଲେକ୍ଟ୍ରିକ୍ ଯାନ ରୋଡ୍‌ମ୍ୟାପ୍ ଘୋଷଣା କରାଯାଛି । ଭାରତରେ ଇଭି ବ୍ୟବସାୟ ଢାଂଚା ପ୍ରସ୍ତୁତ କରିବା ଲାଗି ଏହି ରୋଡ୍‌ମ୍ୟାପ୍ ହେଉଛି ଏକ ବ୍ଲୁ ପ୍ରିଂଟ୍ ଯେଉଁଥିରେ ଇଭି ପ୍ରଯୁକ୍ତି ଓ ଭିତିଭୂମି ମଧ୍ୟ ସାମିଲ ରହିଛି । ବିଦେଶ ବ୍ୟବସାୟର ସମ୍ପ୍ରସାରଣ ଓ ଉତ୍ପାଦନ କ୍ଷମତାରେ ବୃଦ୍ଧି ବିଷୟରେ ମଧ୍ୟ କଂପାନି ଏହାର ଭବିଷ୍ୟତ ବ୍ୟବସାୟ ମାର୍ଗ ବିଷୟରେ ଘୋଷଣା କରିଛି ।
ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ ଶ୍ରୀ ଆତସୁସି ଓଗାତା କହିଛନ୍ତି ଯେ, “ଇଲେକ୍ଟ୍ରିକ୍ ଯାନ ଓ ଫୁଏଲ୍ ସେଲ୍ ଯାନ ବିକ୍ରି ଅନୁପାତକୁ ୨୦୪୦ ସୁଦ୍ଧା ୧୦୦%କୁ ବଢ଼ାଇବା ଲାଗି ହୋଣ୍ଡାର ରହିଥିବା ବିଶ୍ୱସ୍ତରୀୟ ଲକ୍ଷ୍ୟ ଅନୁସାରେ ଫ୍ଲେକ୍ସ ଫୁଏଲ୍ ଇଂଜିନ୍‌କୁ ଉପସ୍ଥାପନ କରି ଆମେ ଆଇସିଇ ଇଞ୍ଜିନରେ ଉନ୍ନତି ଆଣିବା ଜାରି ରଖିବୁ ଏବଂ ମଡେଲ୍‌ଗୁଡ଼ିକର ଓ ବ୍ୟବସ୍ଥାର ବିଦ୍ୟୁତ୍‌କରଣକୁ ବଢ଼ାଇବା ସହିତ ବିକଳ୍ପ ଇନ୍ଧନ ଲାଗି ସରକାରଙ୍କ ନିର୍ଦେଶକୁ ପାଳନ କରିବୁ ।
ଇଭି କ୍ଷେତ୍ରରେ ଆମେ ଭାରତରେ ଶ୍ରେଷ୍ଠ ଇଭି ବ୍ୟବସାୟ ଢାଂଚା ପ୍ରସ୍ତୁତ କରିବା ଏବଂ ଦୀର୍ଘସ୍ଥାୟୀ ପରିବହନ ବିକାଶରେ ଅଗ୍ରଣୀ ରହିବା ଲାଗି ପ୍ରତିବଦ୍ଧ ରହିଛୁ । ଆମର ଇଭି ରୋଡ୍‌ମ୍ୟାପ୍ ଅନୁସାରେ ଏବେ କାର୍ଯ୍ୟକାରୀ ପର୍ଯ୍ୟାୟରେ ବିବିଧ ପ୍ରକାରର ଆକର୍ଷଣୀୟ ଇଲେକ୍ଟ୍ରିକ୍ ଯାନ ତିଆରି କରିବା ଲାଗି ସ୍ୱତନ୍ତ୍ର ଭିତିଭୂମି ସୃଷ୍ଟି କରିବା ଦିଗରେ ଆମେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛୁ । ସମାନ୍ତରାଳ ଭାବେ ଇଭି ପ୍ରଯୁକ୍ତି, ଚାର୍ଜିଂ ଭିତିଭୂମି ଓ ବିକ୍ରି ପରବର୍ତୀ ସେବା ବିକାଶ କରିବାରେ ଆମେ ନିବେଶ କରୁଛୁ ।’’
ଇଲେକ୍ଟ୍ରିକ୍ ଯାନ ଚାହିଦା ପୂରଣ କରିବା ଲାଗି କର୍ଣ୍ଣାଟକର ନର୍ସାପୁରା କାରଖାନାରେ ଏକ ସ୍ୱତନ୍ତ୍ର କାରଖାନା “ଫ୍ୟାକ୍ଟ୍ରି ଇ’ ସ୍ଥାପନ କରାଯାଉଛି । ସେହି କାରଖାନାରେ ସ୍ୱତନ୍ତ୍ର ଭାବେ ଇଲେକ୍ଟ୍ରିକ୍ ଯାନ ଉତ୍ପାଦନ କରାଯିବ । ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅନୁସାରେ ହୋଣ୍ଡାର ଇଭିରେ ସ୍ଥାନୀୟ ଭାବେ ଉତ୍ପାଦନ କରାଯାଉଥିବା ଉପକରଣ ଯଥା ବ୍ୟାଟେରି ଓ ପିସିୟୁ ଆଦି ବ୍ୟବହାର କରାଯିବ । ହୋଣ୍ଡା ଇଭିରେ ଲାଗିବାକୁ ଥିବା ମୋଟରକୁ ହୋଣ୍ଡା ଦ୍ୱାରା ଡିଜାଇନ୍ ଓ ଉତ୍ପାଦନ କରାଯିବ । ଦୀର୍ଘସ୍ଥାୟିତ୍ୱ ଉପରେ କାରଖାନାରେ ଅଧିକ ଗୁରୁତ୍ୱ ଦିଆଯିବ ଯେଉଁଥିରେ ୮୦% ନିରନ୍ତର ଉପକରଣ ଅନୁପାତ ଏବଂ ୧୦୦ ପ୍ରତିଶତ ଅକ୍ଷୟ ଶକ୍ତିରେ କାମ ହେବ । ଏହି ଉନ୍ନତ ସ୍ୱୟଂକ୍ରିୟ ବ୍ୟବସ୍ଥାରେ ୨୦୩୦ ସୁଦ୍ଧା ୧ ନିୟୁତ ଇଭି ୟୁନିଟ୍‌କୁ ପର୍ଯ୍ୟାୟକ୍ରମେ ଉତ୍ପାଦନ କରାଯିବ ।
ଏକ ଉତ୍ସର୍ଗୀକୃତ ଇଭି ପ୍ଲାଟଫର୍ମ “ପ୍ଲାଟଫର୍ମ ଇ’ ରହିବ ଯାହା ଫିକ୍ସଡ୍ ବ୍ୟାଟେରି, ସ୍ୱାପେବଲ୍ ବ୍ୟାଟେରି ଏବଂ ମଧ୍ୟମ ବର୍ଗର ଇଭି ଆଦି ବିଭିନ୍ନ ପ୍ରକାର ଇଭି ମଡେଲ୍ ପାଇଁ ମୂଳଦୁଆ ଭାବେ କାର୍ଯ୍ୟ କରିବ । ପ୍ରୋଜେକ୍ଟ ବିଦ୍ୟୁତ ଅଧୀନରେ କଂପାନି ୨୦୨୩-୨୪ ଆର୍ଥିକ ବର୍ଷରେ ଦୁଇଟି ନୂଆ ଇଭି ମଡେଲ୍ ଉନ୍ମୋଚନ କରିବ । ହୋଣ୍ଡା ମୋବାଇଲ୍ ପାୱାର ପ୍ୟାକ୍ ବ୍ୟବହାର ହେବାକୁ ଥିବା ଏହି ଗାଡ଼ି ମଧ୍ୟରୁ ପ୍ରଥମଟି ଏକ ମଧ୍ୟମ ଧରଣ ଇଭି ଏବଂ ଦ୍ୱିତୀୟଟି ସ୍ୱାପେବଲ୍ ବ୍ୟାଟେରି ଇଭି ମଡେଲ୍ ହେବ ।
ୱାର୍କସପ୍ ଇ’ ପ୍ରକଳ୍ପ ଅଧୀନରେ କଂପାନିର ଥିବା ୬୦୦୦ରୁ ଅଧିକ ନେଟ୍‌ୱର୍କ ଟଚ୍‌ପଏଂଟ୍‌ରେ ଚାର୍ଜିଂ ଷ୍ଟେସନ ସ୍ଥାପନ କରାଯିବ । କିଛି ଦିନ ପରେ ତାହାକୁ ୱାର୍କସପ୍ ଇ’ରେ ରୂପାନ୍ତରିତ କରାଯିବ ଯେଉଁଥିରେ ମିନି ବ୍ୟାଟେରି ଏକ୍ସଚେଜଂର, ଏଚ୍‌ଇଆଇଡି ବ୍ୟାଟେରି ଏକ୍ସଚେଜଂର, ଫିକ୍ସଡ୍ ବ୍ୟାଟେରି ପାଇଁ ଚାର୍ଜିଂ କେବୁଲ୍ ରହିବ । ପର୍ଯ୍ୟାୟକ୍ରମେ କଂପାନି ପକ୍ଷରୁ ପେଟ୍ରୋଲ୍ ପମ୍ପ, ମେଟ୍ରୋ ଷ୍ଟେସନ ଓ ଅନ୍ୟାନ୍ୟ ସ୍ଥାନରେ ବ୍ୟାଟେରି ସ୍ୱାପିଂ ଷ୍ଟେସନ ସ୍ଥାପନ କରାଯିବ ।
ଚଳିତ ଆର୍ଥିକ ବର୍ଷର ପ୍ରଥମ ଭାଗ ସୁଦ୍ଧା କଂପାନି ଏହାର ସବୁ ମଡେଲ୍‌କୁ ଓବିଡି୨ ନିୟମ ଏବଂ ଇ୨୦ ଫୁଏଲ୍ ନିୟମ ପାଳନ କରୁଥିବା ମାନ ଅନୁସାରେ ପ୍ରସ୍ତୁତ କରିବ । କଂପାନି ଏବେ ୧୮ଟି ମଡେଲ୍ ୩୮ଟି ଦେଶକୁ ରପ୍ତାନି କରୁଛି । କଂପାନିର ଗୁଜରାଟ କାରଖାନାରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍‌କୁ ରପ୍ତାନି କରାଯାଉଛି । ୨୦୨୩-୨୪ରେ ୨୦ଟି ମଡେଲ୍‌କୁ କଂପାନି ୫୮ଟି ଦେଶକୁ ରପ୍ତାନି କରିବ । କଂପାନି ଏହାର ଗୁଜରାଟ ସ୍ଥିତ ବିଠଲପୁର କାରଖାନାରେ ୬ ଲକ୍ଷ ସ୍କୁଟର ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ନୂଆ ଆସେମ୍ବଲି ଲାଇନ୍ ଖୁବଶୀଘ୍ର ଆରମ୍ଭ କରିବ ।

Share

Leave a Reply

Your email address will not be published. Required fields are marked *

twelve − eleven =