ମୁମ୍ବାଇର ଧରାବି ବସ୍ତିର ହେବ ମାନବ କୈନ୍ଦ୍ରୀକ ରୂପାନ୍ତରଣ: ଗୌତମ ଆଦାନି

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ମୁଷ୍ଟିଯୋଦ୍ଧା ଭାରତର ଦୁଇଟି ସ୍ଥାନ ଭ୍ରମଣ କରିରବାର ଇଚ୍ଛା ପ୍ରକଟ କରିଥିଲେ । ଗୋଟିଏ ଥିଲା ତାଜ ମହଲ ଓ ଅନ୍ୟଟି ହେଉଛି ମୁମ୍ବାଇର ଧରାବି ବସ୍ତି । ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି କହିଛନ୍ତି ଯେ ୧୯୭୦ ଶେଷ ଆଡ଼କୁ ସେ ମୁମ୍ବାଇ ଯାଇଥିଲେ ଯେଉଁ ସମୟରେ ସେ ଧରାବିରେ ପ୍ରବେଶ କରିଥିଲେ । ମୁମ୍ବାଇ ପ୍ରଦାନ କରୁଥିବା ସୁଯୋଗ ଓ ହୀରା ବ୍ୟବସାୟରେ ଚମକିବାର ନିଜ ଅଭିଳାଷ ଜଣେ ଯୁବକକୁ ମୁମ୍ବାଇ ଟାଣିନେଇଥିଲେ । ସେହି ସମୟରେ ବି ଧରାବି ଥିଲା ବିଭିନ୍ନ ବିଶ୍ୱାସ, ସଂସ୍କୃତି ଓ ଭାଷାର ସମାହାର । ସେଥିରେ ଭାରତର ବିଭିନ୍ନ କୋଣ ଅନୁକୋଣର ଲୋକ ବାସ କରୁଥିଲେ । ସେହି ସମୟରେ ବି ବସ୍ତିରେ ଶିଳ୍ପାୟନର ଏକ ଭାବ ରହିଥିଲା । ସେହି ସମୟର ଧରାବି ଗସ୍ତ ବେଶ ବିନମ୍ର ଓ ଉଦବେଗଜନକ ଥିଲା । ଲୋକମାନେ ବଂଚିବା ପାଇଁ ସଂଘର୍ଷ କରୁଥିଲେ । ସେମାନଙ୍କ ଜୀବନରେ କେବେ ପରିବର୍ତନ ହେବ ନା ନାହିଁ ସେହି ପ୍ରଶ୍ନ ସର୍ବଦା ମୋ ମନରେ ଉଙ୍କି ମାରୁଥିଲା ।
ମୁମ୍ବାଇ ବିମାନବନ୍ଦରର ଅବତରଣ ଆଡ଼କୁ ଏକ ବିଶାଳ ବସ୍ତି ଭାବେ ଧରାବି ବିସ୍ତାରିତ ହୋଇ ରହିଛି । ମୁମ୍ବାଇ କିଭଳି ସବୁ ବର୍ଗଙ୍କୁ ଗ୍ରହଣ କରିିନିଏ ସେହି ବାର୍ତାକୁ ଧରାବି ପ୍ରଦାନ କରୁଥିବା ବେଳେ ସହରାଚଂଳରେ ଲୋକମାନେ ବଂଚିବା ପାଇଁ କିଭଳି ସଂଘର୍ଷ କରୁଛନ୍ତି ତାହା ବି ଏହା ମନେ ପକାଇ ଦେଉଛି । ଯେତେବେଳେ ଧରାବିର ପୁନଃବିକାଶ ସୁଯୋଗ ଆସିଲା ମୁଁ ସଙ୍ଗେ ସଙ୍ଗେ ତାହାକୁ ଦୁଇ ହାତରେ ଗ୍ରହଣ କରିନେଲି ବୋଲି ଆଦାନି କହିଛନ୍ତି । ଧରାବି ସହିତ ମୋର ବ୍ୟକ୍ତିଗତ ସମ୍ପର୍କ ଯୋଗୁଁ ବୋଧହୁଏ ଆମେ ଦାଖଲ କରିଥିବା ବିଡ୍ ଆମ ନିକଟତମ ବିଡ୍ ମୂଲ୍ୟଠାରୁ ଅଢ଼େଇ ଗୁଣ ଅଧିକ ଥିଲା ।
ଗୌରବ ଓ ଉଦ୍ଦେଶ୍ୟର ଏକ ନୂଆ ଅଧ୍ୟାୟ ଆରମ୍ଭ ହେଉଛି । ସମ୍ମାନ, ସୁରକ୍ଷା ଓ ଅନ୍ତର୍ଭୁକ୍ତୀକରଣର ଏକ ନୂଆ ଧରାବି ସୃଷ୍ଟି କରିବାର ସୁଯୋଗ ଆମକୁ ମିଳିଛି । ଆମେ ଏହି ଅମଡ଼ା ବାଟରେ ଯାତ୍ରା ଆରମ୍ଭ କରୁଥିବା ବେଳେ ଆଗକୁ ରହିଥିବା ଆହ୍ୱାନଗୁଡ଼ିକ ବିଷୟରେ ଆମେ ସଚେତନ ରହିଛୁ । ୧୯୬୦ରେ ସିଙ୍ଗାପୁରରେ ଦେଖାଦେଇଥିବା ଆକର୍ଷଣୀୟ ପ୍ରକଳ୍ପଗୁଡ଼ିକ ଭଳି ଧରାବି ହେଉଛି ତିନିଟି କାରଣରୁ ଏକ ସ୍ୱତନ୍ତ୍ର ପ୍ରକଳ୍ପ । ପ୍ରଥମଟି ହେଉଛି ଏହା ହେଉଛି ବିଶ୍ୱର ସର୍ବବୃହତ ସହରାଚଂଳ ବସତି ଓ ପୁନଃବିକାଶ ପ୍ରକଳ୍ପ । ସେଥିରେ ପ୍ରାୟ ଏକ ନିୟୁତ ଲୋକଙ୍କ ପୁନର୍ବାସ ଓ ଥଇଥାନ କରିବାକୁ ପଡ଼ିବ । ଦ୍ୱିତୀୟରେ ଥଇଥାନ କେବଳ ଆବାସିକ ସ୍ଥଳ ନୁହେଁ ବିଭିନ୍ନ ଆକାର, ଆକୃତି, ବ୍ୟବସାୟ, ସପିଙ୍ଗ ଓ ଅନ୍ୟାନ୍ୟ କାରବାରର ହେବ । ଧରାବିରେ ସଫଳତାର ସହ ଜାରି ରହିଥିବା ବ୍ୟବସାୟର ଥଇଥାନ କରିବାକୁ ହେବ । ତୃତୀୟ କାରଣଟି ହେଉଛି ଏଥିରେ ଉଭୟ ଯୋଗ୍ୟ ଓ ଯୋଗ୍ୟ ନଥିବା ବାସିନ୍ଦାଙ୍କ ବ୍ୟାପକ ଓ ସାମଗ୍ରିକ ପୁନଃବିକାଶ କରିବାକୁ ହେବ ।
ଧରାବିର ପୁନଃବିକାଶକୁ ନେଇ କୌଣସି ନିର୍ଦ୍ଦିଷ୍ଟ ଚିନ୍ତାଧାରା ବା ଆଗୁଆ ପ୍ରସ୍ତୁତ ଯୋଜନା ନାହିଁ । ଏହାର ମାନବ କୈନ୍ଦ୍ରୀକ ରୂପାନ୍ତରଣ ହେବ ଯାହାର ମଝିରେ ରହିବେ ମଣିଷ । ଲୋକମାନଙ୍କ ମତାମତ ଓ ଭାବାବେଗକୁ ଯଥା ସମ୍ଭବ ଗୁରୁତ୍ୱ ଦିଆଯିବ । ଏଭଳି ଏକ ବ୍ୟବସ୍ଥା ବିକାଶ କରାଯିବ ଯେଉଁଥିରେ କେବଳ ଧରାବି ନୁହେଁ ମୁମ୍ବାଇର ପ୍ରତିଭାବାନମାନେ ମଧ୍ୟ ଯୋଗଦାନ କରିପାରିବେ । ପୁରୁଣା ଧରାବିର ଭାବକୁ ବଜାୟ ରଖି ନୂଆ ଧରାବିରେ ମୁମ୍ବାଇର ଭାବ ସ୍ପଷ୍ଟ ପ୍ରତିଫଳିତ ହେବ । ଯେଉଁଥିରେ ରହିବ ଭାବ, ଜିଦ୍‌, ବିବିଧତାରେ ଏକତା, ବର୍ଣ୍ଣ ଓ ସଂକଳ୍ପର ସମାହାର ଯାହା ହେଉଛି ମୁମ୍ବାଇର ପରିଚୟ ।
ଧରାବିର ଯୋଗ୍ୟ ବାସିନ୍ଦାମାନେ ସେମାନଙ୍କ ନୂଆ ଘର ନିର୍ମାଣକୁ ଦେଖିପାରିବେ ଓ ପରାମର୍ଶ ମଧ୍ୟ ଦେଇପାରିବେ । ସେମାନଙ୍କୁ ଗ୍ୟାସ, ପାଣି, ବିଦ୍ୟୁତ, ପରିମଳ, ଡ୍ରେନେଜ, ସ୍ୱାସ୍ଥ୍ୟ ସେବା ଓ ଚିତବିନୋଦନ ସୁବିଧା ସହିତ ଖୋଲା ସ୍ଥାନ, ବିଶ୍ୱସ୍ତରୀୟ ହସ୍ପିଟାଲ୍ ଓ ସ୍କୁଲ ପ୍ରଦାନ କରାଯିବ ।
ଆଦାନି କହିଛନ୍ତି ଯେ ମୁଁ ଧରାବିକୁ ଏକ ଆଧୁନିକ ସହର ପେଣ୍ଠସ୍ଥଳ ଭାବେ ରୂପାନ୍ତରୀତ କରିବାକୁ ଚାହୁଛି ଯାହା ସେଠାରେ ଥିବା ଲଘୁ ସଂସ୍ଥା ଓ କ୍ଷୁଦ୍ର ଶିଳ୍ପର ବିକାଶ ପାଇଁ ପଥ ପ୍ରଦର୍ଶନ କରିବ ଏବଂ ଯୁବକ ଓ ମହିଳାମାନଙ୍କ ଲାଗି ନୂଆ ନିଯୁକ୍ତି ସୃଷ୍ଟି କରିବ । ନାଗରିକ ସମାଜ ଓ ବିଶେଷଜ୍ଞମାନଙ୍କ ସହଯୋଗରେ ସେହି ଲକ୍ଷ୍ୟ ହାସଲ କରିବାକୁ ଉଦ୍ୟମ କରାଯିବ । ଦକ୍ଷତା ବିକାଶ, ଗବେଷଣା ଓ ବିକାଶ କେନ୍ଦ୍ର, ଡାଟା କେନ୍ଦ୍ର, ଏମ୍‌ଏସ୍‌ଏମ୍‌ଇ ହେଲ୍‌ପ ଡେସ୍କ ଆଦି ସୁବିଧା ସେଥିରେ ରହିବ ।
ଧରାବିକୁ ପୂର୍ବରୁ ମଧ୍ୟ ପୁନଃବିକାଶ କରିବା ଲାଗି ଉଦ୍ୟମ କରାଯାଇଥିଲା । ସେହି ସମୟରେ ମିଳିଥିବା ଶିକ୍ଷାକୁ ନେଇ ଏଥରର ବିଡ୍ ପ୍ରସ୍ତୁତ କରାଯାଇଛି । ଏଥ୍‌ିରେ ବସ୍ତି ନିକଟରେ ଥିବା ୪୫ ଏକର ରେଳବାଇ ଜମିକୁ ବି ସାମିଲ କରାଯାଇଛି । ରାଜ୍ୟ ସରକାର, ମହାରାଷ୍ଟ୍ରର ରାଜନୈତିକ ଦଳ, କେନ୍ଦ୍ର ସରକାର ଓ ରେଳବାଇର ସହଯୋଗ ବିନା ଏହି ପ୍ରକଳ୍ପର ପରିକଳ୍ପନା ସମ୍ଭବ ନଥିଲା ।
ମୁଁ ଭଲ ଭାବେ ଜାଣିଛି ଯେ ଆମ ଟିମ୍ ଓ ମୋ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଏକ ବହୁତ ବଡ଼ ଆହ୍ୱାନ । ଆମ ଦକ୍ଷତା, ସ୍ଥାୟିତ୍ୱ ଓ କାର୍ଯ୍ୟକାରିତା କ୍ଷମତାର ଏହା ପରୀକ୍ଷା ନେବ । ଆମେ ଆଶା କରୁଛୁ ଯେ ଆମ ଅଭିଜ୍ଞ ଟିମ୍ ଓ ସବୁ ଅଂଶୀଦାରଙ୍କ ସହଯୋଗରେ ଆମେ ଇତିହାସ ସୃଷ୍ଟି କରିପାରିବା ଓ ଧରାବି, ମୁମ୍ବାଇ ଓ ଭାରତକୁ ଗର୍ବିତ କରିପାରିବା ।ପୁଣି ଥରେ ମାଇକ୍ ଟାଇସନ୍ ମୁମ୍ବାଇ ଆସିଲେ ଧରାବିକୁ ଚିହ୍ନିପାରିବେ ନାହିଁ । ହଲିଉଡ୍ ନିର୍ଦ୍ଦେଶକ ଡାନି ବଏଲ୍ ଦେଖିବେ ଧରାବିରୁ ମିଲିଓନେୟାର ସୃଷ୍ଟି ହେଉଛନ୍ତି ଓ ତା’ ପଛରେ କୌଣସି ସ୍ମଲଡଗ୍ ଶବ୍ଦ ଲାଗିବ ନାହିଁ ।

Share

Leave a Reply

Your email address will not be published. Required fields are marked *

three × 5 =