ଆଇଆଇଏମ୍ ସମ୍ବଲପୁରରେ ୨୧ ଜଣ ବୁଣାକାର ଗ୍ରହଣ କଲେ ବୟନ ମନ୍ତ୍ରଣାଳୟର ଆର୍ଥିକ ସହାୟତା

ଭୁବନେଶ୍ୱର: ଭାରତର ଅଗ୍ରଣୀ ମ୍ୟାନେଜମେଂଟ୍ ପ୍ରତିଷ୍ଠାନ ଆଇଆଇଏମ୍ ସମ୍ବଲପୁରରେ ଆୟୋଜିତ ତାନା-ବାନା ଜିଲ୍ଲା ହସ୍ତତନ୍ତ ପ୍ରଦର୍ଶନୀ-୨୦୨୩ର ତୃତୀୟ ଦିବସରେ “ସ୍କିମ୍ ଲାଭ ବଂଟନ’ ସମାରୋହରେ ଓଡ଼ିଶାର ୨୧ ଜଣ ବୁଣାକାର ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟର ଆର୍ଥିକ ସହାୟତା ହାସଲ କରିଛନ୍ତି । ଏହି ଅବସରରେ ସମାଜସେବୀ ତଥା ବଦାନ୍ୟ ବ୍ୟକ୍ତି ଶ୍ରୀମତୀ ମୃଦୁଳା ପ୍ରଧାନ, ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୈସୱାଲ୍ ଓ ରେଙ୍ଗାଲି ବିଧାୟକ ନାଉରି ନାୟକ ବୁଣାକାରମାନଙ୍କୁ ଆର୍ଥିକ ସହାୟତା ଚେକ୍ ହସ୍ତାନ୍ତର କରିଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ନାଉରି ନାୟକ କହିଛନ୍ତି ଯେ, “ସାରା ଦୁନିଆରେ ସମ୍ବଲପୁରୀ ବସ୍ତ୍ର ଲୋକପ୍ରିୟ ଥିବାରୁ ଏହି ପ୍ରଦର୍ଶନୀ ହେଉଛି ଗର୍ବର ବିଷୟ । ସ୍ଥାନୀୟ ହସ୍ତତନ୍ତ ଉତ୍ପାଦ ବିକ୍ରିରେ ଏହି ପ୍ରଦର୍ଶନୀ ସହାୟକ ହେବ ।’’
ସ୍ୱତନ୍ତ୍ର ଅତିଥି ଶ୍ରୀମତୀ ମୃଦୁଳା ପ୍ରଧାନ କହିଛନ୍ତି ଯେ, “ଏମବିଏ ପାଠପଢ଼ା ଶେଷ ହେବା ପରେ ଛାତ୍ରଛାତ୍ରୀମାନେ ସ୍ଥାନୀୟ ହସ୍ତତନ୍ତ ଉତ୍ପାଦକୁ ନେଇ ଷ୍ଟାର୍ଟଅପ୍ ଆରମ୍ଭ କରିବା ଉଚିତ କାରଣ ବୁଣାକାରମାନେ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପାଉନାହାନ୍ତି । ଷ୍ଟାର୍ଟଅପ୍ ଜରିଆରେ ସମ୍ବଲପୁରୀ ଉତ୍ପାଦର ବିଶ୍ୱସ୍ତରରେ ପ୍ରସାର ହୋଇପାରିବ ।’’
ସ୍ୱାଗତ ଭାଷଣରେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ମହାଦେଓ ଜୈସ୍‌ୱାଲ କହିଛନ୍ତି ଯେ, “ଓଡ଼ିଶାର କଳା, ସଂସ୍କୃତି ଓ ସ୍ଥାନୀୟ ଉତ୍ପାଦକୁ ଜାତୀୟ ସ୍ତରରେ ପ୍ରସାର କରିବା ଦିଗରେ ଆଇଆଇଏମ୍ ସମ୍ବଲପୁର କାର୍ଯ୍ୟ କରୁଛି । ଲୋକମାନେ କିଭଳି ପ୍ରାକୃତିକ ଉତ୍ପାଦରୁ ଉପକୃତ ହୋଇପାରିବେ ଏବଂ ଉଦ୍ୟମିତାର ସଂସ୍କୃତି ସୃଷ୍ଟି ହେବ ସେ ଦିଗରେ ମଧ୍ୟ ଆଇଆଇଏମ୍ ସମ୍ବଲପୁର କାର୍ଯ୍ୟ କରୁଛି । ଜାତୀୟ ସ୍ତରରେ ସ୍ଥାନୀୟ ହସ୍ତତନ୍ତର ପ୍ରସାର କରିବା ଲାଗି ଆମେ ବୁଣାକାରଭାଲି ଡଟ୍ କମ୍ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛୁ । ଫ୍ଲିପ୍‌କାର୍ଟ ଓ ସିଡ୍‌ବି ସହ ଆଇଆଇଏମ୍ ସମ୍ବଲପୁରର ଏମ୍‌ଓୟୁ ଅନୁସାରେ ଡିଜିଟାଲ ପ୍ଲାଟଫର୍ମରେ ହସ୍ତତନ୍ତର ପ୍ରସାର କରାଯାଉଛି ।’’
ଏହି ପ୍ରଦର୍ଶନୀରେ ୧୧ ଜଣ ବୁଣାକାରଙ୍କୁ କାର୍ଯ୍ୟସ୍ଥଳ (ୱାର୍କସେଡ୍‌) ପାଇଁ ୧.୨୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦା କରାଯାଇଥିବା ବେଳେ ୧୦ ବୁଣାକାରଙ୍କୁ ଆଲୋକ ବାବଦ ସହାୟତା ଭାବେ ୧୫ ହଜାର ଟଙ୍କା ଲେଖାଏଁ ଦିଆଯାଇଥିଲା । ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟର ବାହ୍ୟ କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ ସ୍କିମ୍ ଅଧୀନରେ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ହସ୍ତତନ୍ତ କାର୍ଯ୍ୟ ସ୍ଥଳ ନିର୍ମାଣ କରିବା ଲାଗି ୱାର୍କସେଡ୍ ସହାୟତା ଓ ସୌର ଶକ୍ତି ୟୁନିଟ୍ କିଣିବା ଲାଗି ଆଲୋକ ବାବଦ ସହାୟତା ବ୍ୟବହାର ହେବ ।
ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଏହି ସମାରୋହର ଶୁଭାରମ୍ଭ ହୋଇଥିଲା । ଶ୍ରୀମତୀ ପ୍ରଧାନ ପ୍ରଦର୍ଶନୀ ପରିଦର୍ଶନ କରି ବୁଣାକାରମାନଙ୍କ ସହ ଆଲୋଚନା କରିଥିଲେ । ସହକାରୀ ପ୍ରଫେସର ଆନନ୍ଦ ହିନ୍ଦୋଳିଆ ଧନ୍ୟବାଦ ଅର୍ପଣ କରିଥିଲେ ।
ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟ ଓ ଭୁବନେଶ୍ୱରର ୱିଭର୍ସ ସର୍ଭିସ୍ ସେଂଟର ସହଯୋଗରେ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ୫-ଦିନିଆ ପ୍ରଦର୍ଶନୀ ଆୟୋଜନ କରାଯାଇଛି । ଏଥିରେ ବିଭିନ୍ନ ଶାଢ଼ି, ବେଡ୍‌ସିଟ୍‌, ଡ୍ରେସ୍ ମାଟେରିଆଲ୍‌, ଟେବୁଲ ରନର, ଛତା ଓ ବିଭିନ୍ନ କପଡ଼ା ଉତ୍ପାଦ ଆଦି ସାମିଲ ରହିଛି ଯାହାକୁ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଅନୁସାରେ ପ୍ରଦର୍ଶିତ କରାଯାଇଛି । ଏହି ପ୍ରର୍ଶନୀକୁ ବହୁ ସଂଖ୍ୟାରେ ଲୋକ ବୁଲି ଦେଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × five =