କରୋନା ଯୋଦ୍ଧା ପାଲଟିଛନ୍ତି ମହିଳା ସ୍ୱୟଂ ସହାୟିକା

ଭୁବନେଶ୍ୱର () କରୋନା ଏବେ ଓଡ଼ିଶାରେ ନିଜ ବିଛେଇବା ଆରମ୍ଭ କରିଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଏକାଧିକ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ଏଭିତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି । କେନ୍ଦ୍ର ଠାରୁ ରାଜ୍ୟ ପର୍ଯ୍ୟନ୍ତ ସମସ୍ତେ ଲାକଡାଉନକୁ ସଫଳ କରିବାକୁ ଲାଗିଛନ୍ତି । ଏଦିଗରେ ମହିଳା ମାନେ ସରକାରଙ୍କ ଲକ୍ଷ୍ୟ ପୁରାଣର ବଳିଷ୍ଠ ମାଧ୍ୟମ ସାଜିଛନ୍ତି । ମାସ୍କ ନିର୍ମାଣ ଠାରୁ ଆରମ୍ଭ କରି ଗାଁରେ ଲୋକଙ୍କ ଘରେ ଘରେ ରାସନ ପହଁଚାଉଛନ୍ତି । 

ଗାଁରେ କରୋନା ଚେନକୁ ଭାଙ୍ଗିବାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଆନ୍ତରିକତାର ସହ ଉଦ୍ୟମ କରୁଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତୃଣମୂଳ ସ୍ତରରେ ନାରୀ ଶକ୍ତିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦ୍ଵାରା 2001ରେ ଗଠନ କରାଯାଇଥିବା ମିଶନ ଶକ୍ତିର ଅଂଶ ବିଶେଷ । ସମଗ୍ର ମାନବ ଜାତି ଯେଉଁ ସମୟରେ ଏକ ବଡ ବିପତ୍ତି ଦେଇ ଗତିକରୁଛି, ସେ ସମୟରେ ଏହି ମହିଳାମାନେ ପରିବର୍ତ୍ତନର ଏଜେଣ୍ଟ ସାଜିଛନ୍ତି । ମିଶନ ଶକ୍ତି ସଦସ୍ୟମାନେ ସବୁ ଜିଲ୍ଲାରେ ଦିନରାତି ଏକ କରି ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ଦୁଆର ମୁହଁରେ ପହଞ୍ଚାଉଛନ୍ତି । ଅତ୍ୟାବଶ୍ୟକ ସମାଗ୍ରୀ ଦେବାସହ ଲୋକଙ୍କୁ କରୋନା ନେଇ ସଚେତନତାର ବାର୍ତ୍ତା ଦେଉଛନ୍ତି । 

କରୋନା ଲକଡାଉନରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଗୁରୁବା । ତେଣୁ ଗାଁରେ କୌଣସି ଜଣେ ହେଲେ ଲୋକ ଭୋକିଲା ପେଟରେ ରହିବେ ନାହିଁ ବୋଲି ଚିନ୍ତାକରି ମୁଖ୍ୟମନ୍ତ୍ରୀ କମ୍ୟୁନିଟି କିଚେନର ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ବିରାଟ ଅଭିଯାନର ଭାରା ବି ମୁଣ୍ଡାଇଛନ୍ତି ମହିଳା । ରାଜ୍ୟରେ ପ୍ରାୟ 379ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସେମାନଙ୍କ ସଂଗଠନ ଏହି କାର୍ଯ୍ୟରେ ଲାଗିଛନ୍ତି । 

29 ମାର୍ଚ୍ଚରେ ପ୍ରାୟ 369ଟି ପଂଚାୟତ ଓ 10ଟି ସହରାଂଚଳରେ କମ୍ୟୁନିଟି କିଚେନ କାର୍ଯ୍ୟକ୍ଷମ ହୋଇଛି । ଏଥିରେ 23 ହଜାର 457 ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି । ଖୁବଶୀଘ୍ର ଅନ୍ୟ ପଂଚାୟତ ଓ ପୋୖରାଞ୍ଚଳରେ ବି କମ୍ୟୁନିଟି କିଚେନ କାର୍ଯ୍ୟକ୍ଷମ ହେବ । ଏହିସବୁ କମ୍ୟୁନିଟି କିଚେନରେ 10 ଲକ୍ଷ ଗରିବ ଲୋକଙ୍କୁ ଲାକଡାଉନ ସରିବା ଯାଏଁ ମାଗଣା ରନ୍ଧା ଖାଦ୍ୟ ଦିଆଯିବ । ରନ୍ଧା ଖାଦ୍ୟ ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଲୋକଙ୍କ ଘରେ ରନ୍ଧା ଖାଦ୍ୟ ପହଂଚାଉଛନ୍ତି । ଏହି ପରିପ୍ରେକ୍ଷୀରେ 25 ଟଙ୍କାରେ ଲୋକଙ୍କ ଘରେ ରନ୍ଧା ଖାଦ୍ୟ ପ୍ୟାକେଟ ପହଞ୍ଚାଇବାକୁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ନେଇଥିବା ପଦକ୍ଷେପକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି । ଅନ୍ୟ ଜିଲ୍ଲାଗୁଡିକ ଏହାକୁ ଆପଣେଇବାକୁ ଚିନ୍ତା କରୁଛନ୍ତି । 

ଏହାଭିନ୍ନ ଗଂଜାମ, କେନ୍ଦ୍ରାପଡା, ମୟୁରଭଞ୍ଜ, ସୋନପୁର, ପୁରୀ ଓ ଅନ୍ୟାନ ଜିଲ୍ଲାର ମହିଳା ସ୍ଵୟଂ ସହାୟକ ଗୋଷ୍ଠିମାନେ କରୋନା ମାସ୍କ, ସାନିଟାଇଜର ପ୍ରସ୍ତୁତି ସହ ଲୋକଙ୍କ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାର ଗୁରୁ ଦାୟିତ୍ୱ ବି ତୁଲାଉଛନ୍ତି । ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବାରେ ମହତ୍ୱପୂର୍ଣ ଭୂମିକା ନେଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବେ କରୋନା ଯୋଦ୍ଧା ପାଲଟିଛନ୍ତି ।

Share

Leave a Reply

Your email address will not be published. Required fields are marked *

17 − 5 =