ରାଜ୍ୟ ପାଇଁ କଳାହାଣ୍ଡି ରୋଲ ମଡେଲ

ଭୁବନେଶ୍ୱର () କଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟସେବା ଏବେ ରାଜ୍ୟର ଅନ୍ୟ ଡାକ୍ତରଖାନା ପାଇଁ ରୋଲ ମଡେଲ ହୋଇଛି । ଅନ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକ ମଧ୍ୟ କଳାହାଣ୍ଡି ମଡେଲକୁ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ସେହି ଜିଲ୍ଲାରେ ଚାଲିଥିବା ସଫଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ତାଲିକା ବି ଜାରି ହୋଇଛି ।

ମୋ ସରକାର ଟିମ୍‍ ସ୍ୱାସ୍ଥ୍ୟସେବା ଅନୁଧ୍ୟାନ ନେଇ ଗସ୍ତ କରିଥିବା ୬ଟି ଜିଲ୍ଲାର ସମୀକ୍ଷା ଆଜି ମୁଖ୍ୟମନ୍ତ୍ରୀ ଏହି ପରାମର୍ଶ ଦେଇଛନ୍ତି । ଏଥି ସହିତ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳ, ସିଡିଏମ୍‍ଓ ଓ ଏସ୍‍ପିଙ୍କ ସହିତ ଭିଡିଓ କନ୍‍ଫରେନ୍ସି ଜରିଆରେ ସିଧାସଳଖ କଥା ବି ହୋଇଛନ୍ତି ।

କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ ସମସ୍ତ ସେବା ସହ ଲୋକଙ୍କୁ ସୁସ୍ଥ ରହିବାର ଟିପିସ ସମ୍ପର୍କରେ ଏକ ୭୫ ଟିକିଆ ସ୍ୱାସ୍ଥ୍ୟସେବା ତାଲିକା ପ୍ରକାଶ କରିଛି ।  ରୋଗୀଙ୍କୁ ମାଗଣା ଔଷଧ ଯୋଗାଣ ଠାରୁ ଆରମ୍ଭକରି ସେମାନଙ୍କୁ ମାନସିକ ଶାନ୍ତି ପ୍ରଦାନର ବିଭିନ୍ନ ସୂତ୍ର ରହିଛି । ଲୋକେ କିଭଳି ସରକାରୀ ଡାକ୍ତରଖାନାକୁ ଆସି ବିନା ମୂଲ୍ୟରେ ଚିକିତ୍ସାସେବା ପାଇବେ ସେଥିପାଇଁ ଗୋଟି ଗୋଟି କରି ତାଲିକା ଜାରି ହୋଇଛି । ଏଥି ମଧ୍ୟରେ ଉତ୍ତମ ଚିକିତ୍ସା ଠାରୁ ଆରମ୍ଭକରି ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ବି ଅଛି ।

ନିକଟରେ ମୋ ସରକାର ଟିମ୍‍ କଳହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରିବା ସମୟରେ ସଦର ମହୁକୁମା ଡାକ୍ତରଖାନାର ଡାଏଲିସିସ୍‍ ଠାରୁ ଆରମ୍ଭକରି ସ୍ତ୍ରୀ ଓ ପ୍ରସୂତୀ ଗୃହ ପର୍ଯ୍ୟନ୍ତ ସମସ୍ତ ସ୍ଥାନ ବୁଲି ଦେଖିବା ସହିତ ରୋଗୀଙ୍କ ସହ ସିଧାସଳଖ କଥା ହୋଇଥିଲେ । ସେତେବେଳେ ଜିଲ୍ଲାର ସ୍ୱାସ୍ଥ୍ୟସେବା ନେଇ ସନ୍ତୋଷ ପ୍ରକଟ କରିଥିଲେ ।

ଉଲ୍ଲେଖନୀୟ ଯେ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଣ ସହିତ ଡାକ୍ତରଖାନାର ପରିବେଶ ସଫା ସୁତରା ପାଇଁ ୧୨ ମାନଦଣ୍ଡରେ ଉତ୍ତୀର୍ଣ୍ଣ ହୋଇ କଳାହାଣ୍ଡି ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବାବେଳେ ଗତ ଅଗଷ୍ଟ ମାସରେ ଜିଲ୍ଲା ଦୁଇ ଦୁଇଟି ଲକ୍ଷ୍ୟ ପୁରସ୍କାର ପାଇଥିଲା । ଏହା ପୂର୍ବରୁ ଜିଲ୍ଲାକୁ ମଧ୍ୟ ଜାତୀୟ ସ୍ତରରେ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଥିଲା ।

ରାଜ୍ୟ ସରକାର ପ୍ରଥମେ ଡାକ୍ତରଖାନା ଓ ଥାନା ଗୁଡିକରେ ମୋ ସରକାର କାର୍ଯ୍ୟକ୍ରମ ଗ୍ରହଣକରିବାରେ ଏହା କିଭଳି ଜିଲ୍ଲାରେ ଠିକଣା ଭାବେ କାର୍ଯ୍ୟକାରୀ ହେବ ସେଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବନ ଲତା ଦେବୀ ଉଦ୍ୟମ ଜାରି ରଖିଥିବାବେଳେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ପ୍ରଶାସନର ଅନ୍ୟ ଅଧିକାରୀମାନେ ମଧ୍ୟ ସହଯୋଗର ହାତ ବଢାଇଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶପରେ ରାଜ୍ୟର କେବିକେ ଜିଲ୍ଲା ତାଲିକାରେ ଥିବା ଆଦିବାସୀ ଓ ନକ୍ସଲ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସମଗ୍ର ରାଜ୍ୟପାଇଁ ଉଦାହରଣ ପାଲଟିଛି ।

ଆଲୋଚନାକାଳରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ଗ୍ରହଣ କରାଯାଇଥିବା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ତାରିଫ କରିବା ସହିତ ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

two + 2 =