ଜନ୍ମଦିନ ଉପହାର : କନ୍ଧମାଳରେ ହେବ ମେଡିକାଲ କଲେଜ

ମାର୍ଚ୍ଚ 2020 ସୁଦ୍ଧା ସବୁ ବିଭାଗରେ କାର୍ଯ୍ୟକାରୀ ହେବ ମୋ ସରକାର

ଭୁବନେଶ୍ବର () ରାଜ୍ୟର ସବୁ ଅବିଭକ୍ତ ଜିଲ୍ଲାରେ ହେବ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ 500 ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ପ୍ରତିଷ୍ଠା ହେବ । ମୋ ସରକାର ଟିମର ଦ୍ବିତୀୟ ଗସ୍ତ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି ।

ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପରିସରରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଏକ ବିସ୍ତ୍ରୁତ ଯୋଜନା ପ୍ରସ୍ତୁତ କରାଯିବ । ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଆଶ୍ରୟସ୍ଥଳୀ ପ୍ରତିଷ୍ଠା ହେବା ସହ ରୋଗୀ କଲ୍ୟାଣ ପାଇଁ ରୋଗୀ କଲ୍ୟାଣ ସମିତିକୁ 15 ଲକ୍ଷ ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ । ନୂଆପଡା, ରାୟଗଡା, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଏସପିଙ୍କୁ 10 ଲକ୍ଷ ଟଙ୍କା ଦିଆଯିବ । ଏହି ଅର୍ଥ ସେମାନେ ରକ୍ତଦାନ କାର୍ଯ୍ୟକ୍ରମ ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ କରିବେ ।

ବୌଦ୍ଧ ଜିଲ୍ଲାରେ ଏକ 200 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା ହେବ । ଏଥିପାଇଁ ଜେଲର ଅବ୍ୟବହୃତ ଜମି ପ୍ରଦାନ କରାଯିବ । ଏହି ପ୍ରକ୍ରିୟା ଏକ ମାସ ମଧ୍ୟରେ ଶେଷ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ହରଭଙ୍ଗା ବ୍ଲକରେ ଦେଖାଦେଇଥିବା ଗୁରୁତ୍ତର କିଡନୀ ରୋଗର କାରଣ ଓ ନିରାକରଣ ପାଇଁ ଖୁବଶୀଘ୍ର ଏକ ଡାକ୍ତରୀ ଟିମ ସେଠାକୁ ଗସ୍ତ କରିବେ । ଏଥିସହିତ ଜିଲ୍ଲା ଡାକ୍ତରଖାନାକୁ ଏକ ଆମ୍ବୁଲାନ୍ସ ଓ ଏକ ମହାପ୍ରାୟଣ ଗାଡି ମଧ୍ୟ ଯୋଗାଇଦିଆଯିବ ।

ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶଯ୍ୟା ସଂଖ୍ୟା ସେହିଭଳି 250କୁ ବୃଦ୍ଧି କରାଯିବା ସହ ଆଉ 100 ଶଯ୍ୟା ବିଶିଷ୍ଟ ନୂଆ ଡାକ୍ତରଖାନା ବିଲ୍ଡିଂ ସେହି କ୍ୟାମ୍ପସରେ ପ୍ରତିଷ୍ଠା ହେବ । ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ମଧ୍ୟ ଦୁଇଟି ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡି ଯୋଗାଇଦିଆଯିବ । କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମଧ୍ୟ ଆଉ 100 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା ହେବ । ଏହି ଜିଲ୍ଲାକୁ ତିନୋଟି ନୂଆ ଆମ୍ବୁଲାନ୍ସ ସହ ଦୁଇଟି ମହାପ୍ରୟାଣ ଗାଡି ଦିଆଯିବ । ରାୟଗଡା ଜିଲ୍ଲା କାଶିପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଜଳ ଯୋଗାଣ ଓ କର୍ମଚାରୀଙ୍କ ପାଇଁ କ୍ବାଟର ନିର୍ମାଣ କରାଯିବ । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାକୁ 4ଟି ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡି ଦିଆଯିବ । ନୂଆପଡା ଜିଲ୍ଲାକୁ ସେହିଭଳି ଗୋଟିଏ ଆମ୍ବୁଲାନ୍ ଓ ଗୋଟିଏ ମହାପ୍ରୟାଣ ଗାଡି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ମୋ ସରକାର ସମ୍ପର୍କରେ ସାଧାରଣ ଲୋକଙ୍କ ମତାମତ ନେବା ସମୟରେ ସମସ୍ତେ ଏହି ଯୋଜନାକୁ ଚାଲୁ ରଖିବା ସହ ଅନ୍ୟାନ ବିଭାଗକୁ ସଂପ୍ରସାରିତ କରିବାକୁ ପ୍ରସ୍ତାବ ଦେଉଛନ୍ତି । ଏଭଳି ମତାମତ ଆଧାରରେ ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି ଯେ, ଏହି ଜନ ସଶକ୍ତିକରଣ ଯୋଜନାକୁ ଆହୁରି ଶକ୍ତିଶାଳୀ କରାଯିବ । ଡିସେମ୍ବର 1ତାରିଖ ସୁଦ୍ଧା ଆଉ 5ଟି ବିଭାଗକୁ ସଂପ୍ରସାରିତ ହେବା ସହ ମାର୍ଚ୍ଚା 2020 ସୁଦ୍ଧା ସବୁ ବିଭାଗରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

four × one =