ହାଇକୋର୍ଟ ବେଞ୍ଚ ପାଇଁ ଟିମ ସ୍ପିରିଟ ଦେଖାଇଲା ପଶ୍ଚିମ ଓଡିଶା

ଭୁବନେଶ୍ୱର (): ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଏକାଠି ହେଲେ ସେହିସବୁ ଜିଲ୍ଲାଗୁଡିକୁ ପ୍ରତିନିଧିତ୍ୱ କରୁଥିବା ବିଧାୟକମାନେ । ଦଳମତ ନିର୍ବିଶେଷରେ ବିଜେଡି, ବିଜେପି ଓ କଂଗ୍ରେସର ବିଧାୟକମାନେ ମିଳିତ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବିପତ୍ର ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପଶ୍ଚିମ ଓଡ଼ିଶାରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ପରାମର୍ଶ ଦେଇଛନ୍ତି ।
ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ଦୀର୍ଘଦିନ ଧରି ପଶ୍ଚିମ ଓଡ଼ିଶା ଓକିଲମାନେ ଆନ୍ଦୋଳନ ଚଳାଇଛନ୍ତି । ଏହାଦ୍ୱାରା କୋର୍ଟ କଚେରୀ ଉପରେ ନିର୍ଭର କରୁଥିବା ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗତକାଲି ଗୃହ ବିଭାଗ ପକ୍ଷରୁ ଆନ୍ଦୋଳନରତ ସଂଗଠନଗୁଡିକୁ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରାଯାଇଥିଲା । ଗୃହ ବିଭାଗର ଏହି ଅନୁରୋଧ ପରେ ଆଜି ପଶ୍ଚିମ ଓଡିଶାର ବିଧାୟକମାନେ ମିଳିତ ଭାବେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଭେଟିବାକୁ ଯାଇଥିଲେ । କିନ୍ତୁ ସେଠାରେ ଅସଫଳ ହେବା ପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ଦାବିପତ୍ର ଦେଇଛନ୍ତି ।
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନ ହେବା ଦ୍ୱାରା ପଶ୍ଚିମ ଓଡିଶାର୧୦ଟି ଜିଲ୍ଲାର ଲୋକେ ବିଭିନ୍ନ ସମୟରେ କଟକ ହାଇକୋର୍ଟ ଦୌଡି ଦୌଡି ନୟାନ୍ତ ହେଉଛନ୍ତି । ଏଥିପାଇଁ ସେଠାରେ ହାଇକୋର୍ଟର ଏକ ବେଞ୍ଚ ପ୍ରତିଷ୍ଠା କରିବାକୁ ଦୀର୍ଘଦିନରୁ ହେଉଥିବା ଦାବି ପ୍ରତି ସରକାର ଗୁରୁତ୍ୱ ଦେବାକୁ ମିଳିତ ଭାବେ ତିନି ପ୍ରମୁଖ ଦଳର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ଆଲୋଚନାସମୟରେ କହିଥିଲେଯେ, ରାଜ୍ୟ ସରକାର ମଧ୍ୟ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଆଗ୍ରହୀ । ଏଥିପାଇଁ କେନ୍ଦ୍ରକୁ ଅନୁରୋଧ ମଧ୍ୟ କରାଯାଇଛି । ଏହି ନିଷ୍ପତ୍ତି କେନ୍ଦ୍ର ଉପରେ ନିର୍ଭର କରୁଛି । ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି । ତେଣୁ ବିଧାୟକମାନେ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ସେମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ପ୍ରବର୍ତ୍ତାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ବିଧାୟକମାନଙ୍କ ଭିତରେ ଥିଲେ ବିଜେଡି ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ବିଧାୟକ ରୋହିତ ପୂଜାରୀ, କଂଗ୍ରେସ ବିଧାୟକ ନବ ଦାସ, ଯୋଗେଶ ସିଂ, ବିଜେପି ବିଧାୟକ ରବିନାରାୟଣ ନାୟକ, ପ୍ରଦୀପ ପୁରୋହିତ, ନିତେଶ ଗଙ୍ଗଦେବ ପ୍ରମୁଖ ।
Share

Leave a Reply

Your email address will not be published. Required fields are marked *

20 + eleven =