Latestରାଜ୍ୟ

ଆଜି ପବିତ୍ର ଅଁଳା ନବମୀ

କାର୍ତ୍ତିକମାସ ଶୁକ୍ଳପକ୍ଷ ନବମୀତିଥି ହେଉଛି ପବିତ୍ର ଅଁଳା ନବମୀ ବା ଧାତ୍ରୀ ନବମୀ । ଏହି ତିଥି ମଧ୍ୟ ଶ୍ରୀରାଧାପାଦ ଦର୍ଶନ ଯାତ୍ରା ରୂପେ ସୁପରିଚିତ । ବର୍ଷସାରା ଲୁଗା ଘେରରେ ଘୋଡ଼ାଇ ହୋଇ ରହିଥିବା ସାକ୍ଷୀଗୋପାଳ ସ୍ଥିତ ଶ୍ରୀରାଧାଙ୍କର ପାଦପଦ୍ମ ଦ୍ୱୟକୁ ବର୍ଷକେ ଥରେ ନବମୀଦିନ ଭକ୍ତମାନେ ଦର୍ଶନ କରିଥାନ୍ତି । ଏଥିପାଇଁ ଏହି ଦିବସ ରାଧାପାଦ ଦର୍ଶନ ନାମରେ ବିଦିତ ।

କିମ୍ବଦନ୍ତୀ ଅନୁସାରେ, ରାଜା ଉନମାଧବ ଯମୁନା ନଦୀକୂଳରୁ ଆଣିଥିବା ଶ୍ରୀକୃଷ୍ଣଙ୍କ ମଣିବିଗ୍ରହ ସାକ୍ଷାତ ମୂର୍ତ୍ତି ଭାବେ ବୃନ୍ଦାବନରେ ଅଧିଷ୍ଠିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଏହି ମଣିବିଗ୍ରହ କାଞ୍ଚିର ଜଣେ ଶ୍ରୀବତ୍ସ ବ୍ରାହ୍ମଣଙ୍କ ପାଇଁ ସାକ୍ଷୀ ଦେବା ଉଦେଶ୍ୟରେ ବୃନ୍ଦାବନରୁ ଆସି କାଞ୍ଚିରେ ପହଁଚିଥିଲେ । ସେହି ବ୍ରାହ୍ମଣ ଭକ୍ତର ଭାବ ଡୋରୀରେ ବନ୍ଧା ହୋଇ ଆଉ ବୃନ୍ଦାବନ ଫେରି ନଥିଲେ । ସେହିଠାରେ ସାକ୍ଷୀଗୋପାଳ ନାମରେ ପୂଜା ପାଇଲେ ।

ପରେ ଓଡ଼ିଶାର ରାଜା ପୁରୁଷୋତ୍ତମଦେବ କାଞ୍ଚି ବିଜୟ କରି ପ୍ରଭୁ ଶ୍ରୀସାକ୍ଷୀଗୋପାଳଙ୍କୁ ପୁରୀକୁ ସଙ୍ଗରେ ନେଇଆସିଲେ । ପୁରୀରୁ କଟକସ୍ଥ ବାରବାଟୀ ଦୁର୍ଗ, ବାରବାଟି ଦୁର୍ଗରୁ ଖୋର୍ଦ୍ଧାସ୍ଥ ରଥିପୁର ଓ ପରେ କନ୍ତଳବାଇକୁ ପ୍ରଭୁଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ଶେଷରେ ପ୍ରଭୁଙ୍କ ମଣିବିଗ୍ରହ ପୁରୀ ଶ୍ରୀମନ୍ଦିରର ଭୋଗମଣ୍ଡପ ନିକଟରେ ସ୍ଥାପିତ ହୋଇଥିଲା ।

ସାକ୍ଷୀଗୋପାଳ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରତିଷ୍ଠିତ ହେବାର ଅଳ୍ପଦିନ ପରେ ରାଜା ରାମଚନ୍ଦ୍ର ଦେବଙ୍କୁ ଶ୍ରୀଜଗନ୍ନାଥଙ୍କ ସ୍ୱପ୍ନାଦେଷ ହେଲା – ସାକ୍ଷୀଗୋପାଳ ଭୋଗବୁହା ବାଟ ପାଖରେ ବସି ଆମର ପିଠା ଆଦି ସମସ୍ତ ମିଷ୍ଟାନ୍ନ ପଦାର୍ଥଗୁଡ଼ିକୁ ଆଗରୁ ଉଚ୍ଛିଷ୍ଟ (ଅଇଁଠା) କରି ଦେଉଛି, ଆମେ ଉପବାସ ରହୁଛି । ଏହାଶୁଣି ରାଜାଙ୍କ ନିଦ ତତକ୍ଷଣାତ ଭାଙ୍ଗି ଯାଇଥିଲା, ରାଜା ଭାରି ବ୍ୟସ୍ତ ହୋଇପଡ଼ିଥିଲେ । ରାଜା ଏହିପରି ଅଶ୍ୱସ୍ତିକର ଅବସ୍ଥାରେ ଥିବା ସମୟରେ ମରହଟ୍ଟା ମାନଙ୍କ ଗୁରୁ ବାବା ବ୍ରହ୍ମଚାରୀ ନାମକ ଜଣେ ସନ୍ନ୍ୟାସୀ ସେହି ସମୟରେ ରାଜାଙ୍କ ପାଖକୁ ଯାଇଥିଲେ। ରାଜା ରାମଚନ୍ଦ୍ର ଦେବ ଙ୍କ ବ୍ୟସ୍ତତାର କାରଣ ଶୁଣି ତାଙ୍କୁ ପରାମର୍ଶ ଦେଉଥିଲେ। ତାଙ୍କ ପରାମର୍ଶ ଅନୁସାରେ ପୁରୀଠାରୁ ୧୫ମାଇଲ ଦୂର ବ୍ରାହ୍ମଣ ଶାସନର କେନ୍ଦ୍ରସ୍ଥଳ ପୁଣ୍ୟତୋୟା ରତ୍ନଚିରା ନଦୀ ତୀରବର୍ତ୍ତୀ ଛୁରିଅନା, ବକୁଳ, ତମାଳ, କେତକୀ ଓ ନାରିକେଳ ବୃକ୍ଷ ପରିପୂର୍ଣ୍ଣ ପ୍ରାକୃତିକ ବନରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ସ୍ଥାପନ କରାଯାଇଥିଲା ।

ଏହି ସ୍ଥାନଟି ଥିଲା ଠିକ ବୃନ୍ଦାବନ ଧାମ ପରି ।
ରାଜା ଶ୍ରୀରାମଚନ୍ଦ୍ର ଦେବ ବାବା ବ୍ରହ୍ମଚାରୀଙ୍କ ପରାମର୍ଶକୁ ସାକ୍ଷୀଗୋପାଳଙ୍କ ଇଚ୍ଛା ଭାବି ଏହି ପ୍ରାକୃତିକ ବନରେ ପ୍ରଥମେ ସିଦ୍ଧବଳରାମଙ୍କ ନିକଟରେ ଏକ ମନ୍ଦିର ପ୍ରତିଷ୍ଠା କରାଇ ଶ୍ରୀସାକ୍ଷୀଗୋପାଳଙ୍କୁ ସ୍ଥାପନ କରାଇଲେ ।
ପରବର୍ତ୍ତୀ କାଳରେ ବର୍ତ୍ତମାନର ମନ୍ଦିର ନିର୍ମାଣ କରାଯାଇଥିଲା । ଶ୍ରୀକୃଷ୍ଣ ସାକ୍ଷୀଗୋପାଳ ରୂପେ ରହିଲେ ସାକ୍ଷୀଗୋପାଳରେ, ଶ୍ରୀରାଧା ରହିଲେ ବୃନ୍ଦାବନରେ । ପରସ୍ପର ସହିତ ମିଳନ ନହେବାରୁ ଉଭୟେ ଭାରି ଅଶ୍ୱସ୍ତି ଅନୁଭବ କଲେ । ସମୟ କ୍ରମେ ପ୍ରିୟା ଶ୍ରୀରାଧା ସେବକସାହି ସ୍ଥିତ ଶ୍ରୀସାକ୍ଷୀଗୋପାଳଙ୍କ ବଡ଼ପଣ୍ଡା ବେଲେଶ୍ୱର ମହାପାତ୍ରଙ୍କ ଘରେ ମାନବୀ ପ୍ରିୟା ଲକ୍ଷ୍ମୀ ରୂପରେ ଜନ୍ମଲାଭ କରିଥିଲେ । ପ୍ରଭୁ ସାକ୍ଷୀଗୋପାଳ ନିତ୍ୟ ରାତ୍ରର ତୃତୀୟ ପ୍ରହରରେ ମନ୍ଦିର ଛାଡ଼ି ଆସି ଲକ୍ଷ୍ମୀଙ୍କ ବାସଭବନରେ ତାଙ୍କ ସହ ମିଳିତ ହେଉଥିଲେ ।
ପ୍ରଭୁ ପ୍ରତିନିତ୍ୟ ଗୁପ୍ତବୃନ୍ଦାବନ ରୂପେ ପରିଚିତ ବକୁଳବନରେ ଲକ୍ଷ୍ମୀସହ କେଳି କରନ୍ତି । ଅଧିକାଂଶ ସମୟରେ ପ୍ରଭୁଙ୍କ ବଂଶୀ, ରାତ୍ରପିନ୍ଧା ବସନ, ଚୂଳ ଆଦି ଲକ୍ଷ୍ମୀଙ୍କ ଶୟନ ଶେଜରୁ ମିଳିବାରୁ ରାଜା ବଡ଼ପଣ୍ଡାଙ୍କୁ ଚୋର କହି ନାନା ନିର୍ଯ୍ୟାତନା ଦେବା ଆରମ୍ଭ କଲେ । ବଡ଼ପଣ୍ଡା ବେଲେଶ୍ୱର ମହାପାତ୍ରେ ନିରୁପାୟ ହୋଇ ସାକ୍ଷୀଗୋପାଳଙ୍କର ଶରଣ ପଶିଲେ ।

ଭକ୍ତବତ୍ସଳ ଭଗବାନ ପ୍ରଭୁ ସାକ୍ଷୀଗୋପାଳ ରାଜାଙ୍କୁ ସ୍ୱପ୍ନରେ କହିଲେ, ବଡ଼ପଣ୍ଡା ନିର୍ଦୋଷ, ମୋର ପ୍ରିୟା ରାଧା ତାଙ୍କଘରେ ଲକ୍ଷ୍ମୀ ରୂପରେ ଜନ୍ମଲାଭ କରିଛି । ତୁ ଯଥାଶୀଘ୍ର ଲକ୍ଷ୍ମୀଙ୍କ ପରି ଏକ ସୁବର୍ଣ୍ଣ ପ୍ରତିମା ନିର୍ମାଣ କରାଇ ମୋ ପାଖରେ ପ୍ରତିଷ୍ଠା କର ।

ପ୍ରଭୁଙ୍କ ସ୍ୱପ୍ନାଦେଶ ଅନୁସାରେ ରାଜା ଗଡ଼ଜାତ ରଣପୁର ଅଞ୍ଚଳରୁ କେତେକ କୁଶଳୀ କାରିଗର ଅଣାଇ ଲକ୍ଷ୍ମୀଙ୍କ ପରି ଗୋଟିଏ ସୁବର୍ଣ୍ଣମୂର୍ତ୍ତି ନିର୍ମାଣ କରାଇଲେ । ମୂର୍ତ୍ତିଟି ନିର୍ମାଣ ଆରମ୍ଭ ଦିନରୁ ଲକ୍ଷ୍ମୀ ରୋଗରେ ଶଯ୍ୟାଶାୟୀ ହେଲେ । ମୂର୍ତ୍ତୀର ଜୀବନ୍ୟାସ ଦିଆହେବା ସମୟରେ ଲକ୍ଷ୍ମୀ ଇହଲୀଳା ସମ୍ବରଣ କରିଥିଲେ । ପ୍ରଭୁ ସାକ୍ଷୀଗୋପାଳଙ୍କ ଇଚ୍ଛାନୁଯାୟୀ ତାଙ୍କର ପ୍ରିୟା ଲକ୍ଷ୍ମୀଙ୍କ ମର ଶରୀରକୁ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଅନ୍ତିମ ସଂସ୍କାର କରାଯାଇଥିଲା ।

କିମ୍ବଦନ୍ତୀକୁ ସ୍ମରଣ ରଖିବା ପାଇଁ ପରବର୍ତ୍ତୀ ସମୟରେ ଲକ୍ଷ୍ମୀଙ୍କ ସମାଧି ସ୍ଥଳରେ ଏକ ମହାବୀର ମନ୍ଦିର ପ୍ରତିଷ୍ଠା କରାଗଲା । ଲକ୍ଷ୍ମୀଙ୍କୁ ରାଧିକା ରୂପେପାଇ ଶ୍ରୀସାକ୍ଷୀଗୋପାଳଙ୍କ ଦୀର୍ଘ ଦିନର ମନସ୍କାମନା ପୂର୍ଣ୍ଣ ହେଲା । ଠାକୁର ପଶ୍ଚିମାଞ୍ଚଳବାସୀ ହୋଇଥିବାରୁ ଅନ୍ନପ୍ରସାଦ ପରିବର୍ତ୍ତେ ଗହମ ଜାତ ସାମଗ୍ରୀ ଭୋଗ କରାଗଲା । ପଶ୍ଚିମାଞ୍ଚଳ ମହିଳାଙ୍କ ପରି ଦେବୀ ଶ୍ରୀରାଧାଙ୍କ ପିନ୍ଧା ଶାଢ଼ୀଦ୍ୱାରା ତାଙ୍କର ପାଦପଦ୍ମ ବର୍ଷସାରା ଘୋଡ଼ାଇ ହୋଇ ରହିଲା ।

ଏହି ଭଳି କିଛି ଦିନ ଯିବା ପରେ କେତେକ ସେବକ ବିଚାରକଲେ ଠାକୁରାଣୀ ଶ୍ରୀରାଧା ମାନବୀ ପ୍ରିୟା ଲକ୍ଷ୍ମୀରୂପେ ଆମ ଓଡ଼ିଶାରେ ଆସି ସତ୍ୟବାଦୀରେ ରହିଲେ କିନ୍ତୁ ଦିନେ ହେଲେତ ଓଡ଼ିଆଣୀ ବେଶ ହେଲେନାହିଁ । ପରିଶେଷରେ ସ୍ଥିର ହେଲା ରାଧାରୂପେ ପୂଜା ପାଉଥିବା ଲକ୍ଷ୍ମୀଙ୍କ ଜନ୍ମଦିନ କାର୍ତ୍ତିକମାସ ଶୁକ୍ଳପକ୍ଷ ନବମୀ ତିଥିରେ ଓଡ଼ିଆଣୀ ବେଶ ଅନୁଷ୍ଠିତ ହେବ । ବେଶ ସମୟ ରେ ଠାକୁରାଣୀ କାଣିଆ କଛା ମାରନ୍ତି, ଫଳରେ ବର୍ଷସାରା ଶାଢ଼ୀରେ ଆବୃତ ହୋଇ ରହିଥିବା ଠାକୁରାଣୀଙ୍କ ପାଦପଦ୍ମ ଦ୍ୱୟକୁ ଭକ୍ତମାନେ ଦର୍ଶନ କରିଥାନ୍ତି । ଏହି ଦିନ ଗୋପାଳଙ୍କୁ ଚନ୍ଦନ ଚର୍ଚ୍ଚିତ କରାଯାଇ ମସ୍ତକରେ ସ୍ୱର୍ଣ୍ଣ କିରୀଟ, ହାତରେ ସୁବର୍ଣ୍ଣ ବଂଶୀ ସାଙ୍ଗକୁ ନଟବର ବେଶରେ ଏବଂ ରାଧାଙ୍କୁ ଖଣ୍ଡୁଆ ପାଟବସ୍ତ୍ର ସହ କିରୀଟ, ପାଉଁଜି, ଝୁଣ୍ଟିଆ, କୁଣ୍ଡଳ, ଚାପସରି ସେବତୀ ହାର, ନୋଥ, ଗୁଣା ଏବଂ ଅଁଳା ହାର ଲାଗି କରାଯାଏ । ଭକ୍ତବୃନ୍ଦ ଏହି ଅପରୂପ ବେଶକୁ ଦର୍ଶନ କରି ଆତ୍ମ ବିଭୋର ହୋଇଥାନ୍ତି। ପରବର୍ତ୍ତୀ ସମୟରେ ଓଡ଼ିଶାର ପୁରପଲ୍ଲୀରେ ଥିବା ଗୋପୀନାଥ ମନ୍ଦିର ମାନଙ୍କରେ ମଧ୍ୟ ରାଧାପାଦ ଦର୍ଶନର ବିଧି ପ୍ରଚଳନ କରାଯାଇଥିଲା। ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଶ୍ରୀମନ୍ଦିର ସମେତ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ଏହି ରାଧାପାଦ ଦର୍ଶନ ବିଶେଷ ଭାବରେ ପାଳିତ ହୋଇଥାଏ।

Share

Leave a Reply

Your email address will not be published. Required fields are marked *

20 + thirteen =