ଶୋଷଣର ଶିକାର ହେଉଛନ୍ତି ରାଜଧାନୀର ସଫେଇ କର୍ମଚାରୀ!

ଭୁବନେଶ୍ୱର : ସ୍ମାର୍ଟସିଟିକୁ ସଫାସୁତୁରା କରୁଥିବା ସଫେଇ କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ଏବେ ଶୋଷଣର ଶିକାର । କାହାକୁ ଦିନକୁ ୨୦୦ ଟଙ୍କା ତ ଆଉ କାହାକୁ ୨୫୦ଟଙ୍କାର ମଜୁରୀ ମିଳୁଛି । ବିଶେଷକରି ଘରୋଇ ସଂସ୍ଥା ଯେଉଁସବୁ ୱାର୍ଡର ସଫେଇ ଦାୟିତ୍ୱ ନେଇଛି ସେଠାରେ ଏଭଳି ହେଉଛି । ତେବେ ଛଟେଇ ଭୟରେ ସଫେଇ କର୍ମଚାରୀମାନେ ପ୍ରତିବାଦ ପାଇଁ ସାହସ କୁଳାଇ ପାରୁନାହାନ୍ତି ।

ରାଜଧାନୀର ୬୭ଟି ୱାର୍ଡ ମଧ୍ୟରୁ ଅଧିକାଂଶର ସଫେଇ ଦାୟିତ୍ୱ ଘରୋଇ ସଂସ୍ଥା ହାତରେ ରହିଛି । ଏଠାରେ ଘରୋଇ ସଂସ୍ଥାମାନେ ସେମାନଙ୍କ ଇଚ୍ଛାନୁଯାୟୀ କର୍ମଚାରୀ ମୁତୟନ ଓ ପାଉଣା ପ୍ରଦାନ କରୁଛନ୍ତି । ତେବେ ବିଏମ୍‍ସିର ସଫେଇ ଗାଡି ଏବେ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରିବାପରେ ଘରୋଇ ସଂସ୍ଥାକୁ କର୍ମଚାରୀ ଲୁଟିବାପାଇଁ ସୁଯୋଗ ମିଳିଯାଇଛି । ସଫେଇ କର୍ମଚାରୀଙ୍କୁ ସଫା ସଫା କହୁଛନ୍ତି “ତୁମ କାମ କମିଲା-ପାଉଣା ବି କମିବ, ଇଚ୍ଛା ହେଲେ କାମ କର, ନହେଲେ କାମ ଛାଡ” । ବିଚରା ସଫେଇ କର୍ମଚାରୀମାନେ ଅଳ୍ପ ପଇସାରେ କାମ କରିବାକୁ ବାଧ୍ୟ ହେଉଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ଯଏ ମାସକୁ ୯ହଜାର ଟଙ୍କା ପାଉଥିଲା ଏବେ ତାହାକୁ ୬ହଜାର ମିଳୁଛି । ଅର୍ଥାତ୍‍ ଦିନକୁ ୨୦୦ ଟଙ୍କା ।

ତେବେ ଏହି ସଫେଇ କର୍ମଚାରୀମାନେ କେତେ ପାଉଣା ପାଉଛନ୍ତି ଓ କିଭଳି ଅଛନ୍ତି ବିଏମ୍‍ସି ସେଥିରେ ମୁଣ୍ଡ ଖେଳାଉ ନାହିଁ । ଘରୋଇ ସଂସ୍ଥା ହାତରେ ପଇସା ଧରାଇଦେଇ ନିଶ୍ଚିତରେ ବସିଛି । ଫଳରେ ଯେଉଁଠି ୪ଜଣ କାମ କରିବାକଥା ସେଠାରେ ଘରୋଇ ସଂସ୍ଥା ୨ଜଣରେ କାମ କରାଉଛି ଓ ପଇସା ବି କମ୍‍ ଦେଉଛନ୍ତି । ରାଜଧାନୀରେ ଗୋଟିଏ ଦିନର ମଜୁରୀ ୪୦୦ ରୁ ୪୫୦ ଟଙ୍କା ହୋଇଥିବାବେଳେ ଏହି ସଫେଇ କର୍ମଚାରୀମାନେ କିନ୍ତୁ ୨୦୦ ରୁ ୨୫୦ଟଙ୍କାରେ କାମ କରୁଛନ୍ତି । ଅତ୍ୟନ୍ତି ବିପଦଜନକ ଓ ପ୍ରତିକୂଳ ପରିବେଶରେ ଏମାନେ କାମ କରୁଥିଲେ ମଧ୍ୟ କୌଣସି ସୁବିଧା ସୁଯୋଗ ମିଳିପାରୁ ନାହିଁ ।

ରାଜଧାନୀରେ ଘରୋଇ ସଂସ୍ଥା ଅଧିନରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କର କୌଣସି ସଂଘ ନାହିଁ କିମ୍ବା ଏମାନଙ୍କ ସୁବିଧା ସୁଯୋଗ ପାଇଁ କୌଣସି ରାଜନୈତିକ ଦଳ ଦୃଷ୍ଟି ଦେଉଥିବା ଲକ୍ଷ୍ୟ କରାଯାଉନାହିଁ । ଫଳରେ ଅସଂଗଠିତ କ୍ଷେତ୍ରର ଏହି ଶ୍ରମିକମାନେ ଏବେ ଖୋଦ ରାଜଧାନୀରେ ଶୋଷଣର ଶିକାର ହେଉଥିଲେ ମଧ୍ୟ ପାଟି ଖୋଲିବାକୁ ସାହସ କୁଳାଇ ପାରୁନାହାନ୍ତି । ରାଜ୍ୟ ସରକାର ସଫେଇ କର୍ମଚାରୀଙ୍କ ପାଇଁ କି କି ଯୋଜନା ଓ ସୁବିଧାମାନ କରିଛନ୍ତି ସେ ସଂକ୍ରାନ୍ତରେ ମଧ୍ୟ ଅଧିକାଂଶ ସଫେଇ କର୍ମଚାରୀ ଅଜ୍ଞ ।

ତେଣୁ ଖୋଦ୍‍ ରାଜଧାନୀରେ ହେଉଥିବା ଏହି ଶ୍ରମିକ ଶୋଷଣ ସଂକ୍ରାନ୍ତରେ ରାଜ୍ୟ ସରକାର ବିଶେଷକରି ଗୃହ ଓ ନଗର ଉନ୍ନୟନ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି । ନହେଲେ ଦିନ ରାତି ଲାଗିପଡି ସହରକୁ ପରିସ୍କାର କରୁଥିବା ଏହି ମେହେନତି ମଣିଷମାନେ ଘରୋଇ ସଂସ୍ଥା ଓ ସେମାନଙ୍କ କର୍ମଚାରୀଙ୍କ ଦ୍ୱାରା ଶୋଷଣ ହୋଇ ଚାଲିଥିବୋ ତେଣୁ ଏହି ସଫେଇ କର୍ମଚାରୀଙ୍କ ପାଉଣା ସଂକ୍ରାନ୍ତୀୟ ସମସ୍ତ ନିୟମାବଳୀ ଓ ସୂଚନା ସର୍ବସାଧାରଣରେ ପ୍ରକାଶ କରିବାକୁ ମତପ୍ରକାଶ ପାଉଛି ।

Share

Leave a Reply

Your email address will not be published. Required fields are marked *

ten + eleven =