ପରିବେଶ ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ସାଇକେଲ୍ ରାଲି ଓ ସଚେତନତା ଅଭିଯାନ

କଳିଙ୍ଗନଗର, ସେପ୍ଟେମ୍ବର ୮, ୨୦୨୬ : ‘ସ୍ୱଚ୍ଛତା ଏବଂ ପ୍ଲାଷ୍ଟିକ୍ ମୁକ୍ତ ଜୀବନ’ ବିଷୟବସ୍ତୁକୁ ନେଇ ଚାଲିଥିବା ପରିବେଶ ସୁରକ୍ଷା ଅଭିଯାନ (୭–୧୬ ସେପ୍ଟେମ୍ବର) ଅବସରରେ ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ତଥା ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି।
କଳିଙ୍ଗନଗର ଟାଉନସିପ୍ସ୍ଥିତ ସାର୍ ଦୋରାବଜୀ ଟାଟା ସ୍ପୋର୍ଟସ୍ କମ୍ପ୍ଲେକ୍ସଠାରେ ଆୟୋଜିତ ‘ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା’ ରାଲିରେ ୧୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ସାମିଲ ହୋଇଥିଲେ। ଏହି ଅବସରରେ ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁପ୍ରସନ୍ନ ମଲ୍ଲିକ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଇଂ. ମଦନ ମୋହନ ସାହୁ ଏବଂ ଟାଟା ଷ୍ଟିଲ୍ କଳିଙ୍ଗନଗରର ଚିଫ୍ କର୍ପୋରେଟ୍ ସର୍ଭିସେସ୍ ରବି ମାରିକଙ୍କ ସମେତ ଟିଏସକେ, ନୀଳାଚଳ ଇସ୍ପାତ ନିଗମ ଏବଂ ଜିନ୍ଦଲ ଷ୍ଟେନଲେସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରୁ ସମସ୍ତ ଅଂଶଗ୍ରହଣକାରୀମାନେ ‘ମିଶନ ଲାଇଫ୍’ ଶପଥ ପାଠ କରିଥିଲେ । ଅଣ-ଯାନ୍ତ୍ରିକ ପରିବହନକୁ ପ୍ରୋତ୍ସାହିତ କରିବା, ବାୟୁ ଗୁଣବତ୍ତା ମାନରେ ଉନ୍ନତି ଆଣିବା ଏବଂ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର ହ୍ରାସ କରିବା ଏହି ରାଲିର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ସେହିପରୀ ସେପ୍ଟେମ୍ବର, ୭ ତାରିଖ ଦିନ ଯାଜପୁର ଜିଲ୍ଲା ଡୁବୁରୀସ୍ଥିତ ଗୋଲା ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀମାନେ ମଧ୍ୟ ‘ମିଶନ ଲାଇଫ୍’ ଶପଥ ଗ୍ରହଣ କରିଥିଲେ ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

