କ୍ରୀଡା

ଆଜି ବିରାଟ-ଗିଲ ହେବେ ଭେଟାଭେଟି

ଚଳିତ ଆଇପିଏଲ୍‌ର ୩୪ତମ ଲିଗ୍ ମ୍ୟାଚରେ ଆଜି ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁ ଘରୋଇ ଗ୍ରାଉଣ୍ଡରେ ଗୁଜରାଟକୁ ଭେଟିବ । ଏହି ମ୍ୟାଚ ଜରିଆରେ ଭାରତୀୟ କ୍ରିକେଟ୍‌ର କିଙ୍ଗ୍ ବିରାଟ କୋହଲି ଓ ପ୍ରିନ୍ସ ଶୁଭମନ ଗିଲ୍ ମଧ୍ୟରେ କଡ଼ା ଟକ୍ରଲ ଦେଖିବାକୁ ମିଳିବ । ଶେଷ ମ୍ୟାଚରେ ପରାଜିତ ହୋଇଥିବା ଉଭୟ ଦଳ ବିଜୟଧାରାକୁ ଫେରିବା ପାଇଁ ତତ୍ପର ରହିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ବେଙ୍ଗାଲୁରୁ ଗତ ୧୮ ତାରିଖରେ ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀଠାରୁ ପରାଜିତ ହୋଇଥିଲା । ଦିଲ୍ଲୀର ଶୃଙ୍ଖଳିତ ବୋଲିଂ ଓ ଚତୁର ରଣନୀତି ଆଗରେ ବେଙ୍ଗାଲୁରୁ ଫେଲ ମାରିଥିଲା। ଗୁଜରାଟ ଦଳ ମଧ୍ୟ ଚତୁର ରଣନୀତି ପାଇଁ ପରିଚିତ । ଆଶିଷ ନେହରାଙ୍କ ଅଧିନରେ ଗିଲଙ୍କ ଦଳ ସର୍ବଦା ଶୃଙ୍ଖଳିତ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେଇ ଆସିଛି । ଫଳରେ ଆଜି ଉଭୟ ଦଳର ରଣନୀତି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବା ନିଶ୍ଚିତ । ଖାଲି ସେତିକି ନୁହେଁ, ଉଭୟ ଦଳର ପେସ୍ ବୋଲିଂ ବିଭାଗ ମଧ୍ୟରେ ମଧ୍ୟ ଏକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ ।

ଏହି ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ପରସ୍ପରକୁ ୬ ଥର ଭେଟିଛନ୍ତି ଓ ୩ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଗତ ବର୍ଷ ଗୁଜରାଟ ୬ ୱିକେଟ୍‌ରେ ବେଙ୍ଗାଲୁରୁକୁ ହରାଇଥିଲା । ଏଥର ବେଙ୍ଗାଲୁରୁ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଠା କରିବ । ଆଜି କୋହଲି ଗୋଟିଏ ଛକା ମାରିଲେ ୩୦୦ ଆଇପିଏଲ୍ ଛକା କ୍ଲବ୍‌ରେ ସାମିଲ ହେବେ । ପୂର୍ବରୁ କେବଳ କ୍ରିସ ଗେଲ ଓ ରୋହିତ ଶର୍ମା ଏହି କ୍ଲବରେ ରହିଛନ୍ତି ।

ବେଙ୍ଗାଲୁରୁ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । ମାତ୍ର ଗୁଜରାଟ ଏକାଦଶରେ ପରିବର୍ତ୍ତନ କରିପାରେ । ଫର୍ମ ହରାଇଥିବା ଶାହରୁଖ ଖାନ କିମ୍ବା ରାହୁଲ ତେୱାତିଆଙ୍କ ସ୍ଥାନରେ କୁମାର କୂଶାଗ୍ରଙ୍କୁ ଖେଳିବାକୁ ସୁଯୋଗ ମିଳିପାରେ । ଗୁଜରାଟ ମଧ୍ୟ ଫର୍ମରେ ରହିଥିବା ଜାସନ ହୋଲ୍ଡରଙ୍କୁ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳାଇବା ଆଶା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

twenty − fifteen =