ବିଜୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଡରୁଛି ବିଜେପି!

ଭୁବନେଶ୍ବର, 12/06 (ନିପ୍ର): ରାଜ୍ୟ ବିଜେପିକୁ ଏବେ ବିଜୟ ଭୟ । ବିଜେପିରେ ରହି ବିଜୟ ମହାପାତ୍ର ଗୋଟିଏ ପରେ ଗୋଟିଏ ବିବୃତ୍ତି ଦେଇ ଦଳକୁ ଘାଇଲା କରୁଥିବା ବେଳେ ଦଳ ତାଙ୍କ ବିରୁଦ୍ଧରେ ସେଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁନାହିଁ ।

ମହାନଦୀ ପ୍ରସଙ୍ଗରେ ବିଜୟଙ୍କ ବୟାନ ବିଜେପିକୁ ଅନେକ କ୍ଷତି ପହଞ୍ଚାଇଛି । ବିଜୟ ମୂଳରୁ ମହାନଦୀ ପ୍ରସଙ୍ଗରେ ଛତିଶଗଡକୁ ଦାୟୀକରି ଆସିବା ସହିତ ଟ୍ରିବ୍ୟୁନାଲ ଗଠନ ଏକମାତ୍ର ବିକଳ୍ପ ବୋଲି କହି ଆସୁଛନ୍ତି । ପ୍ରଥମେ ବିଜେପି ଛତିଶଗଡର ଦୋଷକୁ ମାନୁନଥିବା ବେଳେ ଏବେ କିନ୍ତୁ ୟୁ ଟର୍ଣ୍ଣ ନେଇଛି । ମହାନଦୀ ପାଣିକୁ ଛତିଶଗଡ ବଳପୂର୍ବକ ଅଟକାଇଥିବା କଥା ଖୋଦ୍‍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିବା ସହିତ ସୁପ୍ରିମକୋର୍ଟ ମଧ୍ୟ ଟ୍ରିବୁନାଲ ଗଠନ ପାଇଁ କହିଛନ୍ତି । ଇତି ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ସହିତ ପକ୍ଷ ରଖିବାପାଇଁ ଓଡିଶା ସମେତ ୫ଟି ରାଜ୍ୟକୁ ନୋଟିସ୍‍ ଜାରି କରିଛନ୍ତି । ବିଜୟଙ୍କ ମହାନଦୀ ମନ୍ତବ୍ୟ କିନ୍ତୁ ତିନିପର୍ଯ୍ୟାୟ ଆନ୍ଦୋଳନ କରିଥିବା ବିଜେଡିକୁ ବେଶ୍‍ ସୁହାଇଛି ।

ସେହିଭଳି ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଜୟ ଏବେ ବିଜେପି କୋର୍ଟକୁ ବଲ୍‍ ଫିଙ୍ଗିଛନ୍ତି । ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ପ୍ରତି ୬ମାସରେ ଥରେ ଭଣ୍ଡାରଘର ଚାବି ଖୋଲାଯିବାର ନିୟମ ଦେଖାଇବା ପରେ ବିଜୟ ବିଜେପି-ବିଜେଡି ମିଳିତ ସରକାରରେ କେତେଥର ଖୋଲାଯାଇଛି ବୋଲି ପ୍ରଶ୍ନ କରିଛନ୍ତି । ଶ୍ରୀମନ୍ଦିର ସହିତ ଓଡିଆଙ୍କ ଭାବାବେଗ ଜଡିତ ଥିବାରୁ ଚାବି ନିଖୋଜ ଘଟଣାକୁ ନେଇ ବିଜେପି ସାରା ରାଜ୍ୟରେ ଆନ୍ଦୋଳନ ଚଳାଇଥିବାବେଳେ ବିଜୟଙ୍କ ଏଭଳି ମନ୍ତବ୍ୟ ଏବେ ସେଥିରେ ଏକ ପ୍ରକାର ପାଣିପୂରାଇ ଦେଇଛି ।

ଏହା ପୂର୍ବରୁ ପାରାଦୀପ୍‍ ତୈଳ ବିଶୋଧନାଗାରରେ ଓଡିଆ ଯୁବକ ଯୁବତୀଙ୍କ ନିଯୁକ୍ତି ନେଇ ବିଜୟଙ୍କ ମନ୍ତବ୍ୟ ମଧ୍ୟ ବିଜେପିକୁ ଅଡୁଆରେ ପକାଇଥିଲା । ଏହି ଘଟଣାରେ ସିଏ ସିଧାସଳଖ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଥିଲେ । ସେତେବେଳେ ଯଦିଓ ବିଜେପିର କିଛି ନେତା ବିଜୟଙ୍କ ବାଟ ରୋକିଥିଲେ କିନ୍ତୁ ତାହା ପର୍ଯ୍ୟାପ୍ତ ନଥିଲା ।

କେବଳ ଏହି ତିନିଟି ଘଟଣା ନୁହେଁ ବିଜୟ ମହାପାତ୍ର ଅନେକ ପ୍ରସଙ୍ଗରେ ବିଜେପିକୁ ବିରୋଧ ଓ ବିଜେଡିକୁ ସୁହାଇଲା ଭଳି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ଲକ୍ଷ୍ୟ କରାଯାଉଛି । ବିଜୟ ଦଳର କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁନଥିବାବେଳେ ନିକଟରେ ମୋଦିଙ୍କ କଟକ ଗସ୍ତ ସମୟରେ ତାଙ୍କୁ ବି ଦେଖିବାକୁ ମିଳିନଥିଲା । ବିଜୟଙ୍କ ତୁଣ୍ଡ ଯୋଗୁଁ ଗୋଟିଏ ପରେ ଗୋଟିଏ ଘଟଣାରେ ବିଜେପି ଅକଳରେ ପଡୁଥିଲେ ମଧ୍ୟ କାହିଁକି ବିଜୟଙ୍କ ବିରୁଦ୍ଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଏବେ ସାଧାରଣରେ ପ୍ରଶ୍ନ । ଏହା କଣ ବିଜୟଙ୍କୁ ବିଜେପିର ଭୟ କି ବୋଲି ଏବେ ଚର୍ଚ୍ଚା ଚାଲିଛି ।

Share

Leave a Reply

Your email address will not be published. Required fields are marked *

nine + eighteen =