ମିଛ ପ୍ରଚାରରେ ଗୋବେଲଙ୍କୁ ଗୁରୁ କରିଛି ବିଜେପି

ଭୁବନେଶ୍ୱର () ମିଛ ପ୍ରଚାରରେ ମାହିର କେନ୍ଦ୍ର ସରକାର । ବର୍ଷକୁ ୨ କୋଟି ନିଯୁକ୍ତି, ଧାନର ଏମଏସପି ଦେଢ ଗୁଣା କରିବା ସୋସିଆଲ ମିଡିଆରେ ଏମିତି ସବୁ ମିଛ ପ୍ରଚାର କରିବାରେ ଗୋବେଲଙ୍କୁ ଗୁରୁ କରିଛି କେନ୍ଦ୍ର ସରକାର । ହିଲଟର ଶାସନକୁ ନିରନ୍ତର କରିବା ପାଇଁ ତାଙ୍କ ପ୍ରଚାରକ ଗୋବେଲ ଯେଉଁଭଳି ମିଛର ପ୍ରଚାର କରୁଥିଲେ, ଏବେ ସେହିଭଳି କେନ୍ଦ୍ର ସରକାର ନିଜ ସଫଳତାର ମିଛ ପ୍ରଚାର କରିଚାଲିଛନ୍ତି । ଆଜି ବିଧାନସଭାରେ ବ୍ୟୟ ମଂଜୁରୀ ବିଲ ଉପରେ ଆଲୋଚନା କରିବାକୁ ଯାଇ ବିଜେଡି ବିଧାୟକ ଡକ୍ଟର ଅରୁଣ ସାହୁ କେନ୍ଦ୍ର ଉପରେ ଏଭଳି ବର୍ଷିଛନ୍ତି ।
କେନ୍ଦ୍ର ସରକାରଙ୍କ ମିଛ ପ୍ରଚାରର ତାଲିକା ଦେବାକୁ ଯାଇ ସେ କହିଛନ୍ତି ଯେ, ବର୍ଷକୁ ଦୁଇ କୋଟି ନିଯୁକ୍ତି ଦେବାର ପ୍ରତିଶୃତି ଦେଇ କେନ୍ଦ୍ରରେ ସରକାର ଗଠନ କରିଥିଲା ବିଜେପି । ଏହି ହାରରେ ଓଡିଶାରେ ଗତ ୫ ବର୍ଷରେ ୫୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବା କଥା । କିନ୍ତୁ ନିଯୁକ୍ତି କେଉଁଠି ଓ କାହାକୁ ଦିଆଯାଇଛି, କିଛି ପକୁଡି ବିକାଳୀ ସୃଷ୍ଟି କରାଯାଇଛି ଓ କିଛି ଅଟୋ ଚାଳକଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । କିନ୍ତୁ ସୋସିଆଲ ମିଡିଆରେ ନିଯୁକ୍ତିର ମିଛ ପ୍ରଚାର କରାଯାଉଛି ।
ସେହିଭଳି ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧ଲକ୍ଷ କୋଟି ଟଙ୍କା ଋଣ କରିବେ ବୋଲି ଆକଳନ କରିବାକୁ ନେଇ ବିରୋଧୀ ହଲ୍ଲାପଟା କରୁଛନ୍ତି । ୨୦୧୪ରେ କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିବା ବେଳକୁ ଦେଶର ଋଣ ଭାର ଥିଲା ୫୫ ଲକ୍ଷ କୋଟି ଟଙ୍କା । ଗତ ୬୫ ବର୍ଷରେ ଦେଶର ଋଣ ଭାର ୫୫ ଲକ୍ଷ କୋଟି ଟଙ୍କା ଥିବା ବେଳେ ଗତ ସାଢେ ଚାରି ବର୍ଷ ମଧ୍ୟରେ ଋଣ ଭାର ୮୨ ଲକ୍ଷ କୋଟି ଟଙ୍କାକୁ ପହଁଚିଛି । ସାଢେ ଚାରି ବର୍ଷରେ ୨୭ ଲକ୍ଷ କୋଟି ଟଙ୍କା କାହିଁକି ଋଣ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ଦେଶର ୯ ଜଣ ଧନୀ ବ୍ୟକ୍ତିଙ୍କ ଆୟ ଦିନକୁ ୨୨ ଶହ କୋଟି ଟଙ୍କା । ୧ ପ୍ରତିଶତ ଲୋକଙ୍କ ହାତରେ ରହିଛି ଦେଶର ୫୧ ପ୍ରତିଶତ ଧନ । ସେହିଭଳି ୧୦ ପ୍ରତିଶତ ବ୍ୟକ୍ତିଙ୍କ ହାତରେ ରହିଛି ୭୪ ପ୍ରତିଶତ ଧନ । ଏବଂ ବାକି ୬୦ ପ୍ରତିଶତ ଲୋକଙ୍କ ପାଖରେ ରହିଛି ମାତ୍ର ୪.୮ ପ୍ରତିଶତ ଧନ । ଗରିବି ହଟାଅ କାର୍ଯ୍ୟକ୍ରମ କଥା କହି କହି କଂଗ୍ରେସ ଶାସନରୁ ଗଲା, ଆଉ ଗୋଟିଏ ସରକାର ଗରିବି ହଟାଅର ନାରା ଦେଉଛି । ହେଲେ ଦେଶର ସାମାଜିକ ଓ ଅର୍ଥନୈତିକ ଚିତ୍ର ହେଉଛି ଏୟା ବୋଲି ଡକ୍ଟର ସାହୁ କହିଥିଲେ ।
ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ୫୦ ପ୍ରତିଶତ ଲେଖାଏଁ ବ୍ୟୟ ଭାର ବହନ କରୁଛନ୍ତି । କିନ୍ତୁ ଏହି ଯୋଜନାର ନାମକରଣ ପ୍ରଧାନମନ୍ତ୍ରୀଙ୍କ ନାମରେ ହୋଇଛି । ସେହିଭଳି ପ୍ରଧାନମନ୍ତ୍ରୀ ସିଚାଇ ଯୋଜନାରେ କେନ୍ଦ୍ର-ରାଜ୍ୟ ସମାନ ବ୍ୟୟଭାର ବହନ କରୁଛନ୍ତି । ଯୋଜନା କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ନାମରେ । ରାଜ୍ୟ ପ୍ରତି କେନ୍ଦ୍ରର ଅବହେଳା ସଂପର୍କରେ ସୂଚନା ଦେବାକୁ ଯାଇ ସେ କହିଥିଲେ ଯେ, କେନ୍ଦ୍ର ସରକାର ରେଳବାଇରୁ ବାର୍ଷିକ ୨୦ହଜାର କୋଟି ଏବଂ ସବୁଜ ଟିକସରୁ ୨୭ହଜାର କୋଟି, ଏହିଭଳି ରାଜ୍ୟରୁ ୪୭ହଜାର କୋଟି ଟଙ୍କା ଆୟ କରୁଛନ୍ତି କେନ୍ଦ୍ର ସରକାର । କିନ୍ତୁ ରେଳବାଇରେ ରାଜ୍ୟକୁ ୫ହଜାର, ୭ହଜାର କୋଟି ଟଙ୍କା ଦିଆଯାଉଛି ବୋଲି ପ୍ରଚାର ହେଉଛି । ପ୍ରକୃତ ପକ୍ଷେ କିନ୍ତୁ ରାଜ୍ୟକୁ ବର୍ଷ ଶେଷକୁ ୧୬ଶହରୁ ୨ହଜାର କୋଟି ଟଙ୍କା ମିଳୁଛି । ଏ ତଥ୍ୟ ଆମେ କହୁନୁ, କେନ୍ଦ୍ରୀୟ ରିପୋର୍ଟ ହିଁ ବୟାନ କରୁଛି ।
ଏଥିସହିତ ବିଜେପିର ବରିଷ୍ଠ ନେତାମାନେ ଯେଉଁଭଳି ଭାବେ ଶାଳିନତା ବିହିନ ରାଜନୈତିକ ବୟାନବାଜୀ କରୁଛନ୍ତି ତାକୁ ନେଇ ଅରୁଣ ବର୍ଷିଛନ୍ତି । ସେ କହିଛନ୍ତି ଯେ, ଶାଳିନତା ହେଉଛି ଗଣତନ୍ତ୍ରର ମୂଳ ମନ୍ତ୍ର । କିନ୍ତୁ ବୋଧହୁଏ କେନ୍ଦ୍ରୀୟ ନେତାମାନେ ଏହାକୁ ଭୁଲିଯାଉଛନ୍ତି । ଉପାଡିକି ଫୋପାଡି ଦିଅ, ପୋଡା ଟ୍ରାନ୍ସଫରମର ଭଳି ବୟାନକୁ କଣ ଶାଳିନତା ବୋଲି କୁହାଯିବ । ଶାଳିନତା କଣ ତାହା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଶିଖିବାର କଥା । ଗତ ୧୯ ବର୍ଷର ଶାସନ ମଧ୍ୟରେ ସେ ରାଜନୀତିରେ ଶାଳିନତାକୁ ଭୁଲିନାହାଁନ୍ତି ।
Share

Leave a Reply

Your email address will not be published. Required fields are marked *

9 − two =