ବଢିଲା ଯୁଦ୍ଧ ଭୟ ଭାରତୀୟ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ୟୁକ୍ରେନ ଛାଡିବାକୁ ନିର୍ଦ୍ଦେଶ ଦେଲା ଦୂତବାସ

ୟୁକ୍ରେନ ଛାଡିବା ଲାଗି ଭାରତୀୟଙ୍କୁ ନିର୍ଦ୍ଦେଶ ଦେଲା ଦୂତାବାସ । ଦିନକୁ ଦିନ ସଙ୍କଟ ଘନୀଭୂତ ହେଉଥିବାବେଳେ ଅସ୍ଥାୟୀ ଭାବେ ୟୁକ୍ରେନ ଛାଡିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଜରୁରୀ କାର୍ଯ୍ୟ ନଥିଲେ ବୁଲାବୁଲି ନ କରିବା ଲାଗି ପରାମର୍ଶ ଦିଆଯାଇଛି । ଏହା ସହ ଦୂତାବାସ ସହ ନିୟମିତ ଯୋଗସୂତ୍ରରେ ରହିବା ଲାଗି ଭାରତୀୟଙ୍କୁ କୁହାଯାଇଛି । ବର୍ତ୍ତମାନ ୟୁକ୍ରେନରେ ୨୦ ହଜାର ଭାରତୀୟ ଛାତ୍ରୀଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେପଟେ ଯୁଦ୍ଧ ଟାଳିବା ଲାଗି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସଙ୍କ ଶେଷ ପ୍ରୟାସ । ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରଭ ଓ ୟୁକ୍ରେନ ପ୍ରତିପକ୍ଷ ଦିମିତ୍ର କୁଲେବାଙ୍କ ସହ ଆଲୋଚନା କରିଛନ୍ତି ଗୁଟେରସ । ଯୁଦ୍ଧ ସମ୍ଭାବନାକୁ ନେଇ ଗୁଟେରସ ଉଦବେଗ ପ୍ରକାଶ କରିଥିବାବେଳେ ଏହି କଥାବାର୍ତ୍ତାରୁ ସେପରି କୌଣସି ସୁଫଳ ମିଳି ନଥିବା ସୂଚନା ମିଳିଛି ।
ୟୁକ୍ରେନରେ ଜାତିସଂଘର ୧୬୬୦ କର୍ମଚାରୀ ଥିବାବେଳେ ଜାତିସଂଘ ଦ୍ୱାରା ବିଭିନ୍ନ କାର୍ଯ୍ୟରେ ନିଯୁକ୍ତ ୨୨୦ ଜଣ ବିଦେଶୀ ରହିଛନ୍ତି । ଏମାନଙ୍କୁ ୟୁକ୍ରେନ ଛାଡିବା ଲାଗି ବର୍ତ୍ତମାନ ସୁଦ୍ଧା ନିର୍ଦ୍ଦେଶ ଦିଆଯାଇନାହିଁ । ତେଣେ ୟୁକ୍ରେନ ସୀମାରେ ଆଉ ଅଧିକ ୩୦ ହଜାର ସୈନ୍ୟ ମୁତୟନ କରିଛି ଋଷ । ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଜାଁ ୟେଭେସ ଡ୍ରିଆନ କହିଛନ୍ତି ଯୁଦ୍ଧ ଲାଗି ସମସ୍ତ କ୍ଷେତ୍ର ପ୍ରସ୍ତୁତ ଏବଂ କୌଣସି ମୁହୂର୍ତ୍ତରେ ଯୁଦ୍ଧ ଘଟିପାରେ । ଅସ୍ତ୍ରଶସ୍ତ୍ର ଓ ସୈନ୍ୟ ମୁତୟନ ସ୍ଥିତିକୁ ଲକ୍ଷ୍ୟ କରି ସେ ଏହି ଆଶଙ୍କା କରିଛନ୍ତି । ସେପଟେ ଯୁଦ୍ଧ ହେଲେ ଋଷ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଧମକ ଦେଇଛି ୟୁରୋପୀୟ ରାଷ୍ଟ୍ରସଂଘ । ଯୁଦ୍ଧ ଆଶଙ୍କା କରି ୟୁକ୍ରେନ ରାଜଧାନୀ କିଏଭସ୍ଥିତ ମୁଖ୍ୟ ଦୂତାବାସ କାର୍ଯ୍ୟାଳୟକୁ ୫୦ ମାଇଲ ଦୂର ଲିଭିଭକୁ ସ୍ଥାନାନ୍ତରିତ କରିଛି ଆମେରିକା । ଆମେରିକା ସହଯୋଗୀ ପୋଲାଣ୍ଡ ସୀମା ନିକଟରେ ଅବସ୍ଥିତ ଲିଭିଭ ସହର । ତେଣେ ଯୁଦ୍ଧର ଘନଘଟା ଭିତରେ ଭାରତୀୟ ଛାତ୍ରଛାତ୍ରୀଙ୍କ ବଢିଛି ସୁରକ୍ଷା ଚିନ୍ତା । ବିଶ୍ବର ୧୫୮ଟି ଦେଶର ୮୦ ହଜାର ଛାତ୍ରଛାତ୍ରୀ ୟୁକ୍ରେନର ବିଭିନ୍ନ ପ୍ରତିଷ୍ଠାନରେ ଡାକ୍ତରୀ, ଇଞ୍ଜିନିୟରିଂ ପଢୁଥିବାବେଳେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା 20 ହଜାର । ସେମାନଙ୍କ ଭବିଷ୍ୟତ ଉପରେ ଘୋଟିଛି ଅନ୍ଧକାର । କିଛି ଛାତ୍ର କହିଛନ୍ତି- ଯୁଦ୍ଧ ସମ୍ଭାବନା ଘନୀଭୂତ ହେଉଥିବାବେଳେ ଅନେକ ରାଷ୍ଟ୍ର ସେମାନଙ୍କ ନାଗରିକମାନଙ୍କୁ ଫେରାଇନେବା ପ୍ରକ୍ରିୟା ଜାରି ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

two + 12 =