ବିଜୁ ସ୍ୱାସ୍ଥ୍ୟ କଲ୍ୟାଣକୁ ସ୍କଚ ଆର୍ଡର ମେରିଟ ଆୱାର୍ଡ

ଭୁବନେଶ୍ୱର (): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ସର୍ବଭାରତୀୟସ୍ତରରେ ମିଳିଛି ସମ୍ମାନ । ସ୍କଚ୍ ଅର୍ଡର ମେରିଟ୍ ପୁରସ୍କାର ପାଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଆଜି ଅର୍ଥ ବିଭାଗର ପ୍ରମୁଖ ସଚିବ ଡଃ. ପ୍ରମୋଦ କୁମାର ମେହେର୍ଦ୍ଦା ଓ  ରାଜ୍ୟ ସ୍ୱାସ୍ଥ୍ୟ ସହାୟତା ସଂସ୍ଥାର ସିଇଓ ଶାଳିନୀ ପଣ୍ଡିତ ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ଗତ ୨୦୧୮ ଅଗଷ୍ଟ ମାସରେ ରାଜ୍ୟ ସରକାର ସାର୍ବଜନୀନ ସ୍ୱାସ୍ଥ୍ୟସେବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାରେ ଦେଶର ୭୦ ଲକ୍ଷ ପରିବାରକୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ସମ୍ପୂର୍ଣ୍ଣ ଭାବେ ମାଗଣା ସାର୍ବଜନୀନ ସ୍ୱାସ୍ଥ୍ୟସେବା ଭାବେ ଏହି ଯୋଜନାରେ ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ଦିଆଯାଉଛି । ପରିବାରର ମହିଳାଙ୍କ ପିଛା ୭ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳୁଛି ।

ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ମଧ୍ୟ ସ୍କଚ ସ୍ୱାସ୍ଥ୍ୟ ଭାରତ ଗୋଲଡ ପୁରସ୍କାର ମିଳିଥିଲା । ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିଲାବେଳେ ଏଭଳି ଏକ ସମ୍ମାନଜନକ ପୁରସ୍କାର ସ୍ୱାସ୍ଥ୍ୟ ବିଭାଗ ପ୍ରତି ବିଶ୍ୱସନୀୟତା ବୃଦ୍ଧି କରିଛି । ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଏହି ଯୋଜନାର ଉଦ୍ଦେଶ୍ୟ । ଏଥିରେ କେବଳ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ପରିବାରକୁ ସାମିଲ କରାଯାଉନି; ବରଂ ଦାରିଦ୍ର‌୍ୟ ସୀମାରେଖା ଉପରେ ଥିବା ପରିବାର ମଧ୍ୟ ଏହି ଯୋଜନାର  ସୁଫଳ ପାଇପାରୁଛନ୍ତି ।

ଏହି ଯୋଜନାରେ ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ରାଜ୍ୟର କେତେକ ଘରୋଇ ଡାକ୍ତରଖାନାରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡଧାରୀ ହିତାଧିକାରୀ ଏହାର ସୁଫଳ ପାଇପାରୁଛନ୍ତି । ଟାଟା ମେମୋରିଆଲ, ସିଏମ୍ସି ଭେଲୋର ଓ ନାରାୟଣ ହୃଦାୟଳ ଭଳି ଦେଶର ପ୍ରତିଷ୍ଠିତ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ମଧ୍ୟ କ୍ୟାନସର, ହୃଦରୋଗ ଓ କିଡ୍ନୀ ରୋଗୀ ଏହାର ସୁଫଳ ପାଇପାରୁଛନ୍ତି । ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯାଉଥିବା ରୋଗୀଙ୍କୁ ଗସ୍ତ ଖର୍ଚ୍ଚ ବାବଦରେ  ୨ ହଜାର ଟଙ୍କା ମିଳୁଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୧ କୋଟି ୧୦ ଲକ୍ଷ ଲୋକ ଉପକୃତ ହୋଇଛନ୍ତି ।
Share

Leave a Reply

Your email address will not be published. Required fields are marked *

1 + 1 =