ଜନଜାତି ଐତିହ୍ୟ ଓ ସ୍ୱରକୁ ସମ୍ମାନ ଜଣାଇ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ‘ବିଶ୍ୱ ଜନଜାତି ଦିବସ’ ପାଳିତ
ବୁର୍ଲା, ଅଗଷ୍ଟ ୧୦, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିବ୍ଲୁଓଡିଏଲ୍) ପକ୍ଷରୁ ଏହାର ବିତରଣ କ୍ଷେତ୍ର ଅନ୍ତର୍ଗତ ପାଞ୍ଚଟି ଜିଲ୍ଲାରେ ବିଶ୍ୱ ଜନଜାତି ଦିବସ ପାଳନ କରାଯାଇଅଛି । ଏହି ଅବସରରେ ପାଞ୍ଚ ଗୋଟି ଜନଜାତି ସମୁଦାୟ ଏକତ୍ରିତ କରାଯାଇ ଜନଜାତି ଐତିହ୍ୟର ପାଳନ କରିବା ସହିତ ଜନଜାତି ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା ।
ଟିପିଡବ୍ଲୁଓଡିଏଲର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ବିଭାଗ ଏବଂ ଏହାର ଆଫର୍ମେଟିଭ୍ ଆକ୍ସନ୍ (ଏଏ) ପଦକ୍ଷେପ ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼, ନୂଆପଡ଼ା, କଳାହାଣ୍ଡି ଓ ଦେବଗଡ଼ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି), ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ସଦସ୍ୟ ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କନ୍ଧ, ସଉରା, ଗୋଣ୍ଡ, ସାନ୍ତାଳ ଓ ଭୂୟାଁ ସମୁଦାୟକୁ ସାମିଲ କରାଯାଇଥିଲା । ଏହା ମାଧ୍ୟମରେ ଜନଜାତି ସମୁଦାୟର ଅବଦାନ ଏବଂ ଆକାଂକ୍ଷାକୁ ନେଇ ଆଲୋଚନା ଓ ସଚେତନତା ପାଇଁ ଏକ ମଞ୍ଚ ସୃଷ୍ଟି ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ପିଢ଼ି ପରେ ପିଢ଼ି ହସ୍ତାନ୍ତରିତ ହୋଇ ଆସୁଥିବା ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ପାରମ୍ପରିକ ପ୍ରଥା ଓ ଜନଜାତି ଜ୍ଞାନ ପ୍ରଣାଳୀର ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା । ଜନଜାତି ଅଧିକାରର ସୁରକ୍ଷା ସହ ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ପାରମ୍ପରିକ ଜ୍ଞାନକୁ ପ୍ରାସଙ୍ଗିକ ରଖିବାର ଆବଶ୍ୟକତା ନେଇ ମଧ୍ୟ ଆଲୋଚନା ହୋଇଥିଲା । ପରିବେଶ ସୁରକ୍ଷା ଓ ଜଳବାୟୁ ସହନଶୀଳତା କ୍ଷେତ୍ରରେ ଜନଜାତି ସମୁଦାୟର ଭୂମିକା ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ବିଷୟ ଥିଲା । ପ୍ରକୃତି ସହ ସମନ୍ୱିତ ସେମାନଙ୍କର ପାରମ୍ପରିକ ଅଭ୍ୟାସ ଏବଂ ସ୍ଥାନୀୟ ପରିବେଶ ସମ୍ପର୍କରେ ଗଭୀର ଜ୍ଞାନ ସ୍ଥାୟୀ ଜୀବନଶୈଳୀ ଓ ପ୍ରାକୃତିକ ସମ୍ପଦର ଦାୟିତ୍ୱପୂର୍ଣ୍ଣ ପରିଚାଳନା ପାଇଁ ମୂଲ୍ୟବାନ ଶିକ୍ଷା ପ୍ରଦାନ କରେ ।
ଏହି ଅବସରରେ ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ ଶ୍ରୀ ପ୍ରବଣୀ ବର୍ମା ପ୍ରକାଶ କରିଛନ୍ତି ଯେ, “ଜନଜାତି ସମୁଦାୟ ପିଢ଼ି ପରେ ପିଢ଼ି ପ୍ରକୃତି ସହ ସମନ୍ୱୟ ରକ୍ଷା କରି ବିକଶିତ ହୋଇଆସିଥିବା ସମୃଦ୍ଧ ସଂସ୍କୃତି, ଜ୍ଞାନ ଓ ପରମ୍ପରାର ରକ୍ଷକ । ସେମାନଙ୍କର ସ୍ୱରକୁ ସ୍ୱୀକୃତି ଦେବା ଏବଂ ଏହି ଐତିହ୍ୟର ସୁରକ୍ଷା କରିବା ଏକ ସମାବେଶୀ ଓ ସ୍ଥାୟୀ ସମୁଦାୟ ଗଠନର ଗୁରୁତ୍ୱପୂର୍ଣ୍ଣ ଅଂଶ । ଆମର CSR ପଦକ୍ଷେପ ମାଧ୍ୟମରେ ଟିପିଡବ୍ଲୁଓଡିଏଲ୍ ସମୁଦାୟର ଅଂଶଗ୍ରହଣକୁ ସୁଦୃଢ଼ କରିବା, ସଶକ୍ତିକରଣର ସୁଯୋଗ ସୃଷ୍ଟି କରିବା ଏବଂ ଜନଜାତି ଜ୍ଞାନ ଓ ସାଂସ୍କୃତିକ ପରିଚୟର ସୁରକ୍ଷା ପାଇଁ ସହଯୋଗ ଜାରି ରଖିବାକୁ ପ୍ରତିବଦ୍ଧ।”
ଏହି କାର୍ଯ୍ୟକ୍ରମ ସମାବେଶୀ ବିକାଶ ଓ ସାର୍ଥକ ସମୁଦାୟ ସଂପୃକ୍ତି ପ୍ରତି ଟିପିଡବ୍ଲୁଓଡିଏଲର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବା ସହ ଜନଜାତି ସମୁଦାୟକୁ ସେମାନଙ୍କର ଦୃଷ୍ଟିକୋଣ, ପରମ୍ପରା ଓ ଜ୍ଞାନ ବାଣ୍ଟିବା ପାଇଁ ଏକ ମଞ୍ଚ ପ୍ରଦାନ କରିଛି । ଆଫର୍ମେଟିଭ୍ ଆକ୍ସନ୍ (AA) ଭଳି ପଦକ୍ଷେପ ମାଧ୍ୟମରେ ଟିପିଡବ୍ଲୁଓଡିଏଲ୍ ଏହାର କାର୍ଯ୍ୟକ୍ଷେତ୍ରର ବିଭିନ୍ନ ସମୁଦାୟ ସହ ନିରନ୍ତର ଭାବେ ଯୋଡ଼ି ରହିଛି, ଯେଉଁଥିରେ ସଶକ୍ତିକରଣ, ସମାବେଶ ଓ ସ୍ଥାୟୀ ସମୁଦାୟ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି ।

