ଟିପିଏସ୍ଓଡିଏଲ୍ ତରଫରୁ କୋରାପୁଟ ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ
କୋରାପୁଟ: ମାସବ୍ୟାପୀ ଚାଲୁ ରହିଥିବା ସେବା ସଂକଳ୍ପ ଅଭିଯାନ ଅବସରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ କୋରାପୁଟ ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ ହୋଇଛି। କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ମନୋଜ ସତ୍ୟୱାନ ମହାଜନ, ଆଇଏଏସ୍, ସୋଲାର ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
ଏହି ସୋଲାର ରଥ କୋରାପୁଟ ଜିଲ୍ଲାର ସମସ୍ତ ୧୪ଟି ବ୍ଲକ୍ ପରିକ୍ରମା କରିବ । ଏଥିସହିତ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଏବଂ ୟୁଟିଲିଟି ଲେଡ୍ ଆଗ୍ରିଗେସନ୍ (ୟୁଏଲ୍ଏ ) ମଡେଲ୍ ସମ୍ପର୍କରେ ଲୋକଙ୍କୁ ସଚେତନ କରିବ। ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନର ସୁବିଧା ଓ ଉପକାରିତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହିତ ସ୍ୱଚ୍ଛ, ସୁଲଭ ଓ ନବୀକରଣଯୋଗ୍ୟ ଶକ୍ତି ଆପଣାଇବା ପାଇଁ ଅଧିକରୁ ଅଧିକ ପରିବାରକୁ ଉତ୍ସାହିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।
ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ନିକଟରେ ସୌରଶକ୍ତି ସମ୍ପର୍କିତ ସୂଚନା ପହଞ୍ଚାଇବା ପାଇଁ ସୋଲାର ରଥରେ ରେଡିଓ ଜିଙ୍ଗଲ୍ ପ୍ରସାରଣ କରାଯିବା ସହ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି )ସମ୍ପର୍କିତ ଲିଫ୍ଲେଟ୍ ବଣ୍ଟନ କରାଯିବ। ସୋଲାର ରଥରେ ଥିବା ସୋଲାର ସାଙ୍ଗ ଗ୍ରାହକଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ଯୋଜନାର ଉପକାରିତା, ଆବେଦନ ପ୍ରକ୍ରିୟା, ଉପଲବ୍ଧ ସବ୍ସିଡି ଏବଂ ୟୁଏଲ୍ଏ ମଡେଲ୍ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିବେ। ଏଥିସହ ଗ୍ରାହକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେମାନଙ୍କୁ ଏ ବାବଦରେ ସହଯୋଗ କରିବେ।
ଏହି ଅବସରରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍, କହିଛନ୍ତି, “କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ନିକଟରେ ରୁଫ୍ ଟପ୍ ସୋଲାର ସମ୍ପର୍କିତ ସଚେତନତା ପହଞ୍ଚାଇବା ଦିଗରେ ସୋଲାର ରଥ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଏବଂ ୟୁଏଲ୍ଏ ମଡେଲ୍ ମାଧ୍ୟମରେ ଆମେ ଘରୋଇ ଉପଭୋକ୍ତାଙ୍କ ପାଇଁ ସୌରଶକ୍ତିକୁ ଅଧିକ ସୁଲଭ ଓ ସହଜରେ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖିଛୁ। ଗ୍ରାହକଙ୍କ ସହ ସିଧାସଳଖ ଯୋଗାଯୋଗ ମାଧ୍ୟମରେ ସେମାନଙ୍କୁ ଏ ବାବଦରେ ସହଯୋଗ କରିବା, ଆବେଦନ ପ୍ରକ୍ରିୟାକୁ ସରଳ କରିବା ଏବଂ ଅଧିକ ପରିବାରକୁ ସ୍ୱଚ୍ଛ ଶକ୍ତି ଆପଣାଇବା ପାଇଁ ଉତ୍ସାହିତ କରିବା ଆମର ଉଦ୍ଦେଶ୍ୟ। ସମଗ୍ର ଦକ୍ଷିଣ ଓଡ଼ିଶାରେ ରୁଫ୍ ଟପ୍ ସୋଲାର ବ୍ୟବହାର ବୃଦ୍ଧି ପାଇଁ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧ।”
ସୌରଶକ୍ତିର ବ୍ୟବହାର ବୃଦ୍ଧି ଏବଂ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥିରେ ପଥପ୍ରାନ୍ତ ନାଟକ, ଗ୍ରାମସଭା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ, ଗ୍ରାହକଙ୍କ ସହ ଆଲୋଚନା ଏବଂ ଅନ୍ୟାନ୍ୟ ଅଭିଯାନ ସାମିଲ ରହିଛି। ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ ଲୋକଙ୍କୁ ଯୋଜନା ସମ୍ପର୍କରେ ଅବଗତ କରାଇବା ଏବଂ ପରିବାରଗୁଡ଼ିକୁ ସୌରଶକ୍ତି ଆପଣାଇବାରେ ସହାୟତା କରାଯାଉଛି।
ସୋଲାର ରଥ ମାଧ୍ୟମରେ ବିଶେଷକରି ଦୁର୍ଗମ ଅଞ୍ଚଳର ଲୋକଙ୍କ ନିକଟରେ ସୌରଶକ୍ତି ସମ୍ପର୍କିତ ସୂଚନା ପହଞ୍ଚାଇବା ସହ କୋରାପୁଟ ଜିଲ୍ଲାରେ ଅଧିକରୁ ଅଧିକ ପରିବାର ପାଇଁ ରୁଫ୍ ଟପ୍ ସୋଲାର ବ୍ୟବସ୍ଥାକୁ ସୁଗମ ଓ ସୁଲଭ କରିବାକୁ ଟିପିଏସ୍ଓଡିଏଲ୍ ଲକ୍ଷ୍ୟ ରଖିଛି।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଇଂ. ମନ୍ମଥ ନାଥ ମିଶ୍ର, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଜୋନାଲ୍ ହେଡ୍, ଜୟପୁର ; ଶ୍ରୀ ଟି. ତପନରଶ୍ମି ସୁବୁଦ୍ଧି, ଅଧୀକ୍ଷଣ ଯନ୍ତ୍ରୀ, ଜୟପୁର ସର୍କଲ; କୋରାପୁଟ ଇଲେକ୍ଟ୍ରିକାଲ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ରଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ଟିପିଏସ୍ଓଡିଏଲର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

