Business

ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପକ୍ଷରୁ ଟାଟା ଷ୍ଟିଲ୍ ଟେକ୍ନିକାଲ ସର୍ଭିସେସକୁ ‘ସମ୍ମାନୀୟ ଶିଳ୍ପ ସହଯୋଗୀ’ ପୁରସ୍କାର

ଭୁବନେଶ୍ୱର, ୧୪ ଜୁଲାଇ ୨୦୨୬: ଓଡ଼ିଶାରେ ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ଯୁବବର୍ଗଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଟାଟା ଷ୍ଟିଲ୍ ଟେକ୍ନିକାଲ୍ ସର୍ଭିସେସ୍ ଲିମିଟେଡ୍ (ଟିଏସଟିଏସଏଲ୍‌)କୁ ସମ୍ମାନିତ କରାଯାଇଛି। ଭୁବନେଶ୍ୱରସ୍ଥିତ ‘ୱାର୍ଲ୍ଡ ସ୍କିଲ୍ ସେଣ୍ଟର’ର ସପ୍ତମ ସମାବର୍ତ୍ତନ ଉତ୍ସବ ଅବସରରେ ଟିଏସଟିଏସଏଲ୍‌କୁ ‘ସମ୍ମାନୀୟ ଶିଳ୍ପ ସହଯୋଗୀ’ ଭାବେ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଉତ୍ସବରେ ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ୍ ଅଫ୍ ସର୍ଭିସେସର ୨୦୨୫-୨୬ ବ୍ୟାଚ୍‌ର ୨୪୫ ଜଣ ଛାତ୍ର ଏବଂ ୨୬୧ ଜଣ ଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି। ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାକୁ ଏକ ଦକ୍ଷତା ହବ୍‌ରେ ପରିଣତ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ବିଷୟରେ କହିଥିଲେ।

ଟାଟା ଷ୍ଟିଲ୍ ଟେକ୍ନିକାଲ୍ ସର୍ଭିସେସ୍ ଲିମିଟେଡ୍ ର ସିଇଓ ଶ୍ରୀ ସନ୍ଦୀପ ଧୀର କମ୍ପାନୀ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀ ଧୀର କହିଛନ୍ତି ଯେ, “ଆମେ ବିଶ୍ୱାସ କରୁ ଯେ ଆମର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ପାଇଁ ଶିକ୍ଷା ଏବଂ ଶିଳ୍ପ କ୍ଷେତ୍ରର ବ୍ୟାବହାରିକ ପ୍ରୟୋଗ ମଧ୍ୟରେ ଥିବା ଦୂରତାକୁ ଦୂର କରିବା ନିହାତି ଜରୁରୀ। ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପକ୍ଷରୁ ମିଳିଥିବା ଏହି ସ୍ୱୀକୃତି ଆମର ନିରନ୍ତର ପ୍ରୟାସର ଏକ ପ୍ରତିଫଳନ। ଆଧୁନିକ ଶିଳ୍ପର ଆବଶ୍ୟକତାକୁ ପୂରଣ କରିବା ଏବଂ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାର ଏବଂ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ଭଳି ଅଗ୍ରଣୀ ଅନୁଷ୍ଠାନ ସହ ମିଶି ଏକ ଦୃଢ଼ ପ୍ରତିଭା ସମ୍ପନ୍ନ ଇକୋସିଷ୍ଟମ ଗଠନ କରିବା ପାଇଁ ଆମେ ପ୍ରତିବଦ୍ଧ।”

କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଆଇଏଏସ୍ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ, ୱାର୍ଲ୍ଡ ସ୍କିଲ୍ ସେଣ୍ଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଶ୍ମୀରଞ୍ଜନ ମହାପାତ୍ରଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ବିଭିନ୍ନ ପ୍ରତିଷ୍ଠିତ ଶିଳ୍ପ ସହଯୋଗୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।

ଏହି ସମ୍ମାନ ଟିଏସଟିଏସଏଲ୍‌ର ଦକ୍ଷତା ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବା ସହ ଦେଶର ଶିଳ୍ପ ଜଗତର ଆବଶ୍ୟକତା ଅନୁଯାୟୀ ଭବିଷ୍ୟତର ଦକ୍ଷ ମାନବ ସମ୍ବଳ ଗଠନ କରିବା ଦିଗରେ ସହାୟକ ହେବ।

Share

Leave a Reply

Your email address will not be published. Required fields are marked *

twelve − 3 =