Business

ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନାର ପ୍ରଚାର ପାଇଁ ଟିପିସିଓଡିଏଲ୍‌ର ସୋଲାର ରଥକୁ ଶୁଭାରମ୍ଭ କଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ

କେନ୍ଦ୍ରାପଡ଼ା, ଅଗଷ୍ଟ ୧୭, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା ଅଧୀନରେ ରୁଫଟପ୍ ସୋଲାର ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ଏହାକୁ ଆପଣାଇବା ପାଇଁ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ସୋଲାର ରଥର ଶୁଭାରମ୍ଭ କରିଛି।
ଟିପିସିଓଡିଏଲ୍‌ର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍. ଆୟାର୍, ଆଇଏଏସ୍ ଏହି ସୋଲାର ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରଥ ଜିଲ୍ଲାର ମଡେଲ୍ ସୋଲାର ଭିଲେଜ୍ ଏବଂ ଅନ୍ୟାନ୍ୟ ଗ୍ରାମଗୁଡ଼ିକ ପରିକ୍ରମା କରି ଉପଭୋକ୍ତାମାନଙ୍କୁ ରୁଫଟପ୍ ସୋଲାର, ସରକାରୀ ସବସିଡି, ଯୋଗ୍ୟତା ତଥା ସଂଯୋଗ ପ୍ରକ୍ରିୟା ବିଷୟରେ ସଚେତନ କରିବ। ଏଥିସହ ‘ସୋଲାର ସାଙ୍ଗ’ ଟିମ୍ ଉପଭୋକ୍ତା ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ପ୍ରଶ୍ନର ସମାଧାନ ମଧ୍ୟ କରିବେ।
ପୂର୍ବରୁ, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଜିଲ୍ଲା ସ୍ତରୀୟ କମିଟି (ଡିଏଲସି) ବୈଠକରେ ପିଏମ୍ ସୂର୍ଯ୍ୟ ଘର ଯୋଜନା ଅଧୀନରେ ‘ମଡେଲ୍ ସୋଲାର ଭିଲେଜ୍ ପ୍ରତିଯୋଗିତା’ ପାଇଁ ୧୦ଟି ଗ୍ରାମକୁ ଚୟନ କରାଯାଇଥିଲା। ଏହି ଗ୍ରାମଗୁଡ଼ିକ ୯୦ ଦିନ ମଧ୍ୟରେ ସର୍ବାଧିକ ସଂଖ୍ୟକ ରୁଫଟପ୍ ସୋଲାର ସଂଯୋଗ ସ୍ଥାପନ କରିବାକୁ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରିବେ ଏବଂ ବିଜୟୀ ଗ୍ରାମ ଅକ୍ଷୟ ଶକ୍ତି ବିକାଶ ଅନୁଦାନ ଭାବରେ ୧ କୋଟି ଟଙ୍କାର କେନ୍ଦ୍ରୀୟ ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବ।
ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍. ଆୟାର୍, ଆଇଏଏସ୍ କହିଥିଲେ ଯେ, “ଏହି ସୋଲାର ରଥ ରୁଫଟପ୍ ସୋଲାର ବିଷୟରେ ସଚେତନତାକୁ ସିଧାସଳଖ ଲୋକଙ୍କ ନିକଟରେ ପହଞ୍ଚାଇବ ଏବଂ ଅଧିକରୁ ଅଧିକ ପରିବାରକୁ ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନାର ଲାଭ ଉଠାଇବାରେ ସାହାଯ୍ୟ କରିବ। ଏଭଳି ପଦକ୍ଷେପ ଜିଲ୍ଲାରେ ଅକ୍ଷୟ ଶକ୍ତି ଏବଂ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବ।”

Share

Leave a Reply

Your email address will not be published. Required fields are marked *

eight + 1 =