Business

ଆମାଜନ ଭାରତରେ ନିଜ ପ୍ରତିବଦ୍ଧତା ସୁଦୃଢ଼ କରିଛି, ଭାରତର ଡିଜିଟାଲ୍ ଅର୍ଥନୀତି ଓ ରପ୍ତାନି ସୁଦୃଢ଼ କରିବା ପାଇଁ ନୂଆ ଅଭିଯାନ ଘୋଷଣା

ଡାକ ବିଭାଗ ଓ ଭାରତୀୟ ରେଳର ଡିଏଫ୍‌ସି ସହ ସହଯୋଗିତା ସ୍ଥାପନ
ଏମ୍‌ଏସ୍‌ଏମ୍‌ଇ ପାଇଁ ଆମାଜନ ସହ-ଏଆଇ ଜେନେରେଟିଭ୍ ଏଆଇ ଟୁଲ୍ ଘୋଷଣା
ଭୁବନେଶ୍ୱର: ଆମାଜନ ସମ୍ଭବ ସମ୍ମିଳନୀର ଚତୁର୍ଥ ସଂସ୍କରଣ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଂପାନି ଭାରତ ପ୍ରତି ଏହାର ପ୍ରତିବଦ୍ଧତାକୁ ଦର୍ଶାଇବା ସହ ଡିଜିଟାଲ୍ ଅର୍ଥନୀତି ଓ ରପ୍ତାନିକୁ ସୁଦୃଢ଼ କରିବା ଲାଗି ନୂଆ ଅଭିଯାନ ଘୋଷଣା କରିଛି । ଲଜିଷ୍ଟିକ୍ସକୁ ଦୃଢ଼ କରିବା ଲାଗି କଂପାନି ପକ୍ଷରୁ ଭାରତୀୟ ଡାକ ଓ ଭାରତୀୟ ରେଳ ସହିତ ଦୀର୍ଘସ୍ଥାୟୀ ସହଯୋଗିତା ସ୍ଥାପନ କରାଯାଇଛି । ସୀମାପାର ଲଜିଷ୍ଟିକ୍ ସମାଧାନ ପାଇଁ କଂପାନି ଭାରତୀୟ ଡାକ ସହ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରିଛି । ଏହା ଜରିଆରେ ସାରା ଦେଶରେ ଥିବା ଲକ୍ଷ ଲକ୍ଷ ଏମଏସ୍‌ଏମ୍‌ଇ ପାଖରେ ଇ-କମର୍ସ ରପ୍ତାନି ସୁଯୋଗ ପହଂଚିପାରିବ । ଗ୍ରାହକମାନଙ୍କ ପାଖରେ ଶୀଘ୍ର ସାମଗ୍ରୀ ପହଂଚାଇବା ଲାଗି କଂପାନି ପକ୍ଷରୁ ଭାରତୀୟ ରେଳର ଡେଡିକେଟେଡ୍ ଫ୍ରେଟ୍ କରିଡର କର୍ପୋରେସନ ଅଫ୍ ଇଣ୍ଡିଆ (ଡିଏଫ୍‌ସି) ସହ ବୁଝାମଣା ସ୍ୱାକ୍ଷର କରାଯାଇଛି ।
ଏହି ଅବସରରେ ଆମାଜନ ସହ-ଏଆଇ ବିଷୟରେ ଘୋଷଣା କରାଯାଇଛି ଯାହା ହେଉଛି ଏକ ଜେନେରେଟିଭ୍ ଏଆଇ ଭିତିକ ଟୁଲ୍ । କଂପାନି ସାରା ଦେଶର ଡାଇରେକ୍ଟ ଟୁ କଂଜ୍ୟୁମର (ଡି୨ସି) ବ୍ରାଣ୍ଡ୍ ପାଇଁ ନିଜର ଲଜିଷ୍ଟିକ୍ ଓ ଯୋଗାଣ ଶୃଙ୍ଖଳ ଦକ୍ଷତାକୁ ଉନ୍ମୋଚନ କରିଛି । ସମ୍ଭବ ୨୦୨୩ରେ ଆମାଜନ ଓ ଭାରତୀୟ ଡାକ ପକ୍ଷରୁ ଏକ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରାଯାଇଛି । ସେବା ଯୋଗାଇ ହେଉଥିବା ସବୁ ସ୍ଥାନରେ ପହଂଚିବା ଲାଗି ଉଭୟ ସଂସ୍ଥା ମଧ୍ୟରେ ଥିବା ଦୀର୍ଘସ୍ଥାୟୀ ସହଯୋଗିତାକୁ ଏହି ଡାକ ଟିକଟ ଜରିଆରେ ପାଳନ କରାଯାଉଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ, “ସମ୍ଭବ ୨୦୨୩ ପାଇଁ ମୁଁ ଆମାଜନକୁ ଅଭିନନ୍ଦନ ଜଣାଉଛି । ୨୦୨୫ ସୁଦ୍ଧା ୧୦ ନିୟୁତ ଏମ୍‌ଏସ୍‌ଏମ୍‌ଇକୁ ଡିଜିଟାଇଜ୍ କରିବା, ୨ ନିୟୁତ ନିଯୁକ୍ତି ସୃଷ୍ଟି ଏବଂ ୨୦ ବିଲିଅନ ଡଲାର ଇ-କମର୍ସ ରପ୍ତାନି ପାଇଁ ଆମାଜନ ପ୍ରତିବଦ୍ଧ ଥିବା ଜାଣି ମୁଁ ଅତ୍ୟନ୍ତ ଆନନ୍ଦିତ । ଡିଜିଟାଇଜେସନ ଦ୍ୱାରା ଭାରତର ଲକ୍ଷ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବା ସହ ଅଧିକ ଗ୍ରାହକଙ୍କ ପାଖରେ ପହଂଚିପାରିବେ, ସେମାନଙ୍କ ମାର୍କେଟିଂ ଓ ବଂଟନ ଖର୍ଚ କମ୍ ହେବ ଏବଂ ବିଦେଶ ବଜାରରେ ସେମାନେ ପହଂଚିପାରିବେ ।’’
ଆମାଜନର ଏସ୍‌ଭିପି (ଭାରତ ଓ ଉଦୀୟମାନ ବଜାର) ଅମିତ ଅଗ୍ରୱାଲ୍ କହିଛନ୍ତି ଯେ, “ଭାରତୀୟ ବଜାରରେ ଥିବା ଅଭିବୃଦ୍ଧି ଓ ଦୀର୍ଘସ୍ଥାୟୀ ସମ୍ଭାବନା ଏବଂ ନିୟୁତାଧିକ ଗ୍ରାହକ ଓ ବିକ୍ରେତାଙ୍କୁ ସେବା ପ୍ରଦାନ କରିବା ପାଇଁ ଥିବା ସୁଯୋଗକୁ ନେଇ ଆମେ ବେଶ ଉତ୍ସାହିତ । ୨୦୩୦ ସୁଦ୍ଧା ଭାରତରେ ୧୫ ବିଲିଅନ ଡଲାର ନିବେଶ କରିବା ବିଷୟରେ ଆମେ ନିକଟରେ ଘୋଷଣା କରିଥିଲୁ ଏବଂ ଏକବିଂଶ ଶତାବ୍ଦୀରେ ଭାରତର ଅଭିବୃଦ୍ଧି କାହାଣୀର ସହଯୋଗୀ ହୋଇ ଆମେ ରହିବୁ ।’’
ଆମାଜନ ଇଣ୍ଡିଆର କଂଟ୍ରି ମ୍ୟାନେଜର (ଭାରତ ଉପଭୋକ୍ତା ବ୍ୟବସାୟ) ମନିଷ ତିୱାରୀ କହିଛନ୍ତି ଯେ, “ଭାରତରେ ୧୦ ନିୟୁତ ଏମ୍‌ଏସ୍‌ଏମ୍‌ଇକୁ ଡିଜିଟାଇଜ୍ କରିବା, ୨୦ ବିଲିଅନ ଡଲାରର କ୍ରମବର୍ଦ୍ଧିଷ୍ଣୁ ରପ୍ତାନି ଓ ୨ ନିୟୁତ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବା ପାଇଁ ଆମ ସଂକଳ୍ପ ଅନୁସାରେ ଫଳ ପ୍ରଦାନ କରିବା ଆଡ଼କୁ ଆମେ ନିକଟତର ହେଉଥିବା ବେଳେ ଭାରତ ପ୍ରଦାନଦ କରୁଥିବା ଦୀର୍ଘକାଳୀନ ସୁଯୋଗକୁ ନେଇ ଆମେ ଉତ୍ସାହିତ ରହିଛୁ । ଗ୍ରାହକମାନଙ୍କୁ ସେବା ପ୍ରଦାନ କରିବା ଏବଂ ଭାରତ ତଥା ବିଶ୍ୱରେ ବ୍ୟାପକ ହେବା ଓ ଭାରତୀୟ ବ୍ୟବସାୟକୁ ସକ୍ଷମ କରି ଭାରତର ବର୍ଦ୍ଧିତ ଡିଜିଟାଲ୍ ଅର୍ଥନୀତି ପ୍ରତି ଯୋଗଦାନ ପ୍ରଦାନ କରିବା ପାଇଁ ପ୍ରତ୍ୟକ୍ଷ ଓ ଡିଜିଟାଲ ଭିତିଭୂମିରେ ଦୀର୍ଘସ୍ଥାୟୀ ନିବେଶ କରିବା ଏବଂ ଉନ୍ନତ ବୈଷୟିକ ସମାଧାନ ବିକାଶ କରିବା ଉପରେ ଆମେ ଧ୍ୟାନ ଦେଉଛୁ ।’’
ପୋଷ୍ଟାଲ ସେବା ବୋର୍ଡର ଅଧ୍ୟକ୍ଷ ତଥା ଡାକ ବିଭାଗର ସଚିବ ଶ୍ରୀ ବିନୀତ ପାଣ୍ଡେ କହିଛନ୍ତି ଯେ, “ସାରା ଦେଶର କ୍ଷୁଦ୍ର ବ୍ୟବସାୟକୁ ସଶକ୍ତ କରିବା ଏବଂ ଭାରତର ମୋଟ ରପ୍ତାନିରେ ସେମାନଙ୍କ ଭାଗିଦାରୀତା ବଢ଼ାଇବା ପାଇଁ ଭାରତୀୟ ଡାକ ବିଭାଗର ଡାକ ନିର୍ଯ୍ୟାତ କେନ୍ଦ୍ରଗୁଡ଼ିକୁ ପ୍ରସ୍ତୁତ କରାଯାଇଛି । ଇ-କମର୍ସ ରପ୍ତାନିରେ ଥିବା ସୁଯୋଗ ହାସଲ କରିବା ପାଇଁ ଲକ୍ଷାଧିକ ଭାରତୀୟ ବ୍ୟବସାୟ ନିମନ୍ତେ ପ୍ରବେଶ ପ୍ରତିବନ୍ଧକ କମ୍ କରିବାରେ ଆମାଜନ ସହ କାମ କରୁଥିବାରୁ ଆମେ ଆନନ୍ଦିତ ।’’
ଭାରତୀୟ ରେଳର ରେଳ ବୋର୍ଡର ସଦସ୍ୟ-ଅପରେସନ୍ସ ଆଣ୍ଡ୍ ବିଜନେସ୍ ଡେଭେଲପ୍‌ମେଂଟ୍ ଶ୍ରୀ ଜୟା ବର୍ମା କହିଛନ୍ତିଯେ, “ଅତିରିକ୍ତ ଦକ୍ଷତା ତଥା ପ୍ରଭାବୀ, ଭରସା ଓ ସୁରକ୍ଷିତ ପରିବହନ ବିକଳ୍ପର ଗ୍ୟାରେଂଟି ଅନୁସାରେ ଡେଡିକେଟେଡ୍ ଫ୍ରେଟ୍ କରିଡରକୁ ଗଠନ କରାଯାଇଛି । ଭାରତୀୟ ରେଳ ସହିତ ଦୀର୍ଘସ୍ଥାୟୀ ସହଯୋଗିତାକୁ ଆହୁରି ସୁଦୃଢ଼ କରିଥିବାରୁ ଏବଂ ଡିଏଫ୍‌ସିକୁ ବ୍ୟବହାର କରି ଗ୍ରାହକଙ୍କ ପ୍ୟାକେଟ୍ ପରିବହନ କରିବାରେ ଭାରତର ପ୍ରଥମ ଇ-କମର୍ସ କଂପାନି ହୋଇଥିବାରୁ ଆମାଜନ ଇଣ୍ଡିଆକୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଛି । ଡିଏଫ୍‌ସିର ଦ୍ରୁତ ଗତି, ପ୍ରଭାବଶାଳୀ ଏବଂ ଭରସାଯୋଗ୍ୟତା ଆମାଜନ ଇଣ୍ଡିଆକୁ ସାରା ଦେଶରେ ଥିବା ଫ୍ରେଟ୍ ରେଳ ରୁଟ୍‌ରେ ଗ୍ରାହକଙ୍କ ପ୍ୟାକେଟ୍‌କୁ ପ୍ରଭାବଶାଳୀ ଢଙ୍ଗରେ ଓ ସମୟାନୁସାରେ ପରିବହନ କରିବାରେ ସହାୟକ ହେବ ।’’

Share

Leave a Reply

Your email address will not be published. Required fields are marked *

13 + 8 =