Business

ଭାରତର ବିକାଶ ପାଇଁ ସରକାର ଓ ଶିଳ୍ପ ଜଗତ ଏକାଠି ହୁଅନ୍ତୁ: ଅନିଲ ଅଗ୍ରୱାଲ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଭାରତର ବିକାଶ ଦୃଷ୍ଟିକୋଣକୁ ସଫଳ କରିବା ପାଇଁ ସରକାର ଓ ଶିଳ୍ପ ଜଗତ ମିଳିତ ଭାବେ କାମ କରିବା ଉଚିତ। ଏଥିସହ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଓ ବ୍ୟାପକ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଛନ୍ତି ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ। ନିକଟରେ ଫିକି କାର୍ଯ୍ୟକ୍ରମରେ ଶିଳ୍ପ ଜଗତକୁ ପ୍ରଧାନମନ୍ତ୍ରୀ ଦେଇଥିବା ଉଦ୍‌ବୋଧନ ଉପରେ ସେ ସୋସିଆଲ ମିଡିଆରେ ନିଜର ମତ ରଖିଛନ୍ତି।

ସରକାରଙ୍କ ମାଲିକାନାରେ ଥିବା କମ୍ପାନିଗୁଡ଼ିକର ଅଧିକ ଘରୋଇକରଣ ପାଇଁ ଅଗ୍ରୱାଲ ପ୍ରସ୍ତାବ ଦେଇଛନ୍ତି। ପ୍ରାକୃତିକ ସମ୍ପଦ, ଶକ୍ତି, ଉତ୍ପାଦନ ଓ ଭାରୀ ଶିଳ୍ପ କ୍ଷେତ୍ରରେ ଏହି ଘରୋଇକରଣ କରାଯାଇପାରିବ। ଘରୋଇ କମ୍ପାନିଗୁଡ଼ିକର ପରିଚାଳନା ଦ୍ୱାରା ଉତ୍ପାଦକତା ବଢ଼ିବା ସହ ନିଯୁକ୍ତି ସୃଷ୍ଟି ହେବ ଏବଂ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ର ବିକାଶ ହୋଇପାରିବ ବୋଲି ସେ କହିଛନ୍ତି। ତେବେ ଘରୋଇକରଣ ସମୟରେ ଦୁଇଟି ସର୍ତ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରଥମତଃ, କୌଣସି କର୍ମଚାରୀଙ୍କୁ ଚାକିରିରୁ ବାହାର କରାଯିବ ନାହିଁ ଏବଂ ଦ୍ୱିତୀୟତଃ, ନିଯୁକ୍ତି ସଂଖ୍ୟାକୁ ତିନିଗୁଣ ବଢ଼ାଇବାକୁ ପଡ଼ିବ। କମ୍ପାନିଗୁଡ଼ିକୁ କର୍ପୋରେଟ୍ ସଂସ୍ଥା ଅଧିଗ୍ରହଣ କରିବା ପରିବର୍ତ୍ତେ ସାଧାରଣ ଲୋକଙ୍କୁ ଅଂଶଧନ ବଣ୍ଟନ କରିବା ମଧ୍ୟ ଏକ ବିକଳ୍ପ ହୋଇପାରିବ। ଘରୋଇକରଣରୁ ମିଳୁଥିବା ଅର୍ଥକୁ ସରକାରୀ ଋଣ ହ୍ରାସ ଓ ଭିତ୍ତିଭୂମି ବିକାଶରେ ବିନିଯୋଗ କରାଯାଇପାରିବ।

ପ୍ରଧାନମନ୍ତ୍ରୀଙ୍କ ବିଶ୍ୱାସ ଉପରେ ଗୁରୁତ୍ୱକୁ ଉଲ୍ଲେଖ କରି ଅଗ୍ରୱାଲ କହିଛନ୍ତି ଯେ ଦୀର୍ଘ ଅନୁମତି ପ୍ରକ୍ରିୟା ବଦଳରେ ସ୍ୱ-ପ୍ରମାଣିକରଣ ବ୍ୟବସ୍ଥା ଓ ସରଳ ନିୟମ ଲାଗୁ କରାଯିବା ଆବଶ୍ୟକ। ସରକାର କେବଳ ସ୍ପଷ୍ଟ ନିୟମ ପ୍ରସ୍ତୁତ କରିବା ସହ ଅଡିଟ୍ ମାଧ୍ୟମରେ ତାହାର ଅନୁପାଳନ ଯାଞ୍ଚ କରିବା ଉଚିତ। ଏହାଦ୍ୱାରା ବ୍ୟବସାୟ ଓ ନୂଆ ଶିଳ୍ପ ପ୍ରତିଷ୍ଠା କରିବା ସହଜ ହେବ ଏବଂ ସେଗୁଡ଼ିକ ଦ୍ରୁତ ଗତିରେ ଆଗକୁ ବଢ଼ିପାରିବେ।

ଖଣିଜ ପଦାର୍ଥ, ଧାତୁ ଓ ହାଇଡ୍ରୋକାର୍ବନ୍ କ୍ଷେତ୍ରରେ ଅନୁସନ୍ଧାନ ବା ଏକ୍ସପ୍ଲୋରେସନ୍‌କୁ ଯୁବ ଉଦ୍ୟୋଗୀ ଓ ଷ୍ଟାର୍ଟଅପ୍‌ଗୁଡ଼ିକ ପାଇଁ ଏକ ବଡ଼ ସୁଯୋଗ ବୋଲି ସେ ଅଭିହିତ କରିଛନ୍ତି। ଏହି କ୍ଷେତ୍ରରେ କାମ କରୁଥିବା ଷ୍ଟାର୍ଟଅପ୍‌ଗୁଡ଼ିକ ନିଜର ଆବିଷ୍କାର ବା ଖଣିଜ ସମ୍ପଦ ସନ୍ଧାନ ସମ୍ପର୍କିତ ତଥ୍ୟ ଓ ଅଧିକାରକୁ ଓଏନ୍‌ଜିସି ଏବଂ ହିନ୍ଦୁସ୍ତାନ ଜିଙ୍କ୍ ଭଳି ବଡ଼ କମ୍ପାନିଙ୍କୁ ବିକ୍ରି କରିବାର ସୁଯୋଗ ପାଇବା ଉଚିତ। କାରଣ ଏହି କମ୍ପାନିଗୁଡ଼ିକର ବ୍ୟାପକ ଖଣି ଖନନ ଓ ପ୍ରକ୍ରିୟାକରଣ ପାଇଁ ଆବଶ୍ୟକ ପୁଞ୍ଜି ନିବେଶ କରିବାର କ୍ଷମତା ରହିଛି। ଏଭଳି ବ୍ୟବସ୍ଥା ଦ୍ୱାରା ଶହ ଶହ ଷ୍ଟାର୍ଟଅପ୍ ସୃଷ୍ଟି ହେବା ସହ ଯୁବ ଉଦ୍ୟୋଗୀଙ୍କ ପାଇଁ ନୂଆ ସୁଯୋଗ ଖୋଲିବ। ଏଥିସହ ଦେଶର ନିଜସ୍ୱ ପ୍ରାକୃତିକ ସମ୍ପଦ ଓ ଖଣିଜ କ୍ଷେତ୍ରକୁ ମଧ୍ୟ ମଜଭୁତ କରାଯାଇପାରିବ।

ନିଜର ମତ ଶେଷ କରି ଅଗ୍ରୱାଲ କହିଛନ୍ତି ଯେ ଘରୋଇକରଣ, ସ୍ୱ- ପ୍ରମାଣିକରଣ ଓ ଅନୁସନ୍ଧାନକୁ ନେଇ ଏକ ଜାତୀୟ ଆନ୍ଦୋଳନ ଭିତ୍ତିରେ ଗଠନ କରିବା ପାଇଁ ଶିଳ୍ପ ଜଗତ, ସରକାର ଓ ନାଗରିକମାନେ ଏକାଠି ହେବା ଆବଶ୍ୟକ। ଯେପରି ‘ଜୟ ଯବାନ, ଜୟ କିଷାନ’ ଆନ୍ଦୋଳନ ଦେଶକୁ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭର କରିବାରେ ସଫଳ ହୋଇଥିଲା, ସେହିପରି ଏକ ସାମୂହିକ ପ୍ରୟାସ ମାଧ୍ୟମରେ ଦେଶରେ ନିଯୁକ୍ତି ସୃଷ୍ଟି, ଲୋକଙ୍କ ଆୟ ବୃଦ୍ଧି ଓ ଭାରତୀୟ ଟଙ୍କାର ମୂଲ୍ୟକୁ ମଜଭୁତ କରାଯାଇପାରିବ।

Share

Leave a Reply

Your email address will not be published. Required fields are marked *

7 − 5 =