ଓଡ଼ିଶାରେ ଶିଳ୍ପ ନେତୃତ୍ୱ, ନୂଆ ଉଦ୍ଭାବନ ଏବଂ ସାମାଜିକ ବିକାଶର ୧୧ ବର୍ଷ ପୂର୍ତ୍ତି ପାଳନ କରୁଛି ଟାଟା ଷ୍ଟିଲ୍ କଳିଙ୍ଗନଗର

- ବାର୍ଷିକ ୮ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କ୍ଷମତା ସହ ଦେଶର ଆତ୍ମନିର୍ଭରଶୀଳତା ଓ ପରିବେଶ ଅନୁକୂଳ ଇସ୍ପାତ ଉତ୍ପାଦନକୁ ଆଗକୁ ନେଉଛି ଟିଏସ୍କେ
କଳିଙ୍ଗନଗର, ନଭେମ୍ବର ୧୮ , ୨୦୨୬: ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍କେ) ଏହାର ସଫଳ ଯାତ୍ରାର ୧୧ ବର୍ଷ ପୂର୍ତ୍ତି ପାଳନ କରୁଛି । ଓଡ଼ିଶାରେ ଶିଳ୍ପର ବିକାଶ, ନୂଆ ପ୍ରଯୁକ୍ତିବିଦ୍ୟା ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା କ୍ଷେତ୍ରରେ ଏହା ଏକ ବଡ଼ ସଫଳତା । ୨୦୧୫ ମସିହାରେ ଆରମ୍ଭ ହୋଇଥିବା ଏହି କାରଖାନା ସ୍ଥାନୀୟଅଞ୍ଚଳର ଶିଳ୍ପ ଚିତ୍ରକୁ ବଦଳାଇ ଦେଇଛି । ଏହା ସହିତ ଉତ୍ତମ କାର୍ଯ୍ୟଦକ୍ଷତା, କର୍ମକ୍ଷେତ୍ରରେ ସୁରକ୍ଷା ଏବଂ ପରିବେଶ ଅନୁକୂଳ ଇସ୍ପାତ ଉତ୍ପାଦନରେ ନୂଆ ଉଦାହରଣ ସୃଷ୍ଟି କରିଛି ।
ଆରମ୍ଭରେ ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୩ ଏମଟିପିଏ ଥିଲା। ବର୍ତ୍ତମାନ ୫୦,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ ବଳରେ ଏହା ୮ ନିୟୁତ ଟନ୍ (ଏମଟିପିଏ) କ୍ଷମତା ବିଶିଷ୍ଟ ଏକ ବଡ଼ ଇସ୍ପାତ କାରଖାନାରେ ପରିଣତ ହୋଇଛି । ଟାଟା ଷ୍ଟିଲ୍ ଇତିହାସରେ ଏହା ହେଉଛି ସବୁଠାରୁ ବଡ଼ କ୍ଷମତା ବିସ୍ତାର । ଭାରତର ସବୁଠାରୁ ବଡ଼ ବ୍ଲାଷ୍ଟ ଫର୍ଣ୍ଣେସ୍ ସହିତ ଟିଏସ୍କେ ୧୦୦ରୁ ଅଧିକ ପ୍ରକାରର ଉଚ୍ଚମାନର ଇସ୍ପାତ ତିଆରି କରୁଛି । ଏହା ଦ୍ୱାରା ବିଦେଶରୁ ଇସ୍ପାତ ଆମଦାନୀ କମିବା ସହ ‘ଆତ୍ମନିର୍ଭର ଭାରତ’ ଅଭିଯାନ ମଜବୁତ ହେଉଛି ।
ପୂର୍ବରୁ ଓଡ଼ିଶା କେବଳ ଟାଟା ଷ୍ଟିଲ୍ର ଜାମସେଦପୁର କାରଖାନାକୁ କଞ୍ଚାମାଲ ଯୋଗାଉଥିଲା । କିନ୍ତୁ ଟିଏସ୍କେ ପ୍ରତିଷ୍ଠା ହେବା ପରେ ଓଡ଼ିଶାରେ ହିଁ ବିଶ୍ୱସ୍ତରୀୟ ଇସ୍ପାତ ଉତ୍ପାଦନ ସମ୍ଭବ ହୋଇପାରିଛି । ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶା ଭାରତରେ ଟାଟା ଷ୍ଟିଲ୍ର ସବୁଠାରୁ ବଡ଼ ନିବେଶ ସ୍ଥଳ ପାଲଟିଛି ଏବଂ ସମଗ୍ର ରାଜ୍ୟରେ କମ୍ପାନୀ ମୋଟ ୧,୦୦,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିଛି ।
ଏହି ଅବସରରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ଭାଇସ୍ ପ୍ରେସିଡେଣ୍ଟ ଅପରେସନ୍ସ ଉତ୍ତମ ସିଂହ କହିଛନ୍ତି, “ଗତ ୧୧ ବର୍ଷ ମଧ୍ୟରେ ଟାଟା ଷ୍ଟିଲ୍ କଳିଙ୍ଗନଗର ଉନ୍ନତ କାର୍ଯ୍ୟଶୈଳୀ, ନୂଆ ପ୍ରଯୁକ୍ତିବିଦ୍ୟା ଏବଂ ପରିବେଶ ସୁରକ୍ଷା ମାଧ୍ୟମରେ ବିଶ୍ୱସ୍ତରୀୟ ଇସ୍ପାତ ଉତ୍ପାଦନରେ ନୂଆ ମାନଦଣ୍ଡ ତିଆରି କରିଛି ।
ଏହି ବିକାଶ ଧାରାକୁ ଆଗକୁ ନେଇ, ନିକଟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଟିଏସ୍କେରେ ୯,୦୬୭ କୋଟି ଟଙ୍କାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ପ୍ରାୟ ୧୦,୫୦୦ ଜଣଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ରୋଜଗାର ମିଳିବ। ଏହା ସହିତ କାରଖାନାର ଉତ୍ପାଦନ କ୍ଷମତା, କଞ୍ଚାମାଲ ପରିବହନ ବ୍ୟବସ୍ଥା ଏବଂ ସବୁଜ ଭିତ୍ତିଭୂମି ଆହୁରି ମଜବୁତ ହେବ।
କୋଲ୍ଡ ରୋଲିଂ ମିଲ୍ ପରିସରରେ ନୂଆ କରି ଉଦ୍ଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ବାର୍ଷିକ ୧ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଦୁଇଟି କଣ୍ଟିନୁଅସ୍ ଗାଲଭାନାଇଜିଂ ଲାଇନ୍ ଏବଂ ଗୋଟିଏ କଣ୍ଟିନୁଅସ୍ ଆନିଲିଂ ଲାଇନ୍ ରହିଛି । ଅତ୍ୟାଧୁନିକ ଯନ୍ତ୍ରପାତିରେ ତିଆରି ଏହି ଲାଇନ୍ଗୁଡ଼ିକ ଗାଡ଼ିମୋଟର ଏବଂ ଘରୋଇ ଉପକରଣ ଶିଳ୍ପ ପାଇଁ ଅତ୍ୟନ୍ତ ମଜବୁତ ଓ ଉଚ୍ଚମାନର ଇସ୍ପାତ ତିଆରି କରିପାରିବ।
ସେହିପରି ବାର୍ଷିକ ୭ ଏମଟିପିଏ କ୍ଷମତା ବିଶିଷ୍ଟ ଭୂତଳ ସ୍ଲରି ପାଇପଲାଇନ୍ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କଳାମାଙ୍ଗ ଖଣିରୁ କଳିଙ୍ଗନଗର ପର୍ଯ୍ୟନ୍ତ ଲୁହାପଥର ଗୁଣ୍ଡକୁ ସୁରକ୍ଷିତ ଭାବେ ଆଣିବାରେ ସାହାଯ୍ୟ କରିବ। ଏହା ଦ୍ୱାରା ରାସ୍ତା ଓ ରେଳପଥ ଉପରେ ଚାପ କମିବ ଏବଂ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ। ଏହାଛଡ଼ା, ଲିଣ୍ଡେ ଇଣ୍ଡିଆ ଲିମିଟେଡ୍ ର ନୂଆ ୨x୧୮୦୦ ଟନ୍-ପ୍ରତିଦିନ କ୍ଷମତା ବିଶିଷ୍ଟ ଏୟାର୍ ସେପାରେସନ୍ ୟୁନିଟ୍ ଇସ୍ପାତ ତିଆରି ପାଇଁ ଅମ୍ଳଜାନ, ଯବକ୍ଷାରଜାନ ଓ ଆର୍ଗନ୍ ଯୋଗାଇ ଦେବ । ଜରୁରୀକାଳୀନ ସମୟରେ ଏହା ହସ୍ପିଟାଲଗୁଡ଼ିକୁ ମେଡିକାଲ୍ ଅମ୍ଳଜାନ ଯୋଗାଇବା ପାଇଁ ମଧ୍ୟ ପ୍ରସ୍ତୁତ ରହିବ।
ସ୍ମାର୍ଟ ମ୍ୟାନୁଫ୍ୟାକ୍ଚରିଂ ଏବଂ ଆଧୁନିକ ଜ୍ଞାନକୌଶଳ ପାଇଁ ୱାର୍ଲ୍ଡ ଇକୋନୋମିକ୍ ଫୋରମ୍ ପକ୍ଷରୁ ଟିଏସ୍କେକୁ ‘ଆଡଭାନ୍ସଡ୍ ୪ର୍ଥ ଇଣ୍ଡଷ୍ଟ୍ରିଆଲ୍ ରିଭୋଲ୍ୟୁସନ୍ ଲାଇଟ୍ହାଉସ୍’ ଭାବେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ପାଇବାରେ ଏହା ଭାରତର ପ୍ରଥମ ଏବଂ ବିଶ୍ୱର ଦ୍ୱିତୀୟ କାରଖାନା। ୨୦୨୪ ମସିହାରେ ଦାୟିତ୍ୱପୂର୍ଣ୍ଣ ଇସ୍ପାତ ଉତ୍ପାଦନ ପାଇଁ କାରଖାନାକୁ ସମ୍ମାନଜନକ ‘ରେସପନ୍ସିବଲ୍ ଷ୍ଟିଲ୍’ ପ୍ରମାଣପତ୍ର ମଧ୍ୟ ମିଳିଛି।
କର୍ମକ୍ଷେତ୍ରରେ ସମସ୍ତଙ୍କୁ ସମାନ ସୁଯୋଗ ଦେବା ଉପରେ ଟିଏସ୍କେ ଗୁରୁତ୍ୱ ଦେଇଆସୁଛି । କାରଖାନାର ମୋଟ କର୍ମଚାରୀଙ୍କ ମଧ୍ୟରୁ ୩୦ ପ୍ରତିଶତ ହେଉଛନ୍ତି ମହିଳା, ଦିବ୍ୟାଙ୍ଗ, ଏଲ୍ଜିବିଟିକ୍ୟୁଆଇଏ+ ବର୍ଗ ଏବଂ ପଛୁଆ ବର୍ଗର ଲୋକ। ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସହ ମିଶି ଗତ ୧୦ ବର୍ଷ ମଧ୍ୟରେ ୧୪ ଲକ୍ଷରୁ ଅଧିକ ଲୋକଙ୍କ ଜୀବନରେ ଉନ୍ନତି ଅଣାଯାଇପାରିଛି । ଲୋୟଲା ସ୍କୁଲ୍ ମାଧ୍ୟମରେ ଭଲ ଶିକ୍ଷା, ୧୦୦ ଶଯ୍ୟା ବିଶିଷ୍ଟ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍ ଜରିଆରେ ଉନ୍ନତ ସ୍ୱାସ୍ଥ୍ୟସେବା ଏବଂ ‘ନବଜୀବନ କୋଅପରେଟିଭ୍ ଲିମିଟେଡ୍’ ମାଧ୍ୟମରେ ୧୦୦ରୁ ଅଧିକ ସ୍ଥାନୀୟ ମହିଳା କାରିଗରଙ୍କୁ ରୋଜଗାର ଯୋଗାଇ ଦିଆଯାଉଛି ।
୧୧ତମ ବାର୍ଷିକୀ ପାଳନ କରିବା ଅବସରରେ, ଟିଏସ୍କେ ସମଗ୍ର ଓଡ଼ିଶାରେ ପରିବେଶ ଅନୁକୂଳ ଇସ୍ପାତ ଉତ୍ପାଦନ, ଶିଳ୍ପ ଅଭିବୃଦ୍ଧି ଏବଂ ସମାଜର ବିକାଶକୁ ଆଗକୁ ନେବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛି।

