ନରସାପୁର ଓ ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବ ଭୀଷଣ ବାତ୍ୟା
ଆନ୍ଧ୍ରର ନରସାପୁର ଓ ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁବ ଭୀଷଣ ବାତ୍ୟା ‘ଅକ୍ ଭାନ । ୨୦ ତାରିଖ ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍ ସମ୍ଭାବନା ରହିଛି । ଘଣ୍ଟାପ୍ରତି ୧୧୦ କିମି ବେଗରେ ବହିପାରେ ପବନ । ବର୍ତ୍ତମାନ ଗୋପାଳପୁର ଠାରୁ ୭୧୦ ଓ ପୁରୀ ଠାରୁ ୭୭୦ କିମି ଦୂରରେ କେନ୍ଦ୍ରୀଭୂତ । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଏବଂ ତତ୍ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅକ୍ ଭାନ ଅଧିକ ଘନୀଭୂତ ହୋଇ ଏକ ‘ଭୀଷଣ ବାତ୍ୟା’ର ରୂପ ନେଇଛି । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି ଜାରି ରଖି ଆସନ୍ତା ୨୦ ନଭେମ୍ବର ମଧ୍ୟାହ୍ନ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ, ୟେନମ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳର ନରସାପୁର ଏବଂ ପୁରୀ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ସ୍ଥଳଭାଗ ଛୁଇଁବା ସମୟରେ ଏହା ଭୀଷଣ ବାତ୍ୟା ଭାବେ ରହିବା ସହ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ଏବଂ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।
ବାତ୍ୟା ‘ଅକଭାନ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆଜି ସକାଳ ୮ଟା ୩୦ ସୁଦ୍ଧା ଏହା ଦକ୍ଷିଣ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ନିକଟରେ କେନ୍ଦ୍ରୀଭୂତ ରହିଛି । ବର୍ତ୍ତମାନ ଏହା ତାମିଲନାଡୁର ଚେନ୍ନାଇ ଠାରୁ ପ୍ରାୟ ୫୭୦ କିଲୋମିଟର ପୂର୍ବରେ, ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ଠାରୁ ୫୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ, ମଛଲିପଟନମ ଠାରୁ ୫୯୦ କିଲୋମିଟର ଦକ୍ଷିଣ-ପୂର୍ବରେ ଏବଂ ଶ୍ରୀଲଙ୍କାର ତ୍ରିଙ୍କୋମାଲି ଠାରୁ ୬୬୦ କିଲୋମିଟର ଉତ୍ତର-ପୂର୍ବରେ ରହିଛି । ସେହିପରି ଓଡ଼ିଶାର ଗୋପାଳପୁର ଠାରୁ ଏହା ୭୧୦ କିଲୋମିଟର ଦକ୍ଷିଣରେ ଏବଂ ପୁରୀ ଠାରୁ ୭୭୦ କିଲୋମିଟର ଦକ୍ଷିଣରେ ଅବସ୍ଥିତ ରହିଛି । ବାତ୍ୟା ପ୍ରଭାବରେ ଆଜିଠାରୁ ରାଜ୍ୟର ପାଗରେ ପରିବର୍ତ୍ତନ ଆସିବା ସହ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି ।
ଅନ୍ୟପଟେ ବାତ୍ୟା ମୁକାବିଲା ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ବିଶେଷ କରି ପର୍ଯ୍ୟଟକଙ୍କୁ ସମୁଦ୍ର କୂଳକୁ ନ ଯିବା,ତଳିଆ ଅଞ୍ଚଳର ଲୋକଙ୍କୁ ଖାଲି କରାଯିବ । ଜିଲ୍ଲାର ଉପକୂଳବର୍ତ୍ତୀ ସମସ୍ତ ବ୍ଲକରେ ବିଡିଓ ଓ ତହସିଲଦାରଙ୍କୁ ସଜାଗ ରଖାଯାଇଛି । ଆଇଏମଡିର ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସୂଚନା।

