Uncategorized

ଇଣ୍ଡସଇଣ୍ଡ ବ୍ୟାଙ୍କ ପକ୍ଷରୁ ଜେପି ମୋର୍ଗାନ ପେମେଂଟସ ସହ ସହଯୋଗିତା

ଭୁବନେଶ୍ୱର: ଇଣ୍ଡସଇଣ୍ଡ ବ୍ୟାଙ୍କର ଗ୍ରାହକମାନେ ୧୨୩ଟି ବିଭିନ୍ନ ମୁଦ୍ରାରେ ବିଦେଶକୁ ଟଙ୍କା ପଠାଇପାରିବେ। ଏଥିପାଇଁ ବ୍ୟାଙ୍କ ପକ୍ଷରୁ ଜେପି ମୋର୍ଗାନ୍ ପେମେଂଟସ ସହ ସହଯୋଗିତା କରାଯାଇଛି। ଜେପି ମୋର୍ଗାନର ଏକ୍ସପେଡାଇଟ୍ ସମାଧାନ ଜରିଆରେ ଏହି ସେବା ଉପଲବ୍ଧ ହେବ। ଏହାଦ୍ୱାରା ଗ୍ରାହକମାନେ ଯେଉଁ ଦେଶକୁ ଟଙ୍କା ପଠାଇବେ, ସେହି ଦେଶର ପ୍ରଚଳିତ ମୁଦ୍ରାରେ ସିଧାସଳଖ ଅର୍ଥ ପଠାଇପାରିବେ।

ଏହି ବ୍ୟବସ୍ଥା ଫଳରେ ମଝିରେ ଅନ୍ୟ ମୁଦ୍ରାକୁ ପରିବର୍ତ୍ତନ କରିବାର ଆବଶ୍ୟକତା କମିବ। ଫଳରେ ଅର୍ଥ ପ୍ରେରଣ ପ୍ରକ୍ରିୟା ଅଧିକ ସରଳ ଓ ସୁବିଧାଜନକ ହେବ। ଜେପି ମୋର୍ଗାନର ବିଶ୍ୱବ୍ୟାପୀ ପେମେଂଟ ନେଟୱର୍କ, ସ୍ୱୟଂଚାଳିତ ମୁଦ୍ରା ବିନିମୟ ଦର ଓ ଉନ୍ନତ ପ୍ରକ୍ରିୟାକରଣ ବ୍ୟବସ୍ଥା ଜରିଆରେ ଏହି ସେବା ପରିଚାଳିତ ହେବ। ଏହାଦ୍ୱାରା ଟଙ୍କା ପଠାଇବା ପ୍ରକ୍ରିୟା ଅଧିକ ଦ୍ରୁତ ଓ ସହଜ ହେବ ବୋଲି କୁହାଯାଇଛି।

ବର୍ତ୍ତମାନ ଇଣ୍ଡସଇଣ୍ଡ ବ୍ୟାଙ୍କର ଶାଖାଗୁଡ଼ିକରେ ଏହି ସେବା ଉପଲବ୍ଧ ହେଉଛି। ଖୁବ୍‌ଶୀଘ୍ର ଏହାକୁ ବ୍ୟାଙ୍କର ଅନ୍‌ଲାଇନ୍ ଓ ମୋବାଇଲ ବ୍ୟାଙ୍କିଂ ସେବା ସହ ଯୋଡ଼ାଯିବ। ଫଳରେ ଗ୍ରାହକମାନେ ଦିନରାତି ଯେକୌଣସି ସମୟରେ, ସପ୍ତାହର ସାତ ଦିନ ମଧ୍ୟ ବିଦେଶକୁ ଅର୍ଥ ପଠାଇବା ପାଇଁ ଅନୁରୋଧ କରିପାରିବେ।

ଇଣ୍ଡସଇଣ୍ଡ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗଣେଶ ଶଙ୍କରନ କହିଛନ୍ତି ଯେ, “ଆମର ଗ୍ରାହକମାନେ କ୍ରମଶଃ ବିଶ୍ୱ ବଜାର ସହ ଅଧିକ ଭାବେ ଯୋଡ଼ି ହେଉଛନ୍ତି। ତେଣୁ ସେମାନଙ୍କ ପାଇଁ ସରଳ ଓ ନିର୍ବିଘ୍ନ ଅନ୍ତର୍ଜାତୀୟ ଅର୍ଥ କାରବାର ସୁବିଧା ଯୋଗାଇବା ଆମର ଏକ ପ୍ରମୁଖ ପ୍ରାଥମିକତା ହୋଇଛି। ଜେପି ମୋର୍ଗାନ୍ ପେମେଂଟସ ସହ ସହଯୋଗିତା ଜରିଆରେ ଆମେ ଆମର ସୀମାପାର ଅର୍ଥ କାରବାର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରୁଛୁ। ଏହାଦ୍ୱାରା ୧୨୩ଟି ମୁଦ୍ରାରେ ଅର୍ଥ ପଠାଇବା ସୁବିଧା ମିଳିବା ସହ ଗ୍ରାହକମାନେ ସମ୍ପୃକ୍ତ ଦେଶର ସ୍ଥାନୀୟ ମୁଦ୍ରାରେ ସିଧାସଳଖ ଅର୍ଥ ପଇଠ କରିପାରିବେ। ଏହା ଗ୍ରାହକଙ୍କ ଅର୍ଥ ପ୍ରେରଣ ଅନୁଭୂତିକୁ ଅଧିକ ସହଜ କରିବା ସହ ଏକ ସୁସଂଯୋଜିତ, ସୁବିଧାଜନକ ଓ ଭବିଷ୍ୟତର ଆବଶ୍ୟକତା ଅନୁକୂଳ ବ୍ୟାଙ୍କିଂ ସେବା ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବ।”

ଜେପି ମୋର୍ଗାନ୍ ପେମେଂଟସର ଭାରତୀୟ ପେମେଂଟସ ବିଭାଗର ମୁଖ୍ୟ ଗୁହାପ୍ରସାଥ ରାଜଗୋପାଳ କହିଛନ୍ତି ଯେ, “ଜେପି ମୋର୍ଗାନ୍ ପେମେଂଟସର ଏକ୍ସପେଡାଇଟ୍ ସମାଧାନ ଜରିଆରେ ଆମେ ଇଣ୍ଡସଇଣ୍ଡ ବ୍ୟାଙ୍କର ଗ୍ରାହକମାନଙ୍କୁ ଏକ ସମନ୍ୱିତ ସୀମାପାର ଅର୍ଥ ପ୍ରେରଣ ସେବା ଯୋଗାଇଦେବୁ। ଆମର ବିଶ୍ୱସ୍ତରୀୟ ପ୍ଲାଟଫର୍ମ ସହ ସ୍ଥାନୀୟ ଅଭିଜ୍ଞତାକୁ ମିଶାଇ ଆମେ ଏକ ବିଶ୍ୱସନୀୟ କରେସ୍ପଡେଣ୍ଟ ବ୍ୟାଙ୍କ ଭାବେ ସୀମାପାର ଅର୍ଥ କାରବାର ସେବା ପ୍ରଦାନ କରିବୁ। ଏହାଦ୍ୱାରା ଗ୍ରାହକମାନେ ଅଧିକ ଦ୍ରୁତ ଓ ସୁରକ୍ଷିତ ଭାବେ ଅର୍ଥ ପଠାଇପାରିବେ।”
ଏହି ସହଯୋଗିତା ଦ୍ୱାରା ଇଣ୍ଡସଇଣ୍ଡ ବ୍ୟାଙ୍କ ଗ୍ରାହକମାନେ ଗୋଟିଏ ବ୍ୟାଙ୍କିଂ ସମ୍ପର୍କ ମାଧ୍ୟମରେ ବିଭିନ୍ନ ଦେଶର ଅଧିକ ସଂଖ୍ୟକ ମୁଦ୍ରାରେ ଅର୍ଥ ପଠାଇବା ସୁବିଧା ପାଇପାରିବେ। ଜେପି ମୋର୍ଗାନ୍ ପେମେଂଟସ ବିଶ୍ୱର ୧୬୦ରୁ ଅଧିକ ଦେଶରେ ଏବଂ ୧୨୦ରୁ ଅଧିକ ମୁଦ୍ରାରେ କାରବାର କରୁଛି। ଏହା ପ୍ରତିଦିନ ପ୍ରାୟ ୧୨ ଲକ୍ଷ କୋଟି ଡଲାରର ଅର୍ଥ କାରବାର ପରିଚାଳନା କରୁଛି।

Share

Leave a Reply

Your email address will not be published. Required fields are marked *

two × one =