କ୍ରୀଡା

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କଲେ ଗ୍ଲେନ୍ ମ୍ୟାକ୍ସୱେଲ୍

ଅଷ୍ଟ୍ରେଲିଆର ଷ୍ଟାର୍ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ୩୮ ବର୍ଷୀୟ ମ୍ୟାକ୍ସୱେଲ୍ ୨୦୨୫ରେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ । ଏବେ ସେ ଅଷ୍ଟ୍ରେଲିଆର ଟି-୨୦ ଦଳ ସହ ନିଜ ରାଜ୍ୟ ଭିକ୍ଟୋରିଆ ପାଇଁ ମଧ୍ୟ କ୍ରିକେଟ୍ ଖେଳିବା ଛାଡ଼ି ଦେଇଛନ୍ତି ।

ଏନେଇ ମ୍ୟାକ୍ସୱେଲ୍ ‘ଦ ଫାଇନାଲ୍ ୱାର୍ଡ’ ପଡକାଷ୍ଟରେ ନିଜ ମତ ରଖିଛନ୍ତି । ସେ କହିଛନ୍ତି, ଭିକ୍ଟୋରିଆ ପାଇଁ ଶେଷ ଦିନିକିଆ ମ୍ୟାଚ୍ ଖେଳିବା ପରେ ନିଜ ସାଥୀ ଖେଳାଳିଙ୍କ ସହ କଥା ହେବା ଏବଂ ଏହା ରାଜ୍ୟ ପାଇଁ ତାଙ୍କର ଶେଷ ମ୍ୟାଚ୍ ବୋଲି ଜଣାଇବା ତାଙ୍କ ପାଇଁ ଆଶାଠାରୁ ଅଧିକ କଷ୍ଟକର ଥିଲା । ଏହି ସମୟରେ ସେ ଭାବପ୍ରବଣ ହୋଇପଡ଼ିଥିଲେ ।

ଚଳିତ ବର୍ଷ ଆରମ୍ଭରେ ଭାରତ ଓ ଶ୍ରୀଲଙ୍କାରେ ଆୟୋଜିତ ଟି-୨୦ ବିଶ୍ୱକପ୍‌ରେ ମ୍ୟାକ୍ସୱେଲ୍ ଅଷ୍ଟ୍ରେଲିଆ ପକ୍ଷରୁ ଖେଳିଥିଲେ । ନିଜ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରରେ ସେ ମୋଟ ୧୩୦ଟି ମ୍ୟାଚ୍ ଖେଳିଛନ୍ତି । ଏଥିରେ ୨୮.୯୭ ହାରରେ ଏବଂ ୧୫୪.୪୨ ଷ୍ଟ୍ରାଇକ୍ ରେଟ୍‌ରେ ୨,୮୯୭ ରନ୍ ସଂଗ୍ରହ କରିଛନ୍ତି । ଏହାବ୍ୟତୀତ ସେ ୫୧ଟି ୱିକେଟ୍ ନେବା ସହ ୬୨ଟି କ୍ୟାଚ୍ ଧରିଛନ୍ତି । ଟି-୨୦ ଅନ୍ତର୍ଜାତୀୟରେ ତାଙ୍କର ସର୍ବାଧିକ ଅପରାଜିତ ୧୪୫ ରନ୍ ରହିଛି । ୨୦୧୬ରେ ଶ୍ରୀଲଙ୍କା ବିପକ୍ଷରେ ସେ ଏହି ରେକର୍ଡ କରିଥିଲେ ।

ମ୍ୟାକ୍ସୱେଲ୍ କହିଛନ୍ତି, ନିଜ ଦେଶ ପାଇଁ ଖେଳିବାର ସୁଯୋଗ ମିଳିଥିବାରୁ ସେ ଅତ୍ୟନ୍ତ କୃତଜ୍ଞ । ୨୦୦୯ ମସିହାରେ ଯେତେବେଳେ ସେ ପ୍ରଥମ ଥର ପାଇଁ ଭିକ୍ଟୋରିଆ ଷ୍ଟାଡିୟମର ଡ୍ରେସିଂ ରୁମ୍‌କୁ ଯାଇଥିଲେ, ସେହି ସମୟରେ ଯଦି କେହି ତାଙ୍କୁ ଏଭଳି କ୍ୟାରିୟରର ପ୍ରସ୍ତାବ ଦେଇଥାନ୍ତେ, ତେବେ ସେ ତୁରନ୍ତ ଏହାକୁ ଗ୍ରହଣ କରିଥାନ୍ତେ । ସେ ଆହୁରି କହିଛନ୍ତି ଯେ, ଏହି ଖେଳ ମାଧ୍ୟମରେ ସେ ଅନେକ ପିଲାଙ୍କୁ ପ୍ରେରଣା ଦେବାକୁ ଚାହାନ୍ତି ।

ଯେଉଁମାନେ କ୍ରିକେଟ୍‌କୁ ନିଜର କ୍ୟାରିୟର କରିବାକୁ ଚାହୁଁଛନ୍ତି ଏବଂ ନିଜସ୍ୱ ଶୈଳୀରେ ଖେଳିବାକୁ ଇଚ୍ଛା ରଖିଛନ୍ତି । ଖୋଲା ମନରେ ନିଜ ଭାବନା ପ୍ରକାଶ କରିବା ଏବଂ ନିଜକୁ ଲୁଚାଇ ନରଖିବା ପାଇଁ ସେ ଯୁବପିଢ଼ିଙ୍କୁ ଉତ୍ସାହିତ କରିଛନ୍ତି । ନିଜର ପ୍ରଥମ ଟେଷ୍ଟ କ୍ୟାପ୍ ମିଳିବା ମୁହୂର୍ତ୍ତକୁ ମଧ୍ୟ ସେ ମନେ ପକାଇଛନ୍ତି । ସେ କହିଛନ୍ତି, ସେତେବେଳେ ସେ ବୋଧହୁଏ ଟେଷ୍ଟ କ୍ରିକେଟ୍ ପାଇଁ ପୂରା ପ୍ରସ୍ତୁତ ନଥିଲେ । ତଥାପି ତାଙ୍କ ଉପରେ ଭରସା କରି ସୁଯୋଗ ଦେଇଥିବାରୁ ସେ ଖୁସି । ବିଭିନ୍ନ ସମୟରେ ଦଳ ତାଙ୍କ ଉପରେ ରଖିଥିବା ବିଶ୍ୱାସକୁ ସେ ସଠିକ୍ ପ୍ରମାଣିତ କରିପାରିଥିବାରୁ ଗର୍ବିତ ।

ମ୍ୟାକ୍ସୱେଲ୍ ଅଷ୍ଟ୍ରେଲିଆ ପାଇଁ ୭ଟି ଟେଷ୍ଟ ଏବଂ ୧୪୯ଟି ଦିନିକିଆ ମ୍ୟାଚ୍ ମଧ୍ୟ ଖେଳିଛନ୍ତି । ଏହାସହ ଭିକ୍ଟୋରିଆ ପାଇଁ ପ୍ରଥମ ଶ୍ରେଣୀ ଏବଂ ଲିଷ୍ଟ-ଏ କ୍ରିକେଟ୍‌ରେ ମଧ୍ୟ ତାଙ୍କର ଦୀର୍ଘ ଓ ସଫଳ କ୍ୟାରିୟର ରହିଛି । ତେବେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ ମଧ୍ୟ ମ୍ୟାକ୍ସୱେଲ୍ ଫ୍ରାଞ୍ଚାଇଜ୍ ଟି-୨୦ କ୍ରିକେଟ୍ ଖେଳିବା ଜାରି ରଖିବେ । ଆଗାମୀ ବିଗ୍ ବାସ୍ ଲିଗ୍‌ରେ ସେ ମେଲବର୍ଣ୍ଣ ଷ୍ଟାର୍ସ ପକ୍ଷରୁ ଖେଳୁଥିବାର ନଜର ଆସିବେ ।

Share

Leave a Reply

Your email address will not be published. Required fields are marked *

fifteen − 1 =