Business

ବାତ୍ୟା ଅର୍ଣ୍ଣବର ମୁକାବିଲା ପାଇଁ ଟିପିସିଓଡିଏଲ୍‌ର ବ୍ୟାପକ ପ୍ରସ୍ତୁତି

ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ପାଣିପାଗ ପରିସ୍ଥିତି ଏବଂ ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ସେଣ୍ଟ୍ରାଲ ଓଡ଼ିଶାରେ ବିଦ୍ୟୁତ୍ ବିତରଣ ଭିତ୍ତିଭୂମିର ସୁରକ୍ଷା ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ପାଇଁ ଏକ ବ୍ୟାପକ ପ୍ରସ୍ତୁତି ଯୋଜନା ଲାଗୁ କରିଛି।

ଟିପିସିଓଡିଏଲ୍ ନିଜର ବିଜନେସ୍ କଣ୍ଟିନିଉଟି ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ଲାନ୍ (ବିସିଡିଏମ୍‌ପି) କାର୍ଯ୍ୟକାରୀ କରିବା ସହିତ ଏକ ସୁବ୍ୟବସ୍ଥିତ ବହୁସ୍ତରୀୟ ଜରୁରୀକାଳୀନ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିଛି। ନେଟୱାର୍କ ଜନିତ ସମ୍ଭାବ୍ୟ ସମସ୍ୟାର ସମାଧାନ ପାଇଁ ସମ୍ବେଦନଶୀଳ ଉପକୂଳ ତଥା ଆଭ୍ୟନ୍ତରୀଣ ସର୍କଲଗୁଡ଼ିକରେ ଉତ୍ସର୍ଗୀକୃତ କୁଇକ୍-ରେସପନ୍ସ ଫିଲ୍ଡ ସ୍କ୍ୱାଡ୍, ବୈଷୟିକ ରକ୍ଷଣାବେକ୍ଷଣ କର୍ମଚାରୀ ଏବଂ ମରାମତି ଗାଡ଼ି ମୁତୟନ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରମୁଖ ପାନୀୟ ଜଳ ପମ୍ପ ଷ୍ଟେସନ୍ ଏବଂ ପ୍ରଶାସନିକ ବିପର୍ଯ୍ୟୟ ନିୟନ୍ତ୍ରଣ କାର୍ଯ୍ୟାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ସେବାଗୁଡ଼ିକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ବଜାୟ ରଖିବାକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରାଯାଇଛି।

ଶୀଘ୍ର ବିଦ୍ୟୁତ୍ ପୁନରୁଦ୍ଧାର କାର୍ଯ୍ୟ କରିବା ପାଇଁ ଟିପିସିଓଡିଏଲ୍ ନିଜର ପରିଚାଳନା ସର୍କଲ ଏବଂ ଡିଭିଜନ୍ ଷ୍ଟୋରଗୁଡ଼ିକରେ ରଣନୈତିକ ଭାବେ ଜରୁରୀକାଳୀନ ସାମଗ୍ରୀ ମହଜୁଦ ରଖିଛି। ଏହି ସାମଗ୍ରୀ ମଧ୍ୟରେ ଡିଷ୍ଟ୍ରିବ୍ୟୁସନ୍ ଓ ପାୱାର ଟ୍ରାନ୍ସଫର୍ମର, ବେୟାର କଣ୍ଡକ୍ଟର, ଏରିଏଲ୍-ବଞ୍ଚଡ୍ କେବୁଲ୍, ଖୁଣ୍ଟ ଏବଂ ଲାଇନ୍ ହାର୍ଡୱେର୍ ଅନ୍ତର୍ଭୁକ୍ତ। ବାଧାପ୍ରାପ୍ତ ଫିଡର୍ ଲାଇନ୍ ଏବଂ ଉପୁଡ଼ି ପଡ଼ିଥିବା ଗଛ ଡାଳଗୁଡ଼ିକୁ ତୁରନ୍ତ ସଫା କରିବା ପାଇଁ ପାୱାର ସ, ହାଇ-ମାଷ୍ଟ ଜରୁରୀକାଳୀନ ଆଲୋକ ବ୍ୟବସ୍ଥା ଏବଂ ଡିଜି ସେଟ୍ ସହିତ ସ୍ୱତନ୍ତ୍ର ଗଛ କଟା ଦଳ ମୁତୟନ କରାଯାଇଛି।

ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଏବଂ ଏହା ଅଧୀନରେ ଥିବା ଡିଭିଜନ୍ ତଥା ସର୍କଲ ସ୍ତରୀୟ ନିୟନ୍ତ୍ରଣ କେନ୍ଦ୍ରଗୁଡ଼ିକ ଦ୍ୱାରା ଚବିଶ ଘଣ୍ଟିଆ ତଦାରଖ କରାଯାଉଛି। ସ୍ୱୟଂଚାଳିତ ବିତରଣ ନେଟୱାର୍କ ଏବଂ ସ୍କାଡା ବ୍ୟବସ୍ଥା ବ୍ୟବହାର କରି ଇଞ୍ଜିନିୟରମାନେ ରିଅଲ୍-ଟାଇମ୍‌ରେ ଫିଡର୍ ଲୋଡ୍ ଏବଂ ଲାଇନ୍‌ର ସ୍ଥିତି ଉପରେ ନଜର ରଖୁଛନ୍ତି। ସ୍ଥାନୀୟ ସ୍ତରରେ ବିଦ୍ୟୁତ୍ ବ୍ୟାଘାତର ତୁରନ୍ତ ସମାଧାନ ପାଇଁ ଟିପିସିଓଡିଏଲ୍ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି), ଜିଲ୍ଲାପାଳ ଏବଂ ସ୍ଥାନୀୟ ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି କାମ କରୁଛି।

ପ୍ରସ୍ତୁତି ସମ୍ପର୍କରେ ମତ ରଖି ଚିଫ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ୍ ତଥା ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଗଜାନନ କାଲେ କହିଛନ୍ତି ଯେ, “ବାତ୍ୟା ଅର୍ଣ୍ଣବର ଗତିବିଧିକୁ ଦେଖି ଆମର ପ୍ରଥମ ପ୍ରାଥମିକତା ହେଉଛି ଉପଭୋକ୍ତା ତଥା କର୍ମଚାରୀଙ୍କ ସୁରକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ବିଦ୍ୟୁତ୍ ଭିତ୍ତିଭୂମିର ସୁରକ୍ଷା। ଆମେ କୁଇକ୍-ରେସପନ୍ସ ଟିମ୍‌କୁ ସଜାଗ ରଖିଛୁ, ଆବଶ୍ୟକୀୟ ସାମଗ୍ରୀର ପର୍ଯ୍ୟାପ୍ତ ମହଜୁଦ ସୁନିଶ୍ଚିତ କରିଛୁ ଏବଂ ରିଅଲ୍-ଟାଇମ୍ ଗ୍ରିଡ୍ ତଦାରଖ ପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ କରିଛୁ। ସରକାର ଏବଂ ଜିଲ୍ଲା ପ୍ରଶାସନ ସହିତ ଘନିଷ୍ଠ ସମନ୍ୱୟ ରଖି ଯେକୌଣସି ପ୍ରଭାବିତ ଅଞ୍ଚଳରେ ସୁରକ୍ଷିତ ତଥା ଶୀଘ୍ର ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପନ କରିବା ପାଇଁ ଆମର ଟିମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଆମେ ଉପଭୋକ୍ତାମାନଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ବିଦ୍ୟୁତ୍ ଉପକରଣ ନିକଟରେ ସତର୍କତା ଅବଲମ୍ବନ କରନ୍ତୁ ଏବଂ ଖରାପ ପାଣିପାଗ ସମୟରେ ସରକାରୀ ନିର୍ଦ୍ଦେଶାବଳୀ ପାଳନ କରନ୍ତୁ।”

ଉପଭୋକ୍ତା ମାନେ ବିଦ୍ୟୁତ୍ ସରବରାହରେ ବ୍ୟାଘାତ, ତଳେ ପଡ଼ିଥିବା କେବୁଲ୍ କିମ୍ବା ବିଦ୍ୟୁତ୍ ବିପଦ ସମ୍ପର୍କରେ ଟିପିସିଓଡିଏଲ୍‌ର ୨୪ଘଣ୍ଟିଆ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର ୧୯୧୨ ଏବଂ ୧୮୦୦୨୦୨୭ ମାଧ୍ୟମରେ କିମ୍ବା କମ୍ପାନୀର ଡିଜିଟାଲ୍ ସେବା ଚ୍ୟାନେଲ୍ ଜରିଆରେ ଜଣାଇପାରିବେ।

Share

Leave a Reply

Your email address will not be published. Required fields are marked *

nine − 5 =