ସୁନା କିଣାକୁ ନେଇ ଦେଶବାସୀଙ୍କୁ ଏମିତି ପରାମର୍ଶ ଦେଲେ ମୋଦି
ଭାରତର ଆର୍ଥିକ ବିକାଶ ହାରକୁ ନେଇ ଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶର ଅର୍ଥନୀତି ୭.୮% ହାରରେ ବଢ଼ୁଥିବା ବେଳେ ଏହାକୁ ଭାରତୀୟଙ୍କ ଦୃଢ଼ ସଂକଳ୍ପ ଓ କଠିନ ପରିଶ୍ରମର ଫଳ ବୋଲି କହିଛନ୍ତି ପିଏମ୍ ମୋଦୀ। ସୋସିଆଲ୍ ମିଡିଆରେ ଏକ ଲମ୍ବା ପୋଷ୍ଟ କରି ସେ ଭାରତର ବଢ଼ୁଥିବା ଆର୍ଥିକ ଶକ୍ତି, ଆତ୍ମନିର୍ଭରତା ଓ ‘ଭୋକାଲ୍ ଫର୍ ଲୋକାଲ୍’ ଉପରେ ଗୁରୁତ୍ୱ ଦେଇଛନ୍ତି।
ପିଏମ୍ ମୋଦୀ କହିଛନ୍ତି ଯେ, ସାରା ବିଶ୍ୱ ଯୁଦ୍ଧ, ଅସ୍ଥିରତା ଓ ସପ୍ଲାଏ ଚେନ୍ ସମସ୍ୟାରେ ଜୁଝୁଥିବା ସମୟରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। କୋଭିଡ୍-୧୯ ପରଠାରୁ ବିଶ୍ୱ ଅର୍ଥନୀତିରେ ସ୍ଥିରତା ଆଣିବା କଷ୍ଟକର ହୋଇଥିଲେ ମଧ୍ୟ ଭାରତ ନିଜ ବିକାଶର ଗତି ବଜାୟ ରଖିଛି ବୋଲି ସେ କହିଛନ୍ତି।
ନିଜ ପୋଷ୍ଟରେ ପିଏମ୍ ମୋଦୀ ସୁନା କିଣାକୁ ନେଇ ମଧ୍ୟ ଦେଶବାସୀଙ୍କୁ ଏକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଯେପର୍ଯ୍ୟନ୍ତ ଅତ୍ୟନ୍ତ ଆବଶ୍ୟକ ନହୋଇଛି, ସେପର୍ଯ୍ୟନ୍ତ ସୁନା କିଣିବାରୁ ଦୂରେଇ ରହିବା ଉଚିତ। ଅନାବଶ୍ୟକ ଭାବେ ସୁନା କିଣିବା ପରିବର୍ତ୍ତେ ଲୋକେ ନିଜର ପ୍ରକୃତ ଆବଶ୍ୟକତାକୁ ଦେଖି ନିଷ୍ପତ୍ତି ନେବା ଉଚିତ ବୋଲି ସେ ଆହ୍ୱାନ କରିଛନ୍ତି। ଅର୍ଥାତ୍, ଆବଶ୍ୟକତା ନଥିଲେ ସୁନାରେ ଖର୍ଚ୍ଚ କିମ୍ବା ନିବେଶ ନକରିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

