ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ
୧୫ ଦିନର ଅନବସର ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଆଜି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ନୀତି ନିର୍ଘଣ୍ଟ ଅନୁଯାୟୀ, ସକାଳ ୯ଟାରେ ଦତ୍ତ ମହାପାତ୍ର ସେବକ ରାଜନଅରକୁ ‘ଖଡ଼ି ପ୍ରସାଦ’ ବିଜେ କରାଇବେ । ଏହାପରେ ବନକଲାଗି ନୀତି ଅନୁଷ୍ଠିତ ହୋଇ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଚମକିବ । ଅପରାହ୍ନ ୧୨ଟା ପରେ ଚକା ଅପସର ଏବଂ ୧ଟା ୩୦ରେ ଦଶ ଅବତାର ଠାକୁରଙ୍କ ବାହୁଡ଼ା ବିଜେ ନୀତି ହେବ ।
ଅପରାହ୍ନ ୨ଟାରେ ଅଣସର ତାଟି ଫିଟିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ଆରମ୍ଭ ହେବ । ଅପରାହ୍ନ ୨:୩୦ ରୁ ୩:୩୦ ପର୍ଯ୍ୟନ୍ତ ପରିମାଣିକ ଦର୍ଶନ ଏବଂ ଏହାପରେ ଆଉ ଘଣ୍ଟାଏ ଅର୍ଥାତ୍ ଅପରାହ୍ନ ୩:୩୦ ରୁ ୪:୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ପାଇଁ ସମୟ ସ୍ଥିର କରାଯାଇଛି ।
ସେପଟେ ରଥଯାତ୍ରା ଯେତିକି ପାଖେଇ ଆସୁଛି, ପୁରୀ ରଥଖଳା ସେତିକି ଚଳଚଞ୍ଚଳ ହେବାରେ ଲାଗିଛି । ୮୫ ଦିନରେ ପ୍ରାୟ ୨୪୦ରୁ ଊର୍ଦ୍ଧ୍ୱ ରଥ ନିର୍ମାଣ ସେବକଙ୍କ ଦିନରାତି ପରିଶ୍ରମରେ ରଥ କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନି ରଥରେ ‘ପ୍ରଭା’ ସଂସ୍ଥାପନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ସେପଟେ ଦରଜୀ ସେବକଙ୍କ କନା ସିଲାଇ କାମ ପ୍ରାୟ ଶେଷ ହୋଇଥିବା ବେଳେ, କୋଠ ସୁଆଁସିଆ ସେବକଙ୍କ ଦ୍ୱାରା ରଥରେ କନା ପକାଇବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି ।
ଅପରପକ୍ଷେ, ଚିତ୍ରକାର ସେବକମାନେ ତିନି ରଥର ବାହ୍ୟ ଅଂଶରେ ରଙ୍ଗ କାମର ଶେଷ ସ୍ପର୍ଶ ଦେଉଛନ୍ତି । ରଥର ଘୋଡ଼ାଗୁଡ଼ିକର ରଙ୍ଗ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏବେ ସାରଥିଙ୍କ ରଙ୍ଗ କାମ ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି ।
ସେହିପରି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ସାକ୍ଷାତକାର ସମୟରେ ରଥଯାତ୍ରାର ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ ।
ସେବାୟତମାନଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷା କରି ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପାଦନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ମଧ୍ୟରେ ମିଳିତ ସମନ୍ୱୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଚଳିତ ବର୍ଷର ରଥଯାତ୍ରା ଯେପରି ପ୍ରତ୍ୟେକ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପାଇଁ ଶାନ୍ତିପୂର୍ଣ୍ଣ, ସୁଗମ ଏବଂ ଆନନ୍ଦଦାୟକ ହେବ, ସେଥିପାଇଁ ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

