ଓଲଟିଲା ପିଆଜ ବୋଝେଇ ଟ୍ରକ: ସବୁ ନେଇଗଲେ….
ଓଲଟିଲା ପିଆଜ ବୋଝେଇ ଟ୍ରକ । ଯିଏ ପାରିଲେ ବୋହିନେଲେ । କେନ୍ଦୁଝର ୪୯ ନମ୍ବର ଜାତୀୟ ରାଜପଥର ଜୁଡ଼ିଆ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପିଆଜ ବୋଝେଇ ଟ୍ରକଟି ନାସିକରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା । ଜୁଡ଼ିଆ ଘାଟି ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟିପଡିଥିଲା। ପରେ ପୁଳା ପୁଳା ପିଆଜ ନେଇଯାଇଥିଲେ ସ୍ଥାନୀୟ ଲୋକ ।
ସୂଚନା ଅନୁସାରେ, ଟ୍ରକଟି ନାସିକରୁ ପିଆଜ ନେଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା । ଜୁଡ଼ିଆ ଘାଟି ନିକଟରେ ହଠାତ୍ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ ଟ୍ରକଟି ରାସ୍ତା ଉପରେ ଓଲଟି ପଡ଼ିଥିଲା ।
ଦୁର୍ଘଟଣା ପରେ ଟ୍ରକରେ ଥିବା ପିଆଜ ରାସ୍ତାରେ ଖେଳି ଯାଇଥିଲା । ଏହା ଦେଖି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ପିଆଜ ବୋହି ନେଇଥିଲେ । ଯିଏ ଯେତିକି ପାରିଲେ, ସେତିକି ପିଆଜ ନେଇ ଯାଇଥିବା ଦେଖାଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରିଛି ।

