କ୍ରୀଡା

ଆଜି ରାଜସ୍ଥାନ-ହାଇଦ୍ରାବାଦ ମଧ୍ୟରେ ହେବ କଡା ଟକ୍କର

ଚଳିତ ଆଇପିଏଲ୍‌ର ଏଲିମିନେଟର ମୁକାବିଲାରେ ରାଜସ୍ଥାନ ଓ ହାଇଦ୍ରାବାଦ ପରସ୍ପରକୁ ଭେଟିବେ । ଏହି ମ୍ୟାଚର ବିଜେତା ଦ୍ୱିତୀୟ କ୍ୱାଲିଫାୟରକୁ ଯୋଗ୍ୟତା ଅର୍ଜନ କରିବେ । ପରାଜିତ ଦଳ ବିଦାୟ ନେବେ । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଏହି ମ୍ୟାଚ ଜରିଆରେ ରାଜସ୍ଥାନ ପୂର୍ବ ପରାଜୟର ପ୍ରତିଶୋଧ ନେଇ ପାରିବ । ଚଳିତ ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ପରସ୍ପରକୁ ୨ଥର ଭେଟିଛନ୍ତି ଓ ରାଜସ୍ଥାନ ଉଭୟ ମ୍ୟାଚରେ ପରାଜିତ ହୋଇଛି । ଏପ୍ରିଲ ୧୩ ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ ଭେଟ ହୋଇଥିଲା । ହାଇଦ୍ରାବାଦ ୫୭ ରନ୍‌ରେ ଉକ୍ତ ମ୍ୟାଚ ଜିତିଥିଲା । ସେହିପରି ଏପ୍ରିଲ ୨୫ ତାରିଖରେ ଅନୁଷ୍ଠିତ ମ୍ୟାଚରେ ହାଇଦ୍ରାବାଦ ୫ ୱିକେଟ୍‌ରେ ବିଜୟ ହାସଲ କରିଥିଲା । ପୂର୍ବ ମ୍ୟାଚ ଦୁଇଟି ଭଳି ସମସ୍ତଙ୍କ ନଜର ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ରହିବ ।

ପ୍ରଥମ ମ୍ୟାଚରେ ବୈଭବଙ୍କୁ ବାଉନ୍ସର ପକାଇ ପ୍ରଫୁଲ୍ଲ ହିଙ୍ଗେ ଆଉଟ୍‌ କରିଥିଲେ । ଦ୍ୱିତୀୟ ମୁକାବିଲାରେ ସେ ହିଙ୍ଗେଙ୍କୁ ନିର୍ମମ ପ୍ରହାର କରି ପ୍ରତିଶୋଧ ନେଇଥିଲେ । ଉକ୍ତ ମ୍ୟାଚରେ ବୈଭବ ୩୭ଟି ବଲ୍‌ରୁ ୧୦୩ ରନ୍‌ ସଂଗ୍ରହ କରିଥିଲେ । ଆଜି ମଧ୍ୟ ତାଙ୍କ ବ୍ୟାଟ୍‌ରୁ ବିସ୍ଫୋରକ ଇନିଂସ ଦେଖିବାକୁ ଦର୍ଶକ ଅପେକ୍ଷା କରିବେ । ବୈଭବ ଚଳିତ ଟୁର୍ଣ୍ଣାମେଣ୍ଟରେ ୨୩୨.୩୭ ଷ୍ଟ୍ରାଇକ ରେଟ୍‌ରେ ୫୮୩ ରନ ସଂଗ୍ରହ କରିବା ସହ ସର୍ବାଧିକ ୫୩ଟି ଛକା ମାରି ସାରିଛନ୍ତି । ହାଇଦ୍ରାବାଦର ବ୍ୟାଟିଂ ବିଭାଗ କେବଳ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ । ଅଭିଷେକ ଶର୍ମା ଚଳିତ ଟୁର୍ଣ୍ଣାମେଣ୍ଟରେ ୫୬୩ ରନ ସଂଗ୍ରହ କରିସାରିଛନ୍ତି ।

ସେହିପରି ଇଶାନ କିଷନ ୫୬୯ ଓ ହେନରିକ କ୍ଲାସେନ ୬୦୬ ରନ ସଂଗ୍ରହ କରିସାରିଛନ୍ତି । ଆଜି ଜୋଫ୍ରା ଆର୍ଚର ଓ ହାଇଦ୍ରାବାଦର ୩ ଟପ୍‌ ଅର୍ଡର ବ୍ୟାଟରଙ୍କ (ଅଭିଷେକ, ଟ୍ରାଭିସ ହେଡ୍‌ ଓ କିଷନ) ମଧ୍ୟରେ ଜୋରଦାର ଲଢ଼େଇ ହେବା ଆଶା କରାଯାଉଛି । ଏହି ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଏହି ପିଚ୍‌ରେ ରାଜସ୍ଥାନ ଘରୋଇ ପଞ୍ଜାବକୁ ପରାସ୍ତ କରିଥିଲା । ପଞ୍ଜାବ ୨୨୨ ରନ ସଂଗ୍ରହ କରିବା ସତ୍ତ୍ଵେ ପରାଜିତ ହୋଇଥିଲା । 

Share

Leave a Reply

Your email address will not be published. Required fields are marked *

twenty + twelve =