ଆଜି ବିଶ୍ୱ ମ୍ୟାଲେରିଆ ଦିବସ
ଆଜି ୨୫ ଏପ୍ରିଲ, ବିଶ୍ୱ ମ୍ୟାଲେରିଆ ଦିବସ । ଗତ କିଛି ବର୍ଷର ହ୍ରାସ ପରେ ବର୍ତ୍ତମାନ ରାଜ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ଦେଖାଯାଉଛି । ଗୋଟିଏ ପଟେ ସରକାର ୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ଓଡ଼ିଶାର ସ୍ଵପ୍ନ ଦେଖୁଥିବା ବେଳେ, ଅନ୍ୟପଟେ ବଢୁଥିବା ସଂକ୍ରମଣ ହାର ଏବେ ଚିନ୍ତାର ବିଷୟ ପାଲଟିଛି । ଗତ ଦୁଇ ବର୍ଷରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୩ ଗୁଣ ବୃଦ୍ଧି ପାଇଛି । ଚଳିତ ବର୍ଷର ବିଶ୍ୱ ମ୍ୟାଲେରିଆ ଦିବସର ମୂଳ ଲକ୍ଷ୍ୟ ହେଉଛି- ‘ଏକ ସୁସ୍ଥ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧରେ ଲଢ଼େଇକୁ ତ୍ୱରାନ୍ୱିତ କରିବା’ ।
- କଣ କହୁଛି WHO ରିପୋର୍ଟ ?
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ରିପୋର୍ଟ ଅନୁସାରେ, ବର୍ତ୍ତମାନ ବିଶ୍ୱର ପ୍ରାୟ ୧୦୬ଟି ଦେଶରେ ମ୍ୟାଲେରିଆର ପ୍ରଭାବ ରହିଛି । ବିଶ୍ୱକୁ ମ୍ୟାଲେରିଆ ମୁକ୍ତ କରିବା ଏହି ଦିବସର ମୂଳ ଲକ୍ଷ୍ୟ । ରାଜ୍ୟରେ ୨୦୨୫-୨୬ ବର୍ଷରେ ପ୍ରାୟ ୬୧,୧୩୭ ପଜିଟିଭ୍ କେସ୍ ଚିହ୍ନଟ ହୋଇଛି । ତୁଳନାତ୍ମକ ଭାବେ ୨୦୨୪ରେ ଏହା ୬୮,୬୩୯ ଥିଲା । ସେହିପରି ୨୦୨୨ରେ ମାତ୍ର ୨୩,୭୭୦ ଥିଲା । କଳାହାଣ୍ଡି ଜିଲ୍ଲାରେ ମ୍ୟାଲେରିଆ ସଂକ୍ରମଣ ସର୍ବାଧିକ ବୃଦ୍ଧି (ଗତ ୨ ବର୍ଷରେ ଦ୍ୱିଗୁଣିତ) । ସେହିପରି କନ୍ଧମାଳ ମ୍ୟାଲେରିଆ ଦୃଷ୍ଟିରୁ ଅତି ସମ୍ବେଦନଶୀଳ ଅଞ୍ଚଳ ରହିଛି ।
- ରାଜ୍ୟରେ କେଉଁ ଜିଲ୍ଲାରେ କିପରି ସ୍ଥିତି ?
ଏହି କିଛି ବର୍ଷ ମଧ୍ୟରେ ଯଦି ଆମେ ରାଜ୍ୟର ବିଭିନ୍ନ ଜିଲ୍ଲାର ମ୍ୟାଲେରିଆ ସ୍ଥିତି ଦେଖିବା, ତେବେ ରାୟଗଡ଼ାରେ ସଂକ୍ରମଣ ହାର ଅଧିକ ରହିଛି । କୋରାପୁଟ ହାଇ-ବର୍ଡେନ୍ ଜିଲ୍ଲା ଥିବାବେଳେ ସୁନ୍ଦରଗଡ଼ ଶିଳ୍ପ ଓ ଖଣି ଅଞ୍ଚଳରେ ଅଧିକ ପ୍ରଭାବ ଦେଖିବାକୁ ମିଳିଛି । ନବରଙ୍ଗପୁର ନିୟମିତ ପଜିଟିଭ୍ କେସ୍ ଚିହ୍ନଟ ହେଉଛନ୍ତି । ମାଲକାନଗିରିରେ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ବୌଦ୍ଧରେ ଗତ ବର୍ଷ ତୁଳନାରେ ୬ ଗୁଣ ଅଧିକ ବୃଦ୍ଧି ପାଇଛି । ବଲାଙ୍ଗୀର ପଶ୍ଚିମ ଓଡ଼ିଶାର ପ୍ରମୁଖ ପ୍ରଭାବିତ ଜିଲ୍ଲା ହୋଇଛି ।
- ୨୦୩୦ ସୁଦ୍ଧା ଓଡ଼ିଶାକୁ ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟ
ରାଜ୍ୟ ସରକାର ୨୦୩୦ ମସିହା ସୁଦ୍ଧା ଓଡ଼ିଶାକୁ ମ୍ୟାଲେରିଆ ମୁକ୍ତ ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିଲାଗି ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି । ୨୦୨୪-୨୫ ବର୍ଷରେ ୨୧ଟି ପ୍ରଭାବିତ ଜିଲ୍ଲାରେ ପ୍ରାୟ ୫୫.୫ ଲକ୍ଷ ଔଷଧଯୁକ୍ତ ମଶାରୀ ବଣ୍ଟନ କରାଯାଇଛି । ରକ୍ତ ନମୁନା ପରୀକ୍ଷା ହାରକୁ ୨୩.୨୧% କୁ ବୃଦ୍ଧି କରାଯାଇଛି । ସେହିପରି ଫିଲ୍ଡ ସ୍ତରରେ ମଧ୍ୟ ପ୍ରାୟ ୪୮,୯୦୫ ଆଶା କର୍ମୀଙ୍କୁ ମ୍ୟାଲେରିଆ ନିରାକରଣ କାର୍ଯ୍ୟରେ ନିୟୋଜିତ କରାଯାଇଛି ।
- ମ୍ୟାଲେରିଆ ମୁକ୍ତ ପାଇଁ ସ୍ଵତନ୍ତ୍ର ‘ଦମନ’ କାର୍ଯ୍ୟକ୍ରମ
ଓଡ଼ିଶାର ଦୁର୍ଗମ ତଥା ମାଓ-ପ୍ରଭାବିତ ଅଞ୍ଚଳରେ ମ୍ୟାଲେରିଆର ମୂଳୋତ୍ପାଟନ କରିବା ପାଇଁ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଦମନ (DAMaN)ର ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ବିଶେଷ କରି ମାଲକାନଗିରି ଭଳି ଜିଲ୍ଲାରେ ୨୦୧୭ ମସିହାରେ ଆରମ୍ଭ ହୋଇଥିଲା । ‘ଦମନ’ର ସମ୍ପୂର୍ଣ୍ଣ ନାମ ହେଉଛି ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ । ସ୍ୱାସ୍ଥ୍ୟ ବିଭାଗର ମେଡିକାଲ୍ ଟିମ୍ ଦୁର୍ଗମ ପାହାଡ଼, ଜଙ୍ଗଲ ଏବଂ ନଦୀ ପାର ହୋଇ ଗାଁ ଗାଁରେ ‘ମ୍ୟାଲେରିଆ କ୍ୟାମ୍ପ’ କରନ୍ତି । ଏଠାରେ ସମସ୍ତଙ୍କର ରକ୍ତ ପରୀକ୍ଷା ବା ମାସ୍ ସ୍କ୍ରିନିଂ କରାଯାଏ ଏବଂ ଆକ୍ରାନ୍ତଙ୍କୁ ତୁରନ୍ତ ଔଷଧ ଦିଆଯାଏ ।
ଏହି ଅଭିଯାନ ଯୋଗୁଁ ଓଡ଼ିଶାରେ ମ୍ୟାଲେରିଆ କେସ୍ରେ ୮୦% ରୁ ଅଧିକ ହ୍ରାସ ପରିଲକ୍ଷିତ ହୋଇଛି, ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ – WHO ମଧ୍ୟ ପ୍ରଶଂସା କରିଛି । ଏହାକୁ ନେଇ ତିଆରି ହୋଇଥିଲା ଓଡ଼ିଆ ଚଳଚ୍ଚିତ୍ର ଦମନ । ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏହି ସିନେମାଟି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ନୂଆ ଇତିହାସ ସୃଷ୍ଟି କରିଥିଲା । ସିନେମାଟି ଜଣେ ଯୁବ ଡାକ୍ତର ଓମକାର ହୋତାଙ୍କ ପ୍ରକୃତ ସଂଘର୍ଷ ଉପରେ ଆଧାରିତ । ସେ ମାଲକାନଗିରିର ଦୁର୍ଗମ ‘ଜାନବାଇ’ ଅଞ୍ଚଳରେ ନିୟୋଜିତ ଥିବାବେଳେ କିଭଳି ଅନ୍ଧବିଶ୍ୱାସ ଦୂର କରି ଲୋକଙ୍କ ଜୀବନ ବଞ୍ଚାଇଥିଲେ, ତାହା ଏଥିରେ ଦର୍ଶାଯାଇଛି ।

