କ୍ରୀଡା

କିଏ ଜିତିବ ଆଜିର ମ୍ୟାଚ? LSG ନା RCB

ଚଳିତ ଆଇପିଏଲ୍‌ର ୨୩ତମ ଲିଗ୍‌ ମ୍ୟାଚରେ ଆଜି ଡିଫେଣ୍ଡିଂ ଚାମ୍ପିଅନ୍‌ ବେଙ୍ଗାଲୁରୁ ଘରୋଇ ଗ୍ରାଉଣ୍ଡ୍‌ରେ ଲକ୍ଷ୍ନୌକୁ ଭେଟିବ । ଘରୋଇ ଗ୍ରାଉଣ୍ଡ୍‌ରେ ଆଧିପତ୍ୟ ଜାରି ରଖିବା ପାଇଁ ବେଙ୍ଗାଲୁରୁ ପ୍ରସ୍ତୁତ ରହିଥିବାବେଳେ ଲକ୍ଷ୍ନୌ ପୁଣିଥରେ ବିଜୟ ଧାରାକୁ ଫେରିବା ପାଇଁ ବ୍ୟଗ୍ର । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଉଭୟ ଦଳ ଇତି ମଧ୍ୟରେ ୪ଟି ଲେଖାଏଁ ମ୍ୟାଚ ଖେଳି ସାରିଛନ୍ତି । ବେଙ୍ଗାଲୁରୁ ୪ଟି ମ୍ୟାଚରୁ ୩ ବିଜୟ ସହ ମୋଟ୍‌ ୬ ପଏଣ୍ଟ ଅର୍ଜନ କରିଛି । ଆଜି ଲକ୍ଷ୍ନୌକୁ ହରାଇଲେ ଦଳ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ପହଞ୍ଚି ପାରିବ ।

ଲକ୍ଷ୍ନୌ ୪ଟି ମ୍ୟାଚ ଖେଳି ୨ଟି ବିଜୟ ସହ ୪ ପଏଣ୍ଟ ଅର୍ଜନ କରିଛି । ରେକର୍ଡ ମଧ୍ୟ ବେଙ୍ଗାଲୁରୁ ପକ୍ଷରେ ରହିଛି । ଉଭୟ ଦଳ ପରସ୍ପରକୁ ୬ଥର ଭେଟିଛନ୍ତି । ଏଥିରୁ ବେଙ୍ଗାଲୁରୁ ୪ଟି ମ୍ୟାଚରେ ବିଜୟୀ ହୋଇଛି । ଗତ ସିଜନରେ ଉଭୟ ଦଳ ଥରେ ମାତ୍ର ସାମ୍ନା ସାମ୍ନି ହୋଇଥିଲେ ଓ ବେଙ୍ଗାଲୁରୁ ୬ ୱିକେଟ୍‌ରେ ଉକ୍ତ ମ୍ୟାଚ ଜିତିଥିଲା । ବେଙ୍ଗାଲୁରୁକୁ ହରାଇବାକୁ ହେଲେ ଲକ୍ଷ୍ନୌକୁ ପ୍ରଥମେ ବ୍ୟାଟିଂ ବିଭାଗକୁ ସୁଦୃଢ଼ କରିବାକୁ ହେବ । ମିଚେଲ ମାର୍ଶ, ଆଡେନ ମାରକ୍ରମ, ରିଷଭ ପନ୍ତ, ନିକୋଲାସ ପୂରନଙ୍କ ଭଳି ତାରକା ଖେଳାଳିମାନେ ଏପର୍ଯ୍ୟନ୍ତ ଫର୍ମକୁ ଫେରି ନାହାନ୍ତି । ଅପରପକ୍ଷରେ ବେଙ୍ଗାଲୁରୁ ଚମତ୍କାର ଫର୍ମରେ ରହିଛି । ବିରାଟ କୋହଲି, ରଜତ ପାତିଦାର, ଦେବଦତ୍ତ ପାଡ଼ିକଲ, ଟିମ ଡେଭିଡ୍‌ ଓ ଫିଲ ସଲ୍ଟ ଇତି ମଧ୍ୟରେ ବିସ୍ଫୋରକ ଅର୍ଦ୍ଧଶତକ ଅର୍ଜନ କରିସାରିଛନ୍ତି । ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ର ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ରହିବ ।

Share

Leave a Reply

Your email address will not be published. Required fields are marked *

three × 5 =