ପ୍ରଥମ ବିଜୟ ପାଇଁ ବ୍ୟାକୁଳ KKR, ଆଗରେ CSK
ଚଳିତ ଆଇପିଏଲ୍ର ୨୨ତମ ଲିଗ୍ ମ୍ୟାଚରେ ଆଜି ୫ଥର ଚାମ୍ପିଅନ୍ ଚେନ୍ନାଇ ଘରୋଇ ଗ୍ରାଉଣ୍ଡରେ କୋଲକାତାକୁ ଭେଟିବ । ଉଭୟ ସମ୍ପ୍ରତି ପଏଣ୍ଟ ତାଲିକାର ଅନ୍ତିମ୨ ସ୍ଥାନରେ ରହିଥିବାରୁ ଉପରକୁ ଉଠିବାକୁ ତତ୍ପର । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
ପୂର୍ବ ରେକର୍ଡକୁ ଦେଖିଲେ ଆଜି ଚେନ୍ନାଇ ପଲା ଭାରି ରହିବ । ଉଭୟ ଦଳ ପରସ୍ପରକୁ ୩୨ଥର ଭେଟିଛନ୍ତି । ଏଥିରୁ ଚେନ୍ନାଇ ୨୦ଟି ମ୍ୟାଚ ଜିତିଥିବା ବେଳେ କୋଲକାତା ୧୧ଟି ମ୍ୟାଚରେ ବିଜୟୀ ହୋଇଛି । ଚେନ୍ନାଇ କ୍ରମାନ୍ୱୟରେ ୩ଟି ମ୍ୟାଚ ପରାଜିତ ହେବା ପରେ ଶନିବାର ଦିନ ଦିଲ୍ଲୀକୁ ହରାଇ ୨ ପଏଣ୍ଟ ଅର୍ଜନ କରିଥିଲା । ଆଜି ମଧ୍ୟ ଦଳ ଘରୋଇ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳିବ । ତେଣୁ ବିଜୟଧାରା ଜାରି ରଖିବାକୁ ଚେନ୍ନାଇ ପ୍ରୟାସ କରିବ । କୋଲକାତା ୪ଟି ମ୍ୟାଚ ଖେଳିସାରିଥିଲେ ହେଁ କେବଳ ପଞ୍ଜାବ ବିପକ୍ଷ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବାରୁ ୧ ପଏଣ୍ଟ ପାଇଛି । ଏକାଧିକ ବୋଲର ଆହତ ଥିବାରୁ ଏହାର ପ୍ରଭାବ କୋଲକାତା ଉପରେ ପଡ଼ୁଛି । ତେଣୁ ଦଳ ଶୃଙ୍ଖଳିତ ବୋଲିଂ ଉପରେ ପ୍ରାଥମିକତା ଦେବ ।
ଚେନ୍ନାଇ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । ଡିୱାଲ୍ଡ ବ୍ରେଭିସ ଫିଟ୍ ହୋଇ ଫେରିବା ପରେ ବ୍ୟାଟିଂ ବିଭାଗ ସୁଦୃଢ଼ ହୋଇଛି । କେବଳ ବ୍ୟାଟିଂ କ୍ରମରେ ପରିବର୍ତ୍ତନ ହୋଇପାରେ । ସଞ୍ଜୁ ସାମସନଙ୍କ ସହ ଆୟୂଷ ମାହତ୍ରେ ପାଳି ଆରମ୍ଭ କରିବେ ଓ ଋତୁରାଜ ୩ନଂ ସ୍ଥାନରେ ଖେଳିବେ। କୋଲକାତା ଦଳରେ ଗୋଟିଏ ପରିବର୍ତ୍ତନ ହୋଇପାରେ। ଆହତ ହୋଇ କିଛି ମ୍ୟାଚ ଖେଳି ନଥିବା ବରୁଣ ଚକ୍ରବର୍ତ୍ତୀ ଇତି ମଧ୍ୟରେ ବୋଲିଂ ଅଭ୍ୟାସ ଆରମ୍ଭ କରିଛନ୍ତି । ସେ ଏକାଦଶକୁ ଫେରିବା ଆଶା କରାଯାଉଛି । ପେସ୍ ବୋଲର ମଥିଶା ପତିରଣା ମଧ୍ୟ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡରୁ ଏନ୍ଓସି ପାଇ କୋଲକାତା ଦଳରେ ଯୋଗ ଦେଇଛନ୍ତି । ମାତ୍ର ସେ ଆଜି ଖେଳିବେ ନାହିଁ
ଆଜି ସଞ୍ଜୁଙ୍କ ଉପରେ ଦର୍ଶକଙ୍କ ନଜର ରହିବ । ଗତ ଦିଲ୍ଲୀ ବିପକ୍ଷ ମ୍ୟାଚରେ ସେ ଶତକ ଅର୍ଜନ କରି ଫର୍ମକୁ ଫେରିଛନ୍ତି । କୋଲକାତା ପକ୍ଷରୁ ଅଙ୍ଗକ୍ରୀଶ ରଘୁବଂଶୀ ମଧ୍ୟ ଦମ୍ଦାର ପ୍ରଦର୍ଶନ ଜାରି ରଖିଛନ୍ତି । ଚିପକ ଷ୍ଟାଡ଼ିୟମର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ରାତ୍ରିରେ ମ୍ୟାଚ ଖେଳାଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । କାରଣ ସନ୍ଧ୍ୟା ସମୟରେ ନୂଆ ବଲ୍ ସୁଇଂ କରିବ ଓ ରାତ୍ରିରେ କାକର ଯୋଗୁଁ ବ୍ୟାଟିଂ ସହଜ ହେବ ।

