ଆଜିଠୁ ଆରମ୍ଭ ଓଡ଼ିଆ ନୂଆବର୍ଷ
ଓଡିଆ ପରମ୍ପରା ଅନୁଯାୟୀ ଓଡ଼ିଆଙ୍କ ନୂତନ ବର୍ଷ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଚଳନ ହେବ ନୂଆ ପାଞ୍ଜି। ଦୋଳ ପୂର୍ଣ୍ଣିମାରେ ଦୋଳ ଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପାଞ୍ଜିକୁ ଶ୍ରୀମନ୍ଦିରରେ ପ୍ରଚଳନ କରାଯିବ।
ଆଜିର ପର୍ବର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି ‘ବସୁନ୍ଧରା ଠେକି’। ତୁଳସୀ ଚଉରା ଉପରେ ଏକ ଛୋଟ କଣା ଥିବା ମାଟି ପାତ୍ର ବନ୍ଧାଯାଏ । ଏହି ପାତ୍ରରୁ ଟୋପା ଟୋପା ହୋଇ ପାଣି ତୁଳସୀ ମୂଳରେ ପଡ଼ିଥାଏ। ଏହା ସୂଚାଇ ଦିଏ ଯେ, ଯେତେବେଳେ ଧରିତ୍ରୀ ମାତା ଯେତେବେଳେ ଖରାରେ ଶୁଖିଯାଏ, ସେତେବେଳେ ଜଳଦାନ କରି ତାକୁ ଶୀତଳ ରଖିବା ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ । ଏହା ପରୋକ୍ଷରେ ଜଳ ସଂରକ୍ଷଣ ଓ ବୃକ୍ଷରୋପଣର ବାର୍ତ୍ତା ଦିଏ । ଓଡ଼ିଆ ଘରର ପରମ୍ପରା ଅନୁସାରେ ଏହି ଦିନ ନୂଆ ପଞ୍ଜିକା କିଣାଯାଏ । ଠାକୁରଙ୍କ ପାଖରେ ପଞ୍ଜିକା ପୂଜା ହେବା ପରେ ପରିବାରର ସଦସ୍ୟମାନେ ପଣ୍ଡିତଙ୍କଠାରୁ ବର୍ଷକର ରାଶିଫଳ ଶୁଣନ୍ତି । ଏହା ସହିତ ନୂତନ ବ୍ୟବସାୟିକ ହିସାବ କିତାବ ମଧ୍ୟ ଅନେକ ସ୍ଥାନରେ ଆରମ୍ଭ ହୋଇଥାଏ । ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ପର୍ବ ଆୟୋଜିତ ହୁଏ । ଦକ୍ଷିଣ ଓଡ଼ିଶାରେ ଆଜିର ଦିନରେ ଦିନ ‘ଦଣ୍ଡ ନାଚ’ର ସମାପନ ଉତ୍ସବ ପାଳନ କରାଯାଏ, ଯେଉଁଥିରେ ଭକ୍ତମାନେ କଠୋର ତପସ୍ୟା କରି ଶିବ-ପାର୍ବତୀଙ୍କ ଆରାଧନା କରନ୍ତି । ରାଜ୍ୟର ଅନେକ ମନ୍ଦିରରେ ଭକ୍ତମାନେ ଜଳନ୍ତା ନିଆଁ ଉପରେ ଚାଲି ନିଜର ଭକ୍ତି ପ୍ରଦର୍ଶନ କରନ୍ତି । ପଣା ସଂକ୍ରାନ୍ତି ହେଉଛି ସଂଯମ, ସେବା ଏବଂ ସମର୍ପଣର ପର୍ବ । ଏହା ଆମକୁ ଶିଖାଏ କିପରି ପ୍ରକୃତି ସହ ତାଳ ମିଳାଇ ଆମେ ଏକ ସୁନ୍ଦର ଓ ସମୃଦ୍ଧ ଜୀବନ ବିତାଇପାରିବା ।

