କ୍ରୀଡା

ଆଜି ପଞ୍ଜାବ କୋଲକାତା ମୁକାବିଲା

ଚଳିତ ଆଇପିଏଲ୍‌ର ୧୨ତମ ଲିଗ୍ ମୁକାବିଲାରେ ଆଜି ଘରୋଇ କୋଲକାତା ଓ ପଞ୍ଜାବ ସାମ୍ନାସାମ୍ନି ହେବେ । ସିଜନର ପ୍ରଥମ ୨ଟି ମ୍ୟାଚ୍‌ରେ ପରାଜିତ ହୋଇଥିବା କୋଲକାତା ବିଜୟ ଖାତା ଖୋଲିବାକୁ ବ୍ୟାକୁଳ । ଅନ୍ୟ ପଟରେ ପଞ୍ଜାବ ଅପରାଜେୟ ଧାରା ଅବ୍ୟାହତ ରଖିବାକୁ ପ୍ରସ୍ତୁତ ରହିଛି । ଫଳରେ ଉଭୟ ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିବ ।

ଶ୍ରେୟାସ ଆୟରଙ୍କ ନେତୃତ୍ୱାଧିନ ପଞ୍ଜାବ କ୍ରମାନ୍ୱୟରେ ୨ଟି ମ୍ୟାଚ୍ ଜିତି ଦୃଢ଼ ମନୋବଳରେ ରହିଛି । ଦଳ ଗୁଜରାଟକୁ (୩ୱିକେଟ୍‌ରେ) ଓ ଚେନ୍ନାଇକୁ (୫ୱିକେଟ୍‌ରେ) ହରାଇ ମୋଟ୍ ୪ପଏଣ୍ଟ ସହ ତାଲିକାରେ ତୃତୀୟ ସ୍ଥାନରେ ରହିଛି । କୋଲକାତା ପ୍ରଥମ ୨ଟି ମ୍ୟାଚ୍ରେ ଯଥାକ୍ରମେ ମୁମ୍ବାଇ ଓ ହାଇଦ୍ରାବାଦ ନିକଟରୁ ହାରି ଯାଇଥିଲା ।

ପଞ୍ଜାବ ସବୁ ବିଭାଗରେ ଶୃଙ୍ଖଳିତ ପ୍ରଦର୍ଶନ କରୁଛି । ଦୁଇ ଓପନର ପ୍ରିୟାଂଶ ଆର୍ଯ୍ୟ ଓ ପ୍ରଭସିମରନ ସିଂହ ଫର୍ମରେ ରହିଥିବାବେଳେ କୁପର କନ୍ନଲି ୨ଟି ମ୍ୟାଚ୍‌ରୁ ୧୦୮ରନ୍ ସଂଗ୍ରହ କରି ସାରିଛନ୍ତି । ସେହିପରି ଆୟର ଗତ ଚେନ୍ନାଇ ବିପକ୍ଷ ମ୍ୟାଚ୍‌ରେ ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ଫର୍ମରେ ଥିବା ପ୍ରମାଣିତ କରିଛନ୍ତି । ବୋଲିଂ ବିଭାଗ ସୁଦୃଢ଼ ରହିଛି । ଅର୍ଶଦୀପ ସିଂହ, ମାର୍କୋ ଜାନସେନ, ବିଜୟକୁମାର ବୈଶାଖଙ୍କୁ ନେଇ ଗଠିତ ପେସ୍ ବାହିନୀ ଘାତକ ସାବ୍ୟସ୍ତ ହେଉଥିବାବେଳେ ସ୍ପିନର ୟୁଝବେନ୍ଦ୍ର ଚହଲ ଆବଶ୍ୟକ ସ୍ଥଳେ ୱିକେଟ୍ ବାହାର କରିବାରେ ସଫଳ ହୋଇଛନ୍ତି । ଆଜି ଆୟରଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସେ ୨୦୨୪ ସିଜନରେ କୋଲକାତାକୁ ଆଇପିଏଲ୍ ଚାମ୍ପିଅନ୍ କରାଇଥିଲେ। ମାତ୍ର ପର ବର୍ଷ କୋଲକାତା ତାଙ୍କୁ ଦଳରୁ ମୁକ୍ତ କରିଥିଲା । ଆୟର ଗତ ବର୍ଷ ପଞ୍ଜାବର ନେତୃତ୍ୱ ନେବା ସହ ଦଳକୁ ଫାଇନାଲ୍‌ରେ ପହଞ୍ଚାଇ ଥିଲେ ।

କୋଲକାତା ଏପର୍ଯ୍ୟନ୍ତ ଏକ ସନ୍ତୁଳିତ ଦଳ ଗଠନ କରିବାରେ ବିଫଳ ହୋଇଛି । ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ କାମେରନ ଗ୍ରୀନ ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଛନ୍ତି । ସେହିପରି ଟପ୍ ଅର୍ଡ଼ର ବ୍ୟାଟରମାନେ ସ୍ଥିର ପ୍ରଦର୍ଶନ ଦେବାରେ ବିଫଳ ହୋଇଛନ୍ତି । କେବଳ ଅଙ୍ଗକ୍ରିସ୍ ରଘୁବଂଶୀ ଫର୍ମରେ ରହିଛନ୍ତି । ବାକି ସମସ୍ତ ବ୍ୟାଟର ସଂଘର୍ଷ କରୁଛନ୍ତି । ବୋଲିଂ ବିଭାଗ ଦୁର୍ବଳ ମନେ ହେଉଛି । ସ୍ପିନର ବରୁଣ ଚକ୍ରବର୍ତ୍ତୀ ବ୍ୟୟବହୁଳ ସାବ୍ୟସ୍ତ ହେବା ଦଳୀୟ ପ୍ରଦର୍ଶନକୁ ପ୍ରଭାବିତ କରୁଛି ।

Share

Leave a Reply

Your email address will not be published. Required fields are marked *

two × four =