କ୍ରୀଡା

ଆଜି lSG-DC ମୁକାବିଲା

ଚଳିତ ଆଇପିଏଲ୍‌ରେ ଆଜି ପଞ୍ଚମ ଲିଗ୍ ମୁକାବିଲା ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱାଧିନ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଗତ ସିଜନରେ ଉଭୟ ଦଳ ପ୍ଲେ-ଅଫ୍ ଦୌଡ଼ରୁ ବାଦ ପଡ଼ିଥିଲେ । ମାତ୍ର ଏଥର ଫାଇନାଲ୍ ଖେଳିବାର ଆଶା ନେଇ ଉଭୟ ଦଳ ଗ୍ରାଉଣ୍ଡକୁ ଓହ୍ଲାଇବେ ।

ପୂର୍ବରୁ ଉଭୟ ଦଳ ପରସ୍ପରକୁ ୭ଥର ଭେଟିଛନ୍ତି । ଏଥିରୁ ଦିଲ୍ଲୀ ୪ଟି ମ୍ୟାଚ ଜିତିଥିବାବେଳେ ଲକ୍ଷ୍ନୌ ୩ଟି ମ୍ୟାଚରେ ବିଜୟୀ ହୋଇଛି । ଗତ ସିଜନରେ ଉଭୟ ଦଳ ପରସ୍ପରକୁ ୨ଥର ଭେଟିଥିଲେ ଓ ଉଭୟ ମ୍ୟାଚରେ ଦିଲ୍ଲୀ ବିଜୟୀ ହୋଇଥିଲା । ଉଭୟ ଦଳ ଜଣେ ଲେଖାଏଁ ପ୍ରମୁଖ ଖେଳାଳିଙ୍କ ବିନା ଆଜି ଗ୍ରାଉଣ୍ଡକୁ ଓହ୍ଲାଇବେ । ଲକ୍ଷ୍ନୌ ଦଳର ସ୍ପିନର ୱାନିଣ୍ଡୁ ହସରଙ୍ଗା ଆହତ ଅଛନ୍ତି । ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ତାଙ୍କୁ ଏପର୍ଯ୍ୟନ୍ତ ଭାରତ ପଠାଇ ନାହିଁ । ସେହିପରି ଦିଲ୍ଲୀ ଦଳର ପେସ୍ ବୋଲର ମିଚେଲ ଷ୍ଟାର୍କ ଆହତ ଥିବାରୁ ଭାରତ ଆସି ନାହାନ୍ତି । ପନ୍ତଙ୍କ ବ୍ୟାଟିଂ ସ୍ଥାନକୁ ନେଇ ଉତ୍ସୁକତା ଲାଗି ରହିଛି । ସେ ଗତ ବର୍ଷ ଅନ୍ତିମ ଲିଗ୍ ମ୍ୟାଚରେ ୩ନଂ ସ୍ଥାନରେ ବ୍ୟାଟିଂ କରି ଶତକ ଅର୍ଜନ କରିଥିଲେ । ମାତ୍ର ଏହି ସ୍ଥାନରେ ନିକୋଲାସ ପୂରନ ଢ଼େର ରନ୍ ସଂଗ୍ରହ କରିସାରିଛନ୍ତି । ଦିଲ୍ଲୀ ମଧ୍ୟ ୩ନଂ ସ୍ଥାନକୁ ନେଇ ପରୀକ୍ଷା ନିରୀକ୍ଷା କରିବା ସମ୍ଭାବନା ରହିଛି । ନୀତିଶ ରାଣାଙ୍କୁ ଆଜି ଏହି ସ୍ଥାନରେ ଖେଳାଇବା ପାଇଁ ଦିଲ୍ଲୀ ଚିନ୍ତା କରୁଛି । ସେ ଗତ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟିରେ ଏହି ସ୍ଥାନରେ ବ୍ୟାଟିଂ କରି ଦିଲ୍ଲୀ ପକ୍ଷରୁ ସର୍ବାଧିକ ରନ ସଂଗ୍ରହ କରିଥିଲେ ।

ଆଜି ସମସ୍ତଙ୍କ ନଜର ଲକ୍ଷ୍ନୌର ଦୁଇ ପେସ୍ ବୋଲର ମହମ୍ମଦ ସାମି ଓ ମୟଙ୍କ ଯାଦବଙ୍କ ଉପରେ ରହିବା ନିଶ୍ଚିତ । ସାମି ଗତ ସିଜନରେ ଘରୋଇ କ୍ରିକେଟ୍‌ରେ ଘାତକ ବୋଲିଂ କରିଥିଲେ ହେଁ ଭାରତୀୟ ଦଳକୁ ଫେରି ପାରିନଥିଲେ । ରଣଜୀ ଟ୍ରଫିରୁ ଆରମ୍ଭ କରି ବିଜୟ ହଜାରେ ଟ୍ରଫି ଓ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି ପର୍ଯ୍ୟନ୍ତ ସବୁ ଫର୍ମାଟ୍‌ରେ ତାଙ୍କ ପ୍ରଦର୍ଶନ ବେଶ୍ ଉନ୍ନତ ରହିଥିଲା । ଏଥର ଆଇପିଏଲ୍ ଜରିଆରେ ସେ ପୁଣି ଥରେ ଚୟନକର୍ତ୍ତାଙ୍କୁ ଭୁଲ ପ୍ରମାଣିତ କରିବାକୁ ପ୍ରୟାସ କରିବେ । ସେହିପରି ମୟଙ୍କ ଯାଦବ ଫିଟ୍ ହୋଇ ଫେରିଛନ୍ତି ଓ ପୂର୍ବ ଲୟ ଫେରି ପାଇଛନ୍ତି ।

ଦିଲ୍ଲୀ ପକ୍ଷରୁ ପେସ୍ ବୋଲର ଆକିବ ନବିଙ୍କ ଉପରେ ନଜର ରହିବା ସ୍ୱାଭାବିକ । ସେ ଗତ ରଣଜୀ ଟ୍ରଫିରେ ୬୦ଟି ୱିକେଟ୍ ନେଇ ଜମ୍ମୁ ଓ କାଶ୍ମୀରକୁ ଚାମ୍ପିଅନ କରାଇଥିଲେ । ଆଜିର ମ୍ୟାଚ ପାଇଁ ଏକ ନାଲି ମାଟି ପିଚ୍ ପ୍ରସ୍ତୁତ କରାଯାଇଛି । ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିଥିଲେ ହେଁ ପେସ୍ ବୋଲରମାନେ ପ୍ରାରମ୍ଭରୁ ଫାଇଦା ଉଠାଇ ପାରିବେ । ଏହି ପିଚ୍‌ରେ ବଲ୍ ଅତିରିକ୍ତ ବାଉନ୍ସ ହେବା ନିଶ୍ଚିତ । ରାତ୍ରିରେ ମ୍ୟାଚ ଖେଳା ଯାଉଥିବାରୁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।​​​​​​​

Share

Leave a Reply

Your email address will not be published. Required fields are marked *

5 × one =