କ୍ରୀଡା

କିଏ ଜିତିବ ଆଜି? ମୁମ୍ବାଇ ନାଁ କୋଲକାତା

ଚଳିତ ଆଇପିଏଲ୍‌ରେ ଆଜି ୫ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ଗ୍ରାଉଣ୍ଡ୍‌ରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ । ସର୍ବଦା ପ୍ରାରମ୍ଭରୁ ମନ୍ଥର ଆରମ୍ଭ କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ଏଥର ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ନାଇଟ ରାଇଡର୍ସ ପୂର୍ବ ବର୍ଷର ପରାଜୟର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ରହିଛି । ଫଳରେ ଆଜି ଏକ ରୋମରାଞ୍ଚକର ମୁକାବିଲା ଦେଖିବାକୁ ମିଳିବ । ଉଭୟ ଦଳରେ ଏକାଧିକ ମୁମ୍ବାଇ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳୁଥିବା ଖେଳାଳି ରହିଥିବାରୁ ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଉଭୟ ଦଳକୁ ଜବରଦସ୍ତ ସମର୍ଥନ ମିଳିବ । ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଅଜିଙ୍କ୍ୟ ରାହାଣେ, ଅଙ୍ଗକ୍ରୀଶ ରଘୁବଂଶୀଙ୍କ ଭଳି ମୁମ୍ବାଇ ଖେଳାଳିମାନେଖେଳିବା ନିଶ୍ଚିତ ।

ପୂର୍ବ ରେକର୍ଡ ସବୁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରେ ରହିଥିଲେ ହେଁ ନାଇଟ୍ ରାଇଡର୍ସ ନିକଟରେ ଚାମ୍ପିଅନ୍ ହେବାର ଉପଯୁକ୍ତ କ୍ଷମତା ରହିଛି । ଏଥର ଆନ୍ଦ୍ରେ ରସେଲ, ଭେଙ୍କଟେଶ ଆୟରଙ୍କ ଭଳି ଖେଳାଳି ନଥିଲେ ମଧ୍ୟ ନାଇଟ୍ ରାଇଡର୍ସ ପୂର୍ବାପେକ୍ଷା ଅଧିକ ସନ୍ତୁଳିତ ମନେ ହେଉଛି । ଆଇପିଏଲ୍‌ରେ ଉଭୟ ଦଳ ପରସ୍ପରକୁ ୩୫ ଥର ଭେଟିଛନ୍ତି । ଏଥିରୁ ମୁମ୍ବାଇ ଇଣ୍ଡିଆନ୍ସ ୨୪ଟି ମ୍ୟାଚ ଜିତିଥିବାବେଳେ ନାଇଟ୍ ରାଇଡର୍ସ ୧୧ଟି ମ୍ୟାଚରେ ବିଜୟୀ ହୋଇଛି । ୨୦୨୪ ସିଜନରେ ନାଇଟ୍ ରାଇଡର୍ସ ୨ଟି ଯାକ ଲିଗ୍ ମ୍ୟାଚ ଜିତିଥିଲା । ମାତ୍ର ସେତେବେଳେ ଶ୍ରେୟାସ ଆୟର ଦଳର ଅଧିନାୟକ ରହିଥିଲେ । ସେହିବର୍ଷ ନାଇଟ୍ ରାଇଡର୍ସ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା ।

ତାରକା ଖଚିତ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଉପରେ ଦର୍ଶକଙ୍କ ନଜର ରହିବା ସ୍ୱାଭାବିକ । ମାତ୍ର ନାଇଟ୍ ରାଇଡର୍ସର ଏକାଦଶ ଚୟନକୁ ନେଇ ଉତ୍ସୁକତା ଲାଗି ରହିବ । ଏଥର ନାଇଟ ରାଇଡର୍ସ ନ୍ୟୁଜିଲାଣ୍ଡର ଦୁଇ ଓପନର ଫିନ ଆଲେନ ଓ ଟିମ ସାଇଫର୍ଟଙ୍କୁ କିଣିଛି । ଉଭୟ ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଦମଦାର ବ୍ୟାଟିଂ କରିଥିଲେ । ମାତ୍ର ନାଇଟ୍ ରାଇଡର୍ସ ସର୍ବଦା ସୁନୀଲ ନାରାଏନଙ୍କୁ ଓପନର ଭାବେ ଖେଳାଇ ଆସିଛି । ରାହାଣେ ଓ ରଘୁବଂଶୀ ମଧ୍ୟ ଓପନର ଭାବେ ଖେଳନ୍ତି । ତେଣୁ ଆଜି କେଉଁ ଦୁଇ ଖେଳାଳି ଓପନର ଭାବେ ଓହ୍ଲାଇବେ ତାହା ଦେଖିବାକୁ ଦର୍ଶକ ଅପେକ୍ଷା କରିବେ ।

Share

Leave a Reply

Your email address will not be published. Required fields are marked *

one × 5 =