ଆଜିଠୁ ସାହିଯାତ
ଆଜି ପବିତ୍ର ଶ୍ରୀରାମନବମୀ । ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ । ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ ଏହି ସାହିଯାତରେ ରାମାୟଣ କଥାବସ୍ତୁ ଉପରେ ଆଧାରିତ ହୋଇଥାଏ । ଶ୍ରୀରାମ ଜନ୍ମ ଠାରୁ ଆରମ୍ଭ କରି ରାମାଭିଷେକ ପର୍ଯ୍ୟନ୍ତ ନୀତିକାନ୍ତି ଅନୁଷ୍ଠିତ ହେବ । ତେଵେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପାସନାରେ ଶ୍ରୀରାମଲୀଳା ସଂଶ୍ଳିଷ୍ଟ । କାଳକ୍ରମେ ଶ୍ରୀମନ୍ଦିରରେ ଏହି ଲୀଳାଖେଳା ଶ୍ରୀମନ୍ଦିର ସଂଲଗ୍ନ ସାହିକୁ ପରିବ୍ୟାପ୍ତ ହୋଇଛି ।
ସାହିରେ ମୁକ୍ତାକାଶ ତଳେ ଶ୍ରୀରାମଙ୍କ ଜନ୍ମଠୁ ନେଇ ରାବଣ ବଧ ପର୍ଯ୍ୟନ୍ତ ପୌରାଣିକ କଥାସାରକୁ ଉପସ୍ଥାପନ କରାଯାଉଥିବାରୁ ନାଁ ରହିଛି ‘ସାହିଯାତ । ସେହି ସାହିଯାତରେ ସମରକଳା, ଲୋକକଳା, ଲୋକନୃତ୍ୟ, ଲୋକଗୀତ ଓ ଲୋକବାଦ୍ୟ ସଂସ୍କୃତି ସମ୍ମିଳିତ ହୋଇ ଯାତର ଗାରିମା ବୃଦ୍ଧି ପାଇଛି । ସାହିଯାତ ପାଇଁ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଯାଗା ଆଖେଡା ଚଳଚଞ୍ଚଳ ହୋଇପଡିଛି । ଆଜି ଠାରୁ ବିର ବାଦ୍ୟରେ କମ୍ପିବ ଶ୍ରୀକ୍ଷେତ୍ର ଗଳି କନ୍ଦି ।
ସେପଟେ ସାହିଯାତ ଉତ୍ସବକୁ ସଫଳ କରିବା ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ କୌଣସି ବିଶୃଙ୍ଖଳା ଯେଭଳି ନହୁଏ ସେନେଇ ବିଶେଷ ଧ୍ୟାନ ଦିଆଯାଇଛି । ଏପଟେ ସାହି ଯାତକୁ ଦୃଷ୍ଟିରେ ରଖି ପୁରୀ ପୌରସଂସ୍ଥା ପକ୍ଷରୁ ରାସ୍ତାଘାଟ ସଫେଇ, ମରାମତି, ଆଲୋକୀକରଣ ସହିତ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି ପୁରୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ।

