ରାଜ୍ୟରେ ମହଜୁଦ ଅଛି ଆବଶ୍ୟକୀୟ ଗ୍ୟାସ୍: ଯୋଗାଣ ମନ୍ତ୍ରୀ
ବିଚଳିତ ହୁଅନ୍ତୁ ନାହିଁ, ରାଜ୍ୟରେ ମହଜୁଦ ଅଛି ଆବଶ୍ୟକୀୟ ଗ୍ୟାସ୍। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସ୍ପଷ୍ଟୀକରଣ। ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏବେ ୧୪ ହଜାର ଘରୋଇ ଗ୍ୟାସ୍ ସିଲିଣ୍ଡର ମହଜୁଦ ଅଛି। କଳାବଜାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ ହେଉଛି। ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ଗ୍ୟାସ୍ ଦେବାକୁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ଆଜିଠାରୁ ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ଗ୍ୟାସ୍ ଯୋଗାଇ ଦିଆଯିବ।
ମନ୍ତ୍ରୀ ପୁଣି କହିଛନ୍ତି ଯେ, ଗ୍ୟାସ୍ ସଙ୍କଟକୁ ନେଇ ଆଜି ରାଜ୍ୟ ସରକାର ଗୁରୁତ୍ଵପୂର୍ଣ୍ଣ ବୈଠକ କରିବେ। ପୂର୍ବରୁ କମର୍ସିଆଲ ଗ୍ୟାସ୍ ବଣ୍ଟନ ୨୦ ପ୍ରତିଶତ ରହିଥିଲା। ବର୍ତ୍ତମାନ କେନ୍ଦ୍ର ସରକାର ଆଉ ୨୦ ପ୍ରତିଶତ ମଞ୍ଜୁର କରିଥିବାରୁ, ବିଶେଷ କରି ରେଷ୍ଟୁରାଣ୍ଟ ଓ ହୋଟେଲମାନଙ୍କୁ ସହଜରେ ଗ୍ୟାସ୍ ମିଳିବ। ଏହା ସହ ଆଉ ୧୦ ପ୍ରତିଶତ ବଢ଼ାଇବା ପାଇଁ ଆଲୋଚନା ଚାଲିଛି। ସେଥିପାଇଁ କମର୍ସିଆଲ ଗ୍ୟାସ୍ ଆବଶ୍ୟକତାର ପ୍ରାୟ ୫୦ ପ୍ରତିଶତ ପୂରଣ ହେବା ଆଶା କରାଯାଉଛି। ଆଜିଠାରୁ କମର୍ସିଆଲ ସଂସ୍ଥାମାନଙ୍କୁ ୪୦ ପ୍ରତିଶତ ଗ୍ୟାସ୍ ଯୋଗାଣ ଆରମ୍ଭ ହେବ। କେନ୍ଦ୍ର ପକ୍ଷରୁ ଆଉ ୧୦ ପ୍ରତିଶତ ପାଇଁ କିଛି ସର୍ତ୍ତ ରହିଛି, ଯାହାକୁ ପୂରଣ କରିବାରେ ରାଜ୍ୟ ସରକାର କାମ କରୁଛନ୍ତି। ସାଧାରଣ ଗ୍ରାହକଙ୍କ ପାଇଁ ଗ୍ୟାସ୍ ବଣ୍ଟନରେ କୌଣସି ବିଘ୍ନ ନାହିଁ। ଯଦି କୌଣସି ଅଭିଯୋଗ ଆସେ, ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଛି।

