ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ
ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ । ୫ ଘଣ୍ଟା ପରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଛାଡ଼ିଦେଲେ ଦୁର୍ବୃତ୍ତ । ସୋମବାର ରାଜଧାନୀ ଭୁବନେଶ୍ଵରରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ବେଳେ ୫ ଘଣ୍ଟା ପରେ ଠାବ ହୋଇଛନ୍ତି ।
ସୂଚନା ଅନୁସାରେ, ଅଷ୍ଟମ ଶ୍ରେଣୀ ଛାତ୍ରୀ ଜଣଙ୍କ ଭରତପୁର ଥାନା ଅଞ୍ଚଳର ଏକ ସରକାରୀ ବିଦ୍ୟାଳୟରେ ପଢ଼ନ୍ତି । ସୋମବାର ଅପରାହ୍ଣରେ ଛାତ୍ରୀ ଜଣଙ୍କ ସ୍କୁଲ୍ ଛୁଟି ପରେ ଗେଟ୍କୁ ଆସିବା ବେଳେକୁ ବସ୍ ପଳାଇଥିଲା । ଏହାପରେ ପରିବାର ଲୋକଙ୍କୁ ଛାତ୍ରୀ ଜଣଙ୍କ ବସ୍ ପଳାଇଥିବା ଜଣାଇଥିଲେ ।
ପରିବାର ଲୋକ ସ୍କୁଲ୍ରେ ପହଞ୍ଚିବା ବେଳକୁ ସେଠାରେ ଝିଅକୁ ପାଇ ନଥିଲେ । ଏନେଇ ତତ୍କ୍ଷଣାତ୍ ପୋଲିସରେ ଅଭିଯୋଗ କରିଥିଲେ । ଏତଲା ପରେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ଅନୁଧ୍ୟାନ କରିଥିଲା ପୋଲିସ ।
ସିସିଟିଭିରୁ ଜଣାପଡ଼ିଥିଲା, ବାଇକ୍ରେ ଦୁର୍ବୃତ୍ତ ଆସି ଛାତ୍ରୀ ଜଣଙ୍କ ମୁହଁରେ ସ୍ପ୍ରେ ମାରି ଅପହରଣ କରି ନେଇଛନ୍ତି । ଏହାପରେ ଭରତପୁର ଥାନା ପୋଲିସ ସହ ଛାତ୍ରୀ ଜଣଙ୍କ ଘର ଏୟାରଫିଲ୍ଡ ଥାନା ଅଞ୍ଚଳରେ ହୋଇଥିବାରୁ ଉଭୟ ଥାନା ପୋଲିସ ୨ଟି ଟିମ୍ ଗଠନ କରି ଛାନଭିନ୍ ଆରମ୍ଭ କରିଥିଲେ ।
ତେବେ ଅପହରଣର ପ୍ରାୟ ୫ ଘଣ୍ଟା ପରେ ଛାତ୍ରୀ ଜଣଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଛାଡ଼ି ପଳାଇଥିଲେ ଦୁର୍ବୃତ୍ତ । ସେଠାରେ ଛାତ୍ରୀ ଜଣଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ଚାଲିଛି ।
ଅପହରଣର ଶିକାର ଅଷ୍ଟମ ଶ୍ରେଣୀ ଛାତ୍ରୀ ଜଣଙ୍କ ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ପ୍ରକୃତ ସତ ସାମ୍ନାକୁ ଆସିବ । ତେବେ କିଏ ଓ କାହିଁକି ବାଇକ୍ରେ ଆସି ଛାତ୍ରୀ ଜଣଙ୍କୁ ଉଠାଇ ନେଲେ ? କ୍ଯାପିଟାଲ୍ ହସ୍ପିଟାଲ୍ରେ ଲାଗିଥିବା ସିସିଟିଭି ଅନୁଧ୍ୟାନ ପରେ ପୋଲିସ ଅପହରଣକାରୀଙ୍କ ଉପରୁ ପରଦା ଉଠାଇବାରେ ସକ୍ଷମ ହୋଇପାରେ ।

