ଟିପିସିଓଡିଏଲ୍ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଲାଗି ମୌସୁମୀ ସମୟରେ ବ୍ୟାପକ ସୁରକ୍ଷା ପଦକ୍ଷେପ ଗ୍ରହଣ

ଭୁବନେଶ୍ୱର: ରାଜ୍ୟରେ ମୌସୁମୀର ଆଗମନ ହୋଇଥିବା ବେଳେ ବିଦ୍ୟୁତ ବଂଟନ ଲାଗି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ମୌସୁମୀ ପାଇଁ ପ୍ରସ୍ତୁତି କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ବିଭିନ୍ନ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଛି । କଂପାନି ଏହାର ଗ୍ରାହକ ଓ କର୍ମଚାରୀମାନଙ୍କ ଲାଗି ସମସ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରି ମୌସୁମୀ ସମୟରେ ଏହି ଅଂଚଳରେ ଏହାର ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି ।
ବିଦ୍ୟୁତ ବ୍ୟବସ୍ଥା, ଖୁଂଟ ଓ ତାର ଉପରେ ଗଛ/ ଶାଖା ପଡ଼ିବାକୁ ଏଡ଼ାଇବା ଲାଗି ୧୬୫୦ ସର୍କିଟ୍ କିମି ଏଚ୍‌ଟି ଫିଡର୍‌ରେ ବୃକ୍ଷର ବିଭିନ୍ନ ଅଂଶକୁ କଂପାନି ପକ୍ଷରୁ ଚ୍ଛେଦନ କରାଯାଇଥିବା ବେଳେ କ୍ରିପର୍‌ର ଅଭିବୃଦ୍ଧି ଯୋଗୁଁ ହେବାକୁ ଥିବା ଟ୍ରିପିଂ (ବିଭ୍ରାଟ)କୁ ରୋକିବା ଲାଗି ୨୫୦ ସବଷ୍ଟେସନରେ ଡି-ଭେଜିଟେସନ କରାଯାଇଛି । ଆବଶ୍ୟକ କର୍ମଚାରୀ ମୂତୟନ, ତ୍ୱରିତ ପ୍ରଶମନ ସମୟ ସହିତ ରକ୍ଷଣାବେକ୍ଷଣ ଓ ବ୍ରେକ୍‌ଡାଉନ୍ ଯାନ ଚବିଶ ଘଂଟା ଉପଲବ୍ଧ ରହିଛି, ଡିଟିରେ ୧୧୫୦ ପଲିମରିକ୍ ଲାଇଟେନିଂ ଆରେଷ୍ଟର (ଘଡ଼ଘଡ଼ି ରୋକିବା) ଓ ଟ୍ରାନ୍ସଫରମର ବ୍ରେକ୍‌ଡାଉନ୍ ହ୍ରାସ କରିବା ଲାଗି ୨୦୦୦ ପଲିମରିକ୍ ଲାଇଟେନିଂ ଆରେଷ୍ଟର ସ୍ଥାପନ କରାଯାଇଛି । ୧୦,୦୦୦ ସ୍ଥାନରେ ବିଦ୍ୟୁତ ଲିକ୍ ପରୀକ୍ଷଣ ଅଭିଯାନ ହାତକୁ ନିଆଯାଇଥିବା ବେଳେ ୮୫୭ ଆର୍ଥିଂ ବ୍ୟବସ୍ଥା ସ୍ଥାପନ କରାଯାଇଛି ଓ ଡିଟିରେ ୧୩୬୮ ଆର୍ଥିଂ ବ୍ୟବସ୍ଥାର ମରାମତି କରାଯାଇଛି । ସୁରକ୍ଷାରେ ଉନ୍ନତି ଆଣିବା ଲାଗି ଅତ୍ୟଧିକ ଦୁର୍ବଳ ଅଂଚଳରେ ୧୧୦୦ ଇଟଂରପୋଜିଂ (ଛନ୍ଦି ହୋଇଥିବା) ବିଦ୍ୟୁତ ଖୁଂଟ ସ୍ଥାପନ କରାଯାଇଛି ଏବଂ ଯେକୌଣସି ପ୍ରକାର ଅଭାବନୀୟ ଘଟଣାକୁ ରୋକିବା ଲାଗି ୫୦୦ ବିଦ୍ୟୁତ ସବଷ୍ଟେସନରେ ବାଡ଼ ଦିଆଯାଇଛି ।
ତଳିଆ ଅଂଚଳରେ ଥିବା ପିଏସ୍‌ଏସ୍‌ଗୁଡ଼ିକରୁ ଜଳ ନିଷ୍କାସନ ପାଇଁ ପମ୍ପ୍ ସେଟ୍‌ର ବ୍ୟବସ୍ଥା କରାଯାଇଥିବା ବେଳେ ମୌସମୀ ବର୍ଷା ସମୟରେ କାମ କରିବା ଲାଗି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ନିମନ୍ତେ ଗମ୍‌ବୁଟ୍‌, ରେନ୍‌କୋଟ୍ ଭଳି ଉପଯୁକ୍ତ ସୁରକ୍ଷା ଉପକରଣର ବ୍ୟବସ୍ଥା କରାଯାଇଛି । ଏଥି ସହିତ ଟ୍ରାନ୍ସଫରମର ଓ ସଂଯୋଗରେ ଥିବା ଉପକରଣଗୁଡ଼ିକର ଯୋଜନା ଅନୁଯାୟୀ ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ କରାଯାଇଛି ।
“ସୁରକ୍ଷା ହେଉଛି ସର୍ବଦା ଆମର ସର୍ବୋଚ୍ଚ ପ୍ରାଥମିକତା । ଗ୍ରାହକମାନେ ଯେଭଳି ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇପାରିବେ ତାହାକୁ ସୁନିଶ୍ଚିତ କରିବା ଲାଗି ଆମେ ନିୟମିତ ଭାବେ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରୁଛୁ । ଏହି ମୌସୁମୀ ସମୟରେ ସୁରକ୍ଷିତ ରହିବା ଲାଗି ସରଳ ପଦକ୍ଷେପ ଅନୁସରଣ କରିବା ପାଇଁ ଆମେ ସମସ୍ତଙ୍କୁ ଆହ୍ୱାନ ଦେଉଛୁ ବୋଲି ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ।’’

Share

Leave a Reply

Your email address will not be published. Required fields are marked *

20 + 6 =