ନୂଆ ବର୍ଷରେ ଜଗା ଦର୍ଶନର ଅନନ୍ୟ ଅନୁଭୂତି

ନୂଆ ବର୍ଷରେ କାଳିଆ ଦର୍ଶନର ଅନନ୍ୟ ଅନୁଭୂତି । ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହେଲା ସିଂହଦ୍ବାର । ଶୃଙ୍ଖଳିତ ଭାବେ ଏସି ଟନେଲରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରି ବିଭୋର ଓ ଭାବବିହ୍ୱଳ ହୋଇଛନ୍ତି ଭକ୍ତ । ବୟଷ୍କ, ଭିନ୍ନକ୍ଷମ, ମହିଳା ସବୁ ବର୍ଗର ଭକ୍ତ ନୂଆ ବର୍ଷରେ ଶୃଙ୍ଖଳିତ ଦର୍ଶନ କରିଛନ୍ତି । ପୂର୍ବ ଭଳି ନାହିଁ ଠେଲାପେଲା, ଦଳଚକଟା କିମ୍ବା ପୋଲିସ କି ସେବାୟତଙ୍କ ଦୁର୍ବବ୍ୟବହାରର ଅଭିଯୋଗ । ସନ୍ଧ୍ୟା ସାଢେ ଛଅଟା ସୁଦ୍ଧା ଚାରି ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।

ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିନା ସଙ୍କେତରେ ପତ୍ରଟିଏ ବି ହଲେନି । ତେଣୁ ନୂଆ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବାକୁ ସମସ୍ତଙ୍କ ମନରେ ଥାଏ ଉତ୍କଣ୍ଠା ଓ ଉତ୍ସାହ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ପୋଲିସ ଓ ପ୍ରଶାସନ ପକ୍ଷରୁ ଯେଉଁ ବ୍ୟବସ୍ଥା କରାଯାଇଥିଲା ତାକୁ ନେଇ ବିରୋଧୀଙ୍କ ମନରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । କିଛି ଜଗନ୍ନାଥ ବିରୋଧୀ ଏହାକୁ ନେଇ ଅପପ୍ରଚାର କରିବାକୁ ବି ପଛେଇନଥିଲେ । କିନ୍ତୁ କେହି କେବେ ଅନୁମାନ କରିନଥିଲେ ଯେ, ନୂଆ ବର୍ଷର ଏହି ଦର୍ଶନ ଏତେ ଅନନ୍ୟ ଓ ସ୍ମରଣୀୟ ହେବ । ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ କରି ଭକ୍ତ ଆଜି ବିଭୋର । ଆଉ ପ୍ରଶାସନ ଓ ସରକାରଙ୍କୁ ପ୍ରଶଂସାରେ ପୋତିପକାଇଛନ୍ତି ।

ମାର୍କେଟ ଛକରୁ ବ୍ୟାରିକେଡ ଦେଇ ଆସିବା ପରେ ସ୍ବତନ୍ତ୍ର ସେଡେଡ ଚଲାପଥ ଓ ଅଭ୍ୟର୍ଥନା କକ୍ଷ ଦେଇ ଭକ୍ତମାନେ ସିଂହଦ୍ବାର ବାଟେ ପ୍ରବେଶ କରିଛନ୍ତି । ପ୍ରଶାସନ ପକ୍ଷରୁ ନୀତିକାନ୍ତିକୁ ମଧ୍ୟ ଶୃଙ୍ଖଳିତ କରାଯାଇଛି । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ନୂଆ ବର୍ଷରେ ହେବାକୁ ଥିବା ଭିଡକୁ ଲକ୍ଷ୍ୟ କରି ରାତି ଗୋଟାଏ ୪୦ରୁ ଖୋଲିଥିଲା ସିଂହଦ୍ବାର। ସୁରକ୍ଷା ସହ ଭକ୍ତଙ୍କ ସୁବିଧା ପାଇଁ 90 ପ୍ଲାଟୁନ ପୋଲିସ ଫୋର୍ସଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ନିୟୋଜିତ ହୋଇଥିଲେ । ଭକ୍ତଙ୍କ ବିଶ୍ରାମ ପାଇଁ ତିଆରି ହୋଇଥିଲା ଜର୍ମାନ ହ୍ୟାଙ୍ଗର ।

ଖୋଦ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ ପୂରା ବ୍ୟବସ୍ଥାର ତତ୍ବାବଧାନ କରୁଥିଲେ । ଭିନ୍ନକ୍ଷମଙ୍କୁ ପୋଲିସ କର୍ମଚାରୀମାନେ ହ୍ବିଲ ଚେୟାରରେ ଶ୍ରୀମନ୍ଦିର ଭିତରକୁ ନେଇ ଦର୍ଶନ କରାଉଥିଲେ । ବରିଷ୍ଠ ନାଗରିକଙ୍କୁ ମଧ୍ୟ ସେହିଭଳି ସ୍ବତନ୍ତ୍ର ଧାଡିରେ ଦୀର୍ଷ ସମୟ ଧରି ଛିଡା ହେବାକୁ ପଡିନି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତ ଭାବରେ ହଜିଯାଇଥିବା ବେଳେ ନୂତନ ବାରିକେଡ ଓ ଏସି ଟନେଲ ସେମାନଙ୍କ କଷ୍ଠକୁ ଲାଘବ କରିଛି ।

ଏଥର ନୂଆ ବର୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସହ ଛତିଶଗଡ, ପୁନେ, ପଶ୍ଚିମବଙ୍ଗ, ପାଟନା, ଦିଲ୍ଲୀ, ଉତ୍ତରପ୍ରଦେଶ ଏମିତି ଦେଶର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ । ସମସ୍ତେ ଧାଡି ବ୍ୟବସ୍ଥା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । କେବଳ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ ହୋଇନି, ବଡଦାଣ୍ଡ ସମେତ ପୂରୀ ସହରରେ ପରିମଳ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି । ଧାଡିରେ ଥିବା ଭକ୍ତଙ୍କୁ ନିୟମିତ ବ୍ୟବସ୍ଥାନରେ ପିଇବା ପାଣି ସହ ଶ୍ରଦ୍ଧାଳୁଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲା ପୋଲିସ । ନୂଆ ବର୍ଷର ଏହି ନିଆରା ଅନୁଭୂତି ଭକ୍ତଙ୍କୁ ବାରମ୍ବାର ପୁରୀକୁ ଆସିବାକୁ ଉତ୍ସାହିତ କରିଛି ।
ନୂଆ ବର୍ଷରୁ ଶ୍ରୀମନ୍ଦିରରେ ନୂତନ ବ୍ୟବସ୍ଥା ଲାଗୁ କରାଯାଇଛି ।

ଶାଳୀନତାପୂର୍ଣ ପୋଷାକ ପରିଧାନ, ପାନ ଗୁଟଖା ସେବନ ବାରଣ, ପଲିଥିନ ପ୍ରବେଶ ନିଷିଦ୍ଧ କରାଯାଇଛି । ଏଭଳି ବ୍ୟବସ୍ଥାକୁ ସ୍ବାଗତ କରିଛନ୍ତି ଶ୍ରଦ୍ଧାଳୁ ।

Share

Leave a Reply

Your email address will not be published. Required fields are marked *

16 − seven =