ଭୁବନେଶ୍ବର ରେଳ ଷ୍ଟେସନର ରୂପାନ୍ତରଣ, ରାଜ୍ୟ ସରକାରଙ୍କ ଭୂମିକାକୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା

ମଲ୍ଟି ମୋଡାଲ ହବ ଭାବେ ଷ୍ଟେସନର ବିକାଶ କରାଯିବ

ଭୁବନେଶ୍ବର () ଭୁବନେଶ୍ବର ରେଳଷ୍ଟେସନର ପୁନଃ ବିକାଶ ପାଇଁ ଆଜି ନୂଆଦିଲ୍ଲୀ ସ୍ଥିତ ଉଦ୍ୟୋଗ ଭବନଠାରେ ଉଭୟ ରେଳବାଇ ଓ ରାଜ୍ୟ ସାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି I ରେଳବାଇ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶଶୀକାନ୍ତ ସିଂହ ଓ ଓଡିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷ ପ୍ରେମଚାନ୍ଦ ଚୌଧୁରୀ ଏହି ବୁଝାମଣା ପତ୍ରରେ ସ୍ଵାକ୍ଷର କରିଛନ୍ତି I

ଭୁବନେଶ୍ବର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ ମଲ୍ଟି ମୋଡ଼ାଲ ହବ ଭାବେ ବିକଶିତ କରାଯିବ । ରେଳଷ୍ଟେସନ ସଂଲଗ୍ନ ଅଞ୍ଚଳକୁ ମଧ୍ୟ ବିକଶିତ କରାଯିବ I  ଏହି ପ୍ରକଳ୍ପକୁ ଓଡିଶା ସରକାରଙ୍କ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଦ୍ବାରା ନିର୍ମାଣ କରାଯିବ I  ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଓ ଭୁବନେଶ୍ବର ଉନ୍ନୟନ କର୍ତୃପକ୍ଷଙ୍କ ମିଳିତ ଜମିରେ ଏହି  ମଲ୍ଟି ମୋଡ଼ାଲ ହବର ଭୁବନେଶ୍ବର ରେଳ ଷ୍ଟେସନର ନୂତନ ଟର୍ମିନାଲ ବିଲଡିଙ୍ଗ, ସିଟି ବସ ଟର୍ମିନାଲ, ପବ୍ଲିକ କାର ପାର୍କିଙ୍ଗ ଏବଂ ଅନ୍ୟାନ ସାଧାରଣ ଲୋକଙ୍କ ଉପଯୋଗୀ ମିଶ୍ରିତ ସଂସ୍ଥା ସହିତ ସବୁ ପ୍ଳାଟଫର୍ମ ଉପର ଦେଇ ଭୁବନେଶ୍ବର ଷ୍ଟେସନର ଉଭୟ ପାର୍ଶ୍ବକୁ ସଂଲଗ୍ନ କରୁଥିବା ଏକ କନକୋର୍ସ ନିର୍ମାଣ କରାଯିବ I

ଉଭୟ ରେଳବାଇ ଓ ରାଜ୍ୟସରକାରଙ୍କ ଜମିରେ ନୂତନ ଷ୍ଟେସନ ବିଲଡିଙ୍ଗ ଏବଂ ଦୁଇଟି ଲାଇନ ସହିତ ପ୍ଳାଟଫର୍ମ ନିର୍ମାଣ ଯୌଥ ଭାବେ କରାଯିବ I  ପ୍ରସ୍ତାବିତ ବିଲଡିଙ୍ଗରେ ତଳ ମହଲା ସହିତ ୫ ମହଲା ନିର୍ମାଣ କରାଯିବ ଯାହାକି ରେଳବାଇ ଦ୍ବାରା ତଳ ମହଲା ସହିତ ୨ଟି ମହଲା ବ୍ୟବହାର କରାଯିବ I ରେଳବାଇ ପାଇଁ ୧.୭୪ ଲକ୍ଷ ବର୍ଗ ଫୁଟ ବ୍ୟବହାର କରାଯିବ I ଏହି ପ୍ରକଳ୍ପ ପାଇଁ ରେଳବାଇ ପ୍ରାୟ ୭୦କୋଟି ଟଙ୍କା ବ୍ୟୟ ବରାଦ କରିଛି ଯେଉଁଥିରେ ଦୁଇଟି ଅତିରିକ୍ତ ରେଳ ଲାଇନ ଓ ପୂର୍ଣ୍ଣ କଭରସେଡ ଥାଇ ଗୋଟିଏ ପ୍ଳାଟଫର୍ମ, ଫୁଟ ଓଭର ବ୍ରିଜର ସମ୍ପ୍ରସାରଣ ଏବଂ ସମସ୍ତ ଯାତ୍ରୀ ସୁବିଧା ଉପଲବ୍ଧ କରାଯିବ I  ସେହିଭଳି, ରାଜ୍ୟ ସରକାରଙ୍କ ପକ୍ଷରୁ 60 କୋଟି ଟଙ୍କ ଖର୍ଚ୍ଚ କରାଯାଇ ଏହି ହବର ତଳ ମହଲା ସହିତ ଦୁଇ ମହଲା ନୂତନ ଷ୍ଟେସନ ବିଲଡିଙ୍ଗ ଓ ଅନ୍ୟାନ ସର୍ବସାଧାରଣ ଭିତ୍ତିଭୂମୀର ବିକାଶ କରାଯିବ I

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଭୁବନେଶ୍ବରର ସ୍ମାର୍ଟ ସିଟି ଅଭିଯାନରେ ଆଜିର ଦିନ ଏକ ଐତିହାସିକ ଦିନ । ଏଥିପାଇଁ ସେ କେନ୍ଦ୍ର ରେଳ ମନ୍ତ୍ରଣାଳୟକୁ ଧନ୍ୟବାଦ ଦେଇଥିଲେ । ଭୁବନେଶ୍ବର ରେଳ ଷ୍ଟେସନର ରୂପାନ୍ତରଣରେ ଏହା ଏକ ମାଇଲ ଖୁଣ୍ଟ ହେବ । ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଏହି କାର୍ଯ୍ୟରେ ଆନ୍ତର୍ଜାତିକ କ୍ଷାତି ସମ୍ପନ୍ନ ପରାମର୍ଶଦାତାଙ୍କୁ ନିୟୋଜିତ କରି ଏହି ରେଳ ଷ୍ଟେସନକୁ ସମସାମୟିକ କଳା ଓ ପାରମ୍ପାରିକ କଳିଙ୍ଗ ହସ୍ତକଳାର ପ୍ରଦର୍ଶନ କରିବେ । ରାଜ୍ୟ ସରକାର ଏହି ହବ ପାଇଁ ଭିତ୍ତିଭୂମୀ ନିର୍ମାଣରେ 840 କୋଟି ଟଙ୍କା ଖର୍ଚ୍ଚ କରିବେ । ଭିତ୍ତିଭୂମୀ ନିର୍ମାଣ କାର୍ଯ୍ୟ 30 ମାସ ଅର୍ଥାତ ଅଢେଇ ବର୍ଷ ମଧ୍ୟରେ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ପ୍ରକଳ୍ପ ପାଇଁ ତ୍ରି-ସ୍ତରୀୟ ମନଟିରିଂ ବ୍ୟବସ୍ଥା ଗ୍ରହଣ କରାଯିବ । ଏଥିସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସାରା ରାଜ୍ୟ ଏବଂ ସେ ନିଜେ ମଧ୍ୟ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଭୁବନେଶ୍ବର ରେଳ ଷ୍ଟେସନର ରୂପାନ୍ତରଣକୁ । ରାଜ୍ୟ ସରକାର ଏହି କାର୍ଯ୍ୟ ପାଇଁ ପୂର୍ଣ୍ଣ ସହଯୋଗ ଏବଂ ସହାୟତା ଯୋଗାଇଦେବେ । ଏବଂ ରେଳବାଇ ମଧ୍ୟ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷ କରିବାକୁ ସକ୍ରିୟ ସହଯୋଗ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଭୁମିକାକୁ ପ୍ରଶଂସା କରିଥିଲେ । କୌଣସି ଏକ କେନ୍ଦ୍ରୀୟ ପ୍ରକଳ୍ପରେ ରାଜ୍ୟ ଅଗ୍ରଣୀ ଭୁମିକା ନେବା ଏକ ବିରଳ ଘଟଣା । ଏହା ନିଶ୍ଚିତ ଭାବେ ଭୁବନେଶ୍ବର ପାଇଁ ଏକ ରୂପାନ୍ତରଣ ପ୍ରକ୍ରିୟା ପ୍ରତୀକ ।

ନୂଆଦିଲ୍ଲୀ ଉଦ୍ୟୋଗ ଭବନ ଠାରେ କେନ୍ଦ୍ର ରେଳ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲଙ୍କ ସହିତ ରେଳବାଇ ବୋର୍ଡ ଇଂଜିନିୟରିଂ ସଦସ୍ୟ ବିଶ୍ବେଷ ଚୌବେ ଓ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ସହିତ ଉଚ୍ଚ ଅଧିକାରୀ ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ଓଡିଶାର ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ସ୍ଥିତ ଲୋକସେବା ଭବନ ଠାରେ ଉପସ୍ଥିତ ଥିଲେ I

Share

Leave a Reply

Your email address will not be published. Required fields are marked *

nineteen − 12 =