ଉଚ୍ଚଶିକ୍ଷାରେ ନାକ ମାନ୍ୟତା ପାଇଁ ରୋଡ଼ ମ୍ୟାପ

ଭୁବନେଶ୍ବର () ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ଯେପରି ଅଧିକରୁ ଅଧିକ ନାକ୍‌ ମାନ୍ୟତା ପାଇବେ ସେ ଦିଗରେ ଏକ ରୋଡ଼୍‌ ମ୍ୟାପ୍‌ ପ୍ରସ୍ତୁତ କରାଯାଉଛି । ଏଥି ସହିତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ନିୟମିତ ଭାବେ ରିଫ୍ରେସର କୋର୍ସକୁ ଗୁରୁତ୍ବ ଦିଆଯାଉଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ପୂର୍ବାହ୍ନରେ ପୁସ୍ତକ ଭବନଠାରେ ଆୟୋଜିତ ବିଶ୍ବବିଦ୍ୟାଳୟମାନଙ୍କର ଉଚ୍ଚ ପଦାଧିକାରୀ ସ୍ତରୀୟ ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁ ଶିକ୍ଷାନୁଷ୍ଠାନର ମାନବସମ୍ବଳ ବିକାଶ କେନ୍ଦ୍ରଗୁଡ଼ିକର କାର୍ଯ୍ୟକାରିତା, ପରିଚାଳନା ଓ ନାକ୍‌ ମାନ୍ୟତା ସମ୍ବନ୍ଧରେ ସମୀକ୍ଷା କରିବା ଅବସରରେ ଗୁଣାତ୍ମକ ଶିକ୍ଷାଦାନ ନିମନ୍ତେ ଅଧ୍ୟାପକମାନଙ୍କ ନିୟମିତ ପ୍ରଶିକ୍ଷଣ ଆବଶ୍ୟକ ବୋଲି କହିଥିଲେ । ଏଥି ନିମନ୍ତେ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରିବା ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ବୈଠକରେ କଲେଜ ଉନ୍ନୟନ ପରିଷଦ ଓ ଇଣ୍ଟରନାଲ୍‌ କ୍ବାଲିଟି ଆସୁରାନ୍ସ ସେଲ୍‌ ବାବଦରେ ସମୀକ୍ଷା କରି କହିଲେ ଯେ ନାକ୍‌ ମାନ୍ୟତା ପାଇବା ଦିଗରେ ଇଣ୍ଟରନାଲ୍‌ କ୍ବାଲିଟି ଆସୁରାନ୍ସ ସେଲ୍‌ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତେଣୁ ଏହାକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି । ମହାବିଦ୍ୟାଳୟମାନେ ନାକ୍‌ ମାନ୍ୟତା ପାଇବା ଦିଗରେ ଅନୁବନ୍ଧିତ ବିଶ୍ବବିଦ୍ୟାଳୟଗୁଡ଼ିକର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି ।

ଶିକ୍ଷାନୁଷ୍ଠାନଗୁଡ଼ିକରେ ୫‘ଟି’କୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ସହିତ ଇ-ଗଭର୍ଣ୍ଣାନ୍ସ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି ଉଚ୍ଚଶିକ୍ଷାକୁ ଏକ ଉଚ୍ଚସ୍ତରକୁ ନେବା ପାଇଁ ମନ୍ତ୍ରୀ କହିଥିଲେ । ଏଥି ସହିତ ନାକ୍‌ ମାନ୍ୟତା ପାଇବା ଦିଗରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ବୈଠକରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ବତ ମିଶ୍ର, ବିଶ୍ବବ୍ୟାଙ୍କ ପ୍ରକଳ୍ପ ନିର୍ଦ୍ଦେଶକ ପରମେଶ୍ବରନ୍‌ ବି., ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଏବଂ ପ୍ରଫେସର ସସ୍ମିତ ପାଣି ପ୍ରମୁଖ ନାକ୍‌ ମାନ୍ୟତା ଓ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧିର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ ।

ବୈଠକରେ ପୂର୍ବରୁ ନାକ୍‌ ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଦେଇଥିବା ସୁପାରିଶଗୁଡ଼ିକର ଅନୁପାଳନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ନାକ୍‌ ମାନ୍ୟତା ପାଇବା ନିମନ୍ତେ ଏକ ତୃତୀୟ ପକ୍ଷ ଦ୍ବାରା ଏହାର ନିର୍ଦ୍ଧାରଣ କରାଯାଉଛି । ନାକ୍‌ ପକ୍ଷରୁ ଓଡ଼ିଶା ସମ୍ବନ୍ଧୀୟ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରାଯିବ ଯଦ୍ବାରା ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ନିମନ୍ତେ ନାକ୍‌ ମାନ୍ୟତା ପାଇବା ଦିଗରେ ଏକ ମାର୍ଗଦର୍ଶିକା ଭାବେ କାର୍ଯ୍ୟ କରିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ବୈଠକରେ ଉତ୍କଳ ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର, ସମ୍ବଲପୁର, ଫକୀରମୋହନ, ଉତ୍ତର ଓଡ଼ିଶା, ରେଭେନ୍ସା, ଖଲିକୋଟ, ଗଙ୍ଗାଧର ମେହେର ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ଶିକ୍ଷା ଓ ଅନୁସନ୍ଧାନ ଏବଂ କିଟ୍‌ ବିଶ୍ବବିଦ୍ୟାଳୟ ସମେତ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଓ ରାଜଧାନୀ କଲେଜ୍‌, ଭୁବନେଶ୍ବରର ପଦାଧିକାରୀମାନେ ଯୋଗଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

nine + 13 =