ରାଜଧାନୀରେ ବୁଲୁଛି ବାଘ

ରାଜଧାନୀରେ ବାଘ ଧରିବାକୁ ଆରମ୍ଭ ହୋଇଥିବା ପ୍ରଥମ ପର୍ୟ୍ୟାୟ ଅପରେସନ ଶେଷ ହୋଇଛି । ବାଘକୁ ନପାଇ ଜଙ୍ଗଲରୁ ଫେରିଛନ୍ତି ନନ୍ଦନକାନନ ଓ ଓୟୁଏଟିର ସ୍ୱତନ୍ତ୍ର ବିଶେଷଜ୍ଞ ଦଳ । ବାଘଟି ବିମାନବନ୍ଦର ପାଖ ଜଙ୍ଗଲରେ ଥିବା ଅନୁମାନ କରାଯାଉଛି । ଖୁବଶୀଘ୍ର ବାଘକୁ ଧରିବାକୁ ଆରମ୍ଭ ହେବ ଦ୍ୱିତୀୟ ପର୍ୟ୍ୟାୟ ଅପରେସନ୍ । ଦୀର୍ଘ ୪୫ ମିନିଟ ଧରି ତନ୍ନତନ୍ନ କରି ଖୋଜିବା ପରେ ମଧ୍ୟ ବନ ବିଭାଗକୁ ମିଳିଳାନି କଲରାପତରିଆର ସନ୍ଧାନ । ଏବେ ପୁଣି ଥରେ ବାଘକୁ ଠାବ କରିବାକୁ ଚେଷ୍ଟା ଜାରି ରହିବ ବୋଲି କହିଛନ୍ତି ବନ ଅଧିକାରୀ ।
ଭୁବନେଶ୍ୱର ବିମାନ ବନ୍ଦର ମଧ୍ୟରେ ଥିବା ବୁଦୁବୁଦିଆ ଜଙ୍ଗଲକୁ ପ୍ରବେଶ କରିଥିଲେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ । ହାତରେ ଥିଲା ଟ୍ରାଙ୍କୁଲାଇଜର ଗନ୍ । ସାଙ୍ଗରେ ନେଇଯାଇଥିଲେ ଜୀବଜନ୍ତୁଙ୍କୁ କାବୁ କରିବା ପାଇଁ ବ୍ୟବହାର କରାଯାଉଥିବା ଜାଲ । ଆଉ ଏହା ପରେ ଆରମ୍ଭ ହୋଇଯାଇଥିଲା ଅପରେସନ ଲିଓପର୍ଡ ।
ଗତ ରବିବାର ରାତିରେ ଏୟାରପୋର୍ଟ ନିକଟସ୍ଥ ପଳାଶପଲ୍ଲୀ ଅଂଚଳରେ ଏକ ବାଘକୁ ଦେଖିଥିଲେ ଜଣେ ସ୍ଥାନୀୟ ବ୍ୟକ୍ତି । ସିସିଟିଭି ଚିତ୍ର ଯାଞ୍ଚ କରିବା ପରେ ଏହା ଏକ କଲରାପତରିଆ ବାଘ ବୋଲି ସ୍ପଷ୍ଟ ହୋଇଥିଲା । ଗଣମାଧ୍ୟମରେ ଏନେଇ ଖବର ପ୍ରସାରିତ ହେବା ପରେ ବନ ବିଭାଗ ବାଘକୁ ସୁରକ୍ଷିତ ଉଦ୍ଧାର କରିବାକୁ ଯୋଜନା କରିଛି । ଜଙ୍ଗଲୀ ବାଘକୁ ଉଦ୍ଧାର କରିବା ପାଇଁ ଥିବା ସ୍ୱତନ୍ତ୍ର ନିୟମାବଳୀ ଅନୁସାରେ ପଦକ୍ଷେପ ନେଇଛି ବନ ବିଭାଗ ।

Share

Leave a Reply

Your email address will not be published. Required fields are marked *

eighteen − seventeen =